ପ୍ରତିବାଦ ପରେ ଅଟକିଗଲା ବୁଲଡୋଜର : ଲିଙ୍ଗରାଜ ମନ୍ଦିର ଚତୁଃପାର୍ଶ୍ୱ ଜବରଦଖଲ ଉଚ୍ଛେଦ ନେଇ ଆଜି ଆନ୍ଦୋଳକାରୀ ଓ ବିଏମସି କମିସନରଙ୍କ ଆଲୋଚନା

173

କନକ ବ୍ୟୁରୋ : ଲିଙ୍ଗରାଜ ମନ୍ଦିର ଚାରିପଟେ ଉଚ୍ଛେଦ ନେଇ ଆନ୍ଦୋଳନକାରୀଙ୍କ ସହ ଆଜି ଆଲୋଚନା କରିବ ପ୍ରଶାସନ । ଏହା ପରେ ଭଙ୍ଗା କାର୍ଯ୍ୟ ଜାରି ରହିବ କି ନାହିଁ ସେ ନେଇ ନିଷ୍ପତ୍ତି ନିଆଯିବ । ବିଏମସି କାର୍ଯ୍ୟାଳୟରେ ଆଜି ଦିନ ୧୧ଟା ବେଳେ ୧୦ ଜଣିଆ ପ୍ରତିନିଧି ଦଳ ବିଏମସି କର୍ତୁପକ୍ଷଙ୍କ ସହ ଆଲୋଚନା କରିବେ ବୋଲି ସୂଚନା ମିଳିଛି । ଗତକାଲି ଆଗ ଥଇଥାନ ପରେ ଉଛେଦ ଦାବିରେ ଲିଙ୍ଗରାଜ ଥାନା ଘେରିିଥିଲେ ଲିଙ୍ଗରାଜ ସାଂସ୍କୃତିକ ପରିଷଦ ଓ ବରିଷ୍ଠ ନାଗରୀକ ମଂଚର ସଦସ୍ୟ । ଏହାପରେ ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରିଥିଲେ ପ୍ରଶାସନ ।

ଆଲୋଚନା ପରେ ଉଛେଦ କାର୍ଯ୍ୟକୁ ସାମୟିକ ଭାବେ ବନ୍ଦ୍ ରଖିଛି ପ୍ରଶାସନ । ଦୋକାନୀ ମାନଙ୍କୁ ଥଇଥାନ ନକରି ଉଛେଦ କରାଯାଉଥିବାରୁ ଏହାକୁ ସେମାନେ ବିରୋଧ କରୁଛନ୍ତି  । ଏହାକୁ ସମର୍ଥନ କରିଛନ୍ତି ବିଭିନ୍ନ ରାଜନେତା । ଭଜନ ମଣ୍ଡପ ନିର୍ମାଣ ଓ ଥଇଥାନ ନକରିବା ଯାଏଁ ଉଚ୍ଛେଦ ବନ୍ଦ ରଖିବାକୁ ସେମାନେ ଦାବି କରିଛନ୍ତି । ଭୁବନେଶ୍ୱରର ଶ୍ରୀଲିଙ୍ଗରାଜ ମନ୍ଦିର ଚାରିପଟେ ସରକାରୀ ଜମିକୁ ମାଡିବସିଥିବା ମାର୍କେଟ କମ୍ପଲେକ୍ସର ଦୋକନ, କୋଠା ଆଦିକୁ ଉଚ୍ଛେଦ କରୁଛି ପ୍ରଶାସନ । ମନ୍ଦିରର ସୁରକ୍ଷା ଦୃଷ୍ଟିରୁ ୭୫ ମିଟର ପର୍ଯ୍ୟନ୍ତ ଅଂଚଳକୁ ସଫା କରିବାକୁ ଯୋଜନା କରିଛନ୍ତି ସରକାର ।

ସେପଟେ ଶ୍ରୀକ୍ଷେତ୍ରର ସ୍ୱର୍ଗଦ୍ୱାରରେ ବୁଲିଲା ବୁଲଡୋଜର । ପୁରୀରେ ମଙ୍ଗୁ ମଠ ପରେ ସ୍ୱର୍ଗଦ୍ୱାରରେ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଛି । ସ୍ୱର୍ଗଦ୍ୱାର ଭିତରେ ଥିବା ଶ୍ରାଦ୍ଧ ମଣ୍ଡପ ଓ କିଛି ନିର୍ମାଣକୁ ଭାଙ୍ଗିଛି ପ୍ରଶାସନ । ସ୍ୱର୍ଗଦ୍ୱାର ପରିସରରେ ଥିବା ଅଚଳ ଚିମନିର କିଛି ଅଂଶକୁ ମଧ୍ୟ ଭାଙ୍ଗି ଦିଆଯାଇଛି । ଆଜି ମଧ୍ୟ ସ୍ୱର୍ଗଦ୍ୱାରରେ ଉଚ୍ଛେଦ ପ୍ରକ୍ରିୟା ଜାରି ରହିବ । ସ୍ୱର୍ଗଦ୍ୱାର ସଂପ୍ରସାରଣ ପାଇଁ ସରକାର ଏକ ବ୍ଲୁ ପ୍ରିଂଟ ପ୍ରସ୍ତୁତ କରିସାରିଛନ୍ତି । ସ୍ୱର୍ଗଦ୍ୱାରର ଆଧୁନୀକକରଣ ପାଇଁ କିଛି ଦିନ ତଳେ ମୁଖ୍ୟମନ୍ତ୍ରୀ ୫ କୋଟି ଟଙ୍କାର ପ୍ୟାକେଜ ଘୋଷଣା କରିଥିଲେ । ଏଥିପାଇଁ ଉନ୍ନୟମ କାମ କରାଯିବାକୁ ନିର୍ଦ୍ଦେଶ ରହିଥିଲା । ଏହାକୁ ଆଗକୁ ନେବା ପାଇଁ ସ୍ୱର୍ଗଦ୍ୱାରରେ ଉଚ୍ଛେଦ କରିବାକୁ ପ୍ରଶାସନ ନିଷ୍ପତ୍ତି ନେଇଥିଲେ । ଏହି କ୍ରମରେ ଉଚ୍ଛେଦ ପ୍ରକ୍ରିୟା ଜାରି ରହିଛି ।