ସରକାରଙ୍କୁ ଅଧ୍ୟାପକଙ୍କ ପରୋକ୍ଷ ଚ୍ୟାଲେଞ୍ଜ : ପ୍ରଥମେ ଭିତ୍ତିଭୂମି ସଜାଡ଼, ପରେ ମାନିବୁ ନିୟମ

218

କନକ ବ୍ୟୁରୋ : ସରକାରଙ୍କୁ ଅଧ୍ୟାପକଙ୍କ ପରୋକ୍ଷ ଚ୍ୟାଲେଞ୍ଜ । କଲେଜରେ ୬ଘଂଟା ବଦଳରେ ୭ଘଂଟା ରହିବା ପାଇଁ ସରକାର ନିୟମ ଆଣିବା ପରେ ଏହାର ପ୍ରତିବାଦ କରିଛନ୍ତି ଅଧ୍ୟାପକ । ଶିକ୍ଷକ ନେତା କହିଛନ୍ତି ସରକାର ପ୍ରଥମେ ଶିକ୍ଷାନୁଷ୍ଠାନର ଭିତ୍ତିଭୂମି ଓ ଅନ୍ୟାନ୍ୟ ଦାବି ପୂରଣ କରନ୍ତୁ । ତାପରେ ସରକାରୀ ଓ ଅନୁଦାନପ୍ରାପ୍ତ ବେସରକାରୀ କଲେଜରେ ନିୟମିତ ଅଧ୍ୟାପକ ମାନେ ପ୍ରତି କାର୍ଯ୍ୟ ଦିବସରେ ୭ଘଂଟା କାର୍ଯ୍ୟ କରିବେ । ଶିକ୍ଷାଦାନ ବ୍ୟତିତ ଲାଇବ୍ରେରିରେ ସମୟ କାଟିବେ । ଗବେଷଣା କାର୍ଯ୍ୟରେ ମନୋନିବେଶ କରିବେ । ଛାତ୍ରଛାତ୍ରୀଙ୍କ ଆବଶ୍ୟକତା ଅନୁଯାୟୀ ଅତିରିକ୍ତ କ୍ଲାସ କରିବେ । ଗତ ୫ ତାରିଖରେ ଉଚ୍ଚଶିକ୍ଷା ବିଭାଗର ସଚିବ ଶାଶ୍ୱତ ମିଶ୍ର ଏଭଳି ବିଜ୍ଞପ୍ତି ପ୍ରକାଶ କରିବା ପରେ ଅଧ୍ୟାପକ ମାନେ ଏହାର କଡ଼ା ପ୍ରତିବାଦ କରିଛନ୍ତି ।

୭ ଘଣ୍ଟା ଡ୍ୟୁଟିକୁ ନେଇ ଅଧ୍ୟାପକ ଓ ସରକାର ମଧ୍ୟରେ ପୁଣିଥରେ ମୁହାଁମୁହିଁ ପରିସ୍ଥିତି ଉପୁଜିଲାଣି । ସରକାରଙ୍କ ନିର୍ଦେଶନାମା ଉପରେ ସରକାରୀ କଲେଜ ଗୁଡ଼ିକର ଅଧ୍ୟାପକ ଏପର୍ଯ୍ୟନ୍ତ ମୁହଁ ଖୋଲି ନାହାନ୍ତି । କିନ୍ତୁ ସବୁଠାରୁ ଅଧିକ ଛାତ୍ରଛାତ୍ରୀ ପଢ଼ୁଥିବା ଅନୁଦାନପ୍ରାପ୍ତ ବେସରକାରୀ କଲେଜ ଶିକ୍ଷକ ସଂଘଗୁଡ଼ିକ ପ୍ରତିବାଦ ଜଣାଇଛନ୍ତି । ୬୬୨ ବର୍ଗ ବେସରକାରୀ ଅନୁଦାନପ୍ରାପ୍ତ କଲେଜ ଅଧ୍ୟାପକ ଓ କର୍ମଚାରୀ ସଂଘ ସଭାପତି କହିଛନ୍ତି, ସରକାରଙ୍କ ସମସ୍ତ ନିୟମ ମାନିବାକୁ ଆମେ ପ୍ରସ୍ତୁତ ।  ମାତ୍ର ଦରମାରେ ପାତର ଅନ୍ତର ରହିଛି । ଶିକ୍ଷାଦାନ ଲାଗି ଜଣେ ଅଧ୍ୟାପକର ମାନସିକ ଶାନ୍ତି ଦରକାର । ପଢ଼ିବା ପାଇଁ ପିଲା ମଧ୍ୟ ସବୁ ପ୍ରକାର ସୁବିଧା ପାଇବା ଉଚିତ । ଏ କଥା କ’ଣ ଛାତ୍ରନେତାରୁ ଉଚ୍ଚଶିକ୍ଷା ମନ୍ତ୍ରୀ ହୋଇଥିବା ଅରୁଣ ସାହୁଙ୍କୁ ବୁଝାଇବାକୁ ହେବ ?

ଅଧ୍ୟାପକଙ୍କ ଚାକିରିର ସୁରକ୍ଷା ଦରକାର । ଦୀର୍ଘ ୨୦ ବର୍ଷ ବିନା ପଇସାରେ ପାଠ ପଢ଼େଇଛୁ । ଆମ ଆଗେ ପେଟକୁ ଦାନା ଦିଅ, ପରେ ପିଠିକୁ ମାରିଲେ ଶୋଭା ପାଇବ। ନଚେତ ଅସନ୍ତୋଷ ହେବା ସ୍ବାଭାବିକ । ମାସେ ଭିତରେ ସମସ୍ୟାର ସମାଧାନ କରାଯାଉ । ଏହି ସମୟ ପର୍ଯ୍ୟନ୍ତ ନିୟମ ମାନିବୁ । ଯଦି ଦାବି ପୂରଣ କରା ନଯାଏ ତେବେ ପରବର୍ତ୍ତୀ କାର‌୍ୟ୍ୟପନ୍ଥା ସ୍ଥିର ହେବ ।