ଅଶାନ୍ତ ଲିବିୟା ! ସଙ୍ଗୀନ ହେବାରେ ଲାଗିଛି ଗୃହଯୁଦ୍ଧ ପରିସ୍ଥିତି,ଫସିରହିଛନ୍ତି ୫୦୦ରୁ ଅଧିକ ଭାରତୀୟ

215

କନକ ବ୍ୟୁରୋ : ଉତ୍ତର ଆଫ୍ରିକୀୟ ଦେଶ ଲିବିୟାରେ ଗୃହଯୁଦ୍ଧ ପରିସ୍ଥିତି ଦିନକୁ ଦିନ ଅଧିକ ସଂଗୀନ ହେବାରେ ଲାଗିଛି । ଲିବିୟାରେ ଶାସନ କରୁଥିବା ଜାତିସଂଘ ସମର୍ଥିତ ସରକାର ଓ ବିଭିନ୍ନ ବିଦ୍ରୋହୀ ଗୋଷ୍ଠୀଙ୍କ ମଧ୍ୟରେ ଏବେ ଘମାଘୋଟ ଲଢେଇ ଚାଲିଛି । ସବୁଠାରୁ ବଡ଼ ବିଦ୍ରୋହୀ ଗୋଷ୍ଠୀର ନେତୃତ୍ୱ କରୁଛନ୍ତି ଖଲିଫା ହପତାର । ତାଙ୍କର ସୈନ୍ୟମାନେ ଗତ ୫ ତାରିଖରୁ ଲିବିୟାର ରାଜଧାନୀ ତ୍ରିପୋଲି ଉପରେ ଅଧିକାର ପାଇଁ ଅଗ୍ରସର ହେଉଛନ୍ତି । ଏହି ଲଢେଇରେ ଏପର୍ଯ୍ୟନ୍ତ ପ୍ରାୟ ୨୦୫ରୁ ଅଧିକ ଲୋକ ମୃତ୍ୟୁବରଣ କରିସାରିଲେଣି ।

ଏହି ଗୃହଯୁଦ୍ଧ ଫଳରେ ସେଠାରେ ଥିବା ଲୋକମାନଙ୍କ ଅବସ୍ଥା ଦିନକୁ ଦିନ ଜଟିଳ ହେବାରେ ଲାଗିଛି । ଏହି ଦେଶରେ ଏବେ ପ୍ରାୟ ୫୦୦ରୁ ଅଧିକ ଭାରତୀୟ ଫସି ରହିଛନ୍ତି ।ଏସଂପର୍କରେ ଟ୍ଵିଟ କରି କେନ୍ଦ୍ର ବିଦେଶମନ୍ତ୍ରୀ ସୁଷମା ସ୍ୱରାଜ କହିଛନ୍ତି ଯେ “ଲିବିୟାରେ ଏବେ ପ୍ରାୟ ୫୦୦ରୁ ଅଧିକ ଭାରତୀୟ ଫସି ରହିଛନ୍ତି । ତ୍ରିପୋଲିର ସ୍ଥିତି ଦିନକୁ ଦିନ ଖରାପ ହେବାରେ ଲାଗିଛି । ଆପଣଙ୍କର ଯଦି କୌଣସି ବନ୍ଧୁବାନ୍ଧବ ସେଠାରେ ଅଛନ୍ତି, ସେମାନଙ୍କୁ କୁହନ୍ତୁ ତୁରନ୍ତ ସେ ଦେଶ ଛାଡିବାକୁ । କାରଣ ପରେ ସେମାନଙ୍କୁ ଆଉ ଉଦ୍ଧାର କରିବା ସମ୍ଭବ ହେବ ନାହିଁ ।”