ପ୍ରଜ୍ଞାନ ଓଝାଙ୍କ ଅଗ୍ନିବର୍ଷୀ ବୋଲିଂକୁ ଝୁରୁଛନ୍ତି କ୍ରିକେଟପ୍ରେମୀ : ୨୦୧୩ରେ ସଚିନଙ୍କ ବିଦାୟୀ ଟେଷ୍ଟ ଥିଲା ପ୍ରଜ୍ଞାନଙ୍କ ଶେଷ ମ୍ୟାଚ, ୧୦ ୱିକେଟ୍ ସହ ଓଝା ହୋଇଥିଲେ ମ୍ୟାନ୍ ଅଫ୍ ଦ ମ୍ୟାଚ୍

615

କନକ ବ୍ୟୁରୋ : କ୍ରିକେଟର ପ୍ରଜ୍ଞାନ ଓଝା କ୍ରିକେଟର ସବୁ ଫର୍ମାଟରୁ ଗତକାଲି ଅବସର ଘୋଷଣା କରିଛନ୍ତି । ପ୍ରଜ୍ଞାନ ଓଝାଙ୍କ କ୍ରିକେଟ କ୍ୟାରିୟରକୁ ନେଇ ଟୁଇଟର ମାଧ୍ୟମରେ ତାଙ୍କୁ  ଶୁଭେଚ୍ଚା ଓ ଭବିଷ୍ୟତ ଯୋଜନା ପାଇଁ ଶୁଭକାମନାର ସୁଅ ଛୁଟୁଛି। ହେଲେ ସବୁଠୁ ଅଧିକ ଚର୍ଚ୍ଚା ସାଉଣ୍ଟୁଛି ସଚିନ ତେନ୍ଦୁଲକରଙ୍କ ଟୁଇଟ । ନିଜ ବିଦାୟୀ ଟେଷ୍ଟ ମ୍ୟାଚକୁ ଅଧିକ ସ୍ମରଣୀୟ କରିବାରେ ପ୍ରଜ୍ଞାନଙ୍କ ଅବଦାନକୁ ପ୍ରଶଂସା କରିଛନ୍ତି ତେନ୍ଦୁଲକର ।

୨୦୧୩ ନଭେମ୍ବର ୱାଙ୍ଖଡେରେ ୱେଷ୍ଟଇଣ୍ଡିଜ ବିପକ୍ଷରେ ସଚିନ ଖେଳିଥିଲେ ନିଜ ଅନ୍ତିମ ଟେଷ୍ଟ ମ୍ୟାଚ । ଏହି ମ୍ୟାଚରେ ପ୍ରଜ୍ଞାନ ଓଝା ୧୦ ୱିକେଟ ନେବା ସହ ମ୍ୟାନ ଅଫ ଦି ମ୍ୟାଚ ହୋଇଥିଲେ । ଭାରତ ବିଜୟୀ ବି ପାଇଥିଲା । ତେନ୍ଦୁଲକର ଏ ବିଷୟରେ ଉଲ୍ଲେଖ କରି କହିଛନ୍ତି, ‘ମୋ ଶେଷ ଟେଷ୍ଟକୁ ତୁମେ ସ୍ୱତନ୍ତ୍ର କରିଦେଇଥିଲ, ଏବେ ଦ୍ୱିତୀୟ ପାଳି କ୍ଲବକୁ ସ୍ୱାଗତ’ । ସଂଯୋଗ ବଶତଃ ତେନ୍ଦୁଲକରଙ୍କ ଶେଷ ଟେଷ୍ଟ ମ୍ୟାଚ ପ୍ରଜ୍ଞାନ ଓଝାଙ୍କର ମଧ୍ୟ ଶେଷ ମ୍ୟାଚ ଥିଲା ।

ପ୍ରଜ୍ଞାନ ନିଜ କ୍ୟାରିୟରରେ ୨୪ଟି ଟେଷ୍ଟ ଖେଳି ୧୧୩ଟି ୱିକେଟ ଦଖଲ କରିଛନ୍ତି । ଦିନିକିଆରେ ୧୮ ମ୍ୟାଚ ଖେଳି ୨୧ଟି ୱିକେଟ ପାଇଥିଲେ ମଧ୍ୟ ତାଙ୍କୁ ଜଣେ ସ୍ପେଶାଲିଷ୍ଟ ଟେଷ୍ଟ ସ୍ପିନର ଭାବେ ଗଣାଯାଏ ।