ନେତା ଭାଙ୍ଗୁଛନ୍ତି କୋଭିଡ ନିୟମ । ବ୍ରହ୍ମଗିରି ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ରଙ୍କ ଅଭିଯୋଗ । କୋଭିଡ ନିୟମକୁ ଫୁ କରିଛନ୍ତି ବିଜେଡି ନେତା ସଂଜୟ ଦାସବର୍ମା ଓ ପିନାକୀ ମିଶ୍ର । ଏପଟେ ସାମ୍ନାକୁ ଆସିଲା ସ୍ୱାଧୀନତା ଦିବସରେ ସାଂସଦ ଅପରାଜିତା ଷଡଙ୍ଗୀ, ସାମାଜିକ ଦୂରତା ମାନିନଥିବା ଫଟୋ 

421

କନକ ବ୍ୟୁରୋ : ନେତା ଭାଙ୍ଗୁଛନ୍ତି କୋଭିଡ ନିୟମ । କୋଭିଡ କଟକଣାକୁ ବିଜେଡି ନେତା ମାନୁନଥିବା ଅଭିଯୋଗ କରିଛନ୍ତି ବ୍ରହ୍ମଗିରି ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର । ଏକ ଉଦଘାଟନ କାର୍ଯ୍ୟକ୍ରମରେ ବିଜେଡି ନେତା ସଂଜୟ ଦାସବର୍ମା ଓ ସାଂସଦ ପିନାକୀ ମିଶ୍ର କୋଭିଡ ନିୟମକୁ ଉଲ୍ଲଂଘନ କରିଛନ୍ତି । ସେପଟେ ସୋସିଆଲ ମିଡିଆରେ ଘୁରି ବୁଲୁଛି ବିଜେପି ସାଂସଦ କୋଭିଡ ନିୟମକୁ ଉଂଲଘନ କରି ସ୍ୱାଧୀନତା ଦିବସ ପାଳନ କରିଥିବା ଫଟୋ ।

କୋଭିଡ୍ କଟକଣାକୁ ବାଏଁ ବାଏଁ ଉଡାଇ ଦେଉଛନ୍ତି ନେତା । ଭିଡ଼ ଭିତରେ ଉତ୍ସବ ପାଳନ ହେଉଛି । ସାମାଜିକ ଦୂରତା ଓ ଅନ୍ୟାନ୍ୟ କୋଭିଡ୍ ନିୟମକୁ ପରବାଏ କରୁନାହାନ୍ତି ନେତା । ଅଗଷ୍ଟ ୧୫ ଦିନ ବ୍ରହ୍ମଗିରି ଅଂଚଳରେ ସାଂସଦ ପାଣ୍ଠିରୁ ୨ଟି ଆମ୍ବୁଲାନ୍ସ ଲୋକର୍ପଣ ଉତ୍ସବର ଦୃଶ୍ୟ, ଯାହାକୁ ନେଇ ବଡ଼ ଅଭିଯୋଗ ଆଣିଛନ୍ତି ବ୍ରହ୍ମଗିରି ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର । ଲଳିତେନ୍ଦୁଙ୍କ ଅଭିଯୋଗ, ଏହି ଉତ୍ସବରେ କୋଭିଡ୍ କଟକଣାକୁ ଖାତିର କରିନଥିଲେ ପୁରୀ ସାଂସଦ ପିନାକୀ ମିଶ୍ର ଓ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଂଜୟ ଦାସ ବର୍ମା । ଲୋକାର୍ପଣ ଉତ୍ସବରେ ଲୋକଙ୍କ ଭିଡ଼ ହୋଇଥିଲା । ଜିଲ୍ଲାପାଳଙ୍କ ଠାରୁ ତହସିଲଦାର, ବିଡିଓ ଓ ଅନ୍ୟ ସରକାରୀ ଅଧିକାରୀ ସାମିଲ ହୋଇଥିଲେ । କୋଭିଡ୍ ନିୟମର ଖୋଲାଖୋଲି ଉଲଂଘନ କରିଥିଲେ । ସାଧାରଣ ଲୋକ ନିୟମ ଉଲଂଘନ କଲେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ହେଉଛି, ନେତାଙ୍କ ବିରୋଧରେ କାହିଁକି କାର୍ଯ୍ୟାନୁଷ୍ଠାନ ହେବ ନାହିଁ ବୋଲି ପ୍ରଶ୍ନ କରିଛନ୍ତି ଲଳିତେନ୍ଦୁ ।

କେବଳ ବିଜେଡି ନେତାଙ୍କ ବିରୋଧରେ ଏପରି ଅଭିଯୋଗ ଆସିନାହିଁ । ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ବିରୋଧରେ ବି ଆସିଛି ସମାନ ଅଭିଯୋଗ । ସ୍ୱାଧୀନତା ଦିବସ ପାଳନ ଅବସରରେ ଅପରାଜିତା ଓ ତାଙ୍କର କିଛି ସମର୍ଥକଙ୍କ କିଛି ଫଟୋ ସୋସିଆଲ ମିଡିଆରେ ପୋଷ୍ଟ ହୋଇଛି । ଯେଉଁଠି କୋଭିଡ୍ ନିୟମକୁ କେହି ଖାତିର ନକରିଲେ । ନା’ ଥିଲା ସାମାଜିକ ଦୂରତା, ନା କେହି ମାସ୍କ ପିନ୍ଧିବାକୁ ଉଚିତ ମଣିଥିଲେ  । ନେତାଙ୍କ ବିରୋଧରେ ଏପରି ଅଭିଯୋଗ ନୂଆ ନୁହେଁ । ପୂର୍ବରୁ ମଧ୍ୟ ଏପରି ଅନେକ ଅଭିଯୋଗ ଆସିଛି । ହେଲେ କୌଣସି ଆଖିଦୃଶିଆ ପଦକ୍ଷେପ ନେଇନାହିଁ ପ୍ରଶାସନ ।