କନକ ବ୍ୟୁରୋ : କରୋନା ସଂକ୍ରମଣକୁ ରୋକିବାକୁ ଗଂଜାମ ଜିଲ୍ଲାର ଚିକିଟି ବ୍ଲକର ଲାଲମେଣ୍ଟା ଗ୍ରାମପଂଚାୟତର ଲାଲମେଂଟା ଗାଁକୁ ସିଲ୍ କରିଛି ଜିଲ୍ଲା ପ୍ରଶାସନ । ଏହି ଅଂଚଳକୁ କୋଭିଡ ୧୯ ସଂକ୍ରମିତ ଜୋନ୍ ଘୋଷଣା କରିଛି ଗଂଜାମ ଜିଲ୍ଲା ପ୍ରଶାସନ । ଭୁବନେଶ୍ୱରରେ କରୋନା ହଟସ୍ପଟ୍ ଚିହ୍ନିତ ସ୍ଥାନରୁ ଏଠାକୁ ପ୍ରାୟ ୨୫୦ରୁ ଅଧିକ ଲୋକ ଆସିଥିବା ଖବର ପାଇବା ପରେ ପୁରା ଗାଁକୁ ସିଲ୍ କରିବାକୁ ନିଷ୍ପତ୍ତି ନେଇଛି ପ୍ରଶାସନ ।
ପୁରା ଅଂଚଳରେ ପ୍ରାଥମିକ ସ୍କ୍ରିନିଂ କରାଯିବା ପରେ ଏହା ସ୍ପଷ୍ଟ ହୋଇଥିଲା । ଏଥିସହ ନାମ ପଞ୍ଜୀକରଣ କରିଥିବା ଲୋକଙ୍କ ନିକଟରେ ଥଣ୍ଡା, କାଶ, ଜ୍ବର ଆଦିର ଲକ୍ଷଣ ଅଛି ନା ନାହିଁ ସେ ସଂକ୍ରାନ୍ତରେ ତଥ୍ୟ ସଂଗ୍ରହ କରିଛନ୍ତି । ବାହାରେ ବୁଲାବୁଲି ନ କରି ଘରେ ହିଁ ରହିବାକୁ ପରାମର୍ଶ ଦେଇଛନ୍ତି। ସ୍ବାସ୍ଥ୍ୟଟିମ୍ ସେଠାରେ ୨୪ ଘଣ୍ଟା ମୁତୟନ ଅଛନ୍ତି । ଲୋକଙ୍କ ସୁରକ୍ଷାକୁ ନଜରରେ ରଖି ଏପରି କଟକଣା ଜାରି କରାଯାଇଥିବା କୁହାଯାଇଛି ।
ଅନ୍ୟପକ୍ଷରେ ଭୁବନେଶ୍ବର ଫେରନ୍ତା ବ୍ୟକ୍ତିଙ୍କ ଉପରେ କଡ଼ା ନଜର ରଖିବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ଏହି ମର୍ମରେ ଜିଲ୍ଲାପାଳ ସମସ୍ତ ବ୍ଲକ୍ ଉନ୍ନୟନ ଅଧିକାରୀ ଓ ପୌର ନିର୍ବାହୀ ଅଧିକାରୀଙ୍କୁ ଏପରି ବ୍ୟକ୍ତିଙ୍କୁ ଚିହ୍ନଟ କରି ତୁରନ୍ତ ସଙ୍ଗରୋଧରେ ରଖିବା ପାଇଁ କହିଛନ୍ତି । ଜିଲ୍ଲାର ସମସ୍ତ ପ୍ରବେଶ ପଥରେ ତନଖି ଜୋର୍ଦାର୍ ଚାଲିଥିବା ସ୍ଥଳେ ଅନ୍ୟାନ୍ୟ କଚ୍ଚା ସଡ଼କ ଉପରେ ନଜର ରଖିବା ପାଇଁ କୁହାଯାଇଛି । ଯେଉଁ ମାନଙ୍କୁ ନିଜ ଘରେ ସଙ୍ଗରୋଧରେ ରହିବା ପାଇଁ ଅସୁବିଧା ହେଉଛି ସେମାନଙ୍କୁ ଆନୁଷ୍ଠାନିକ ସଙ୍ଗରୋଧରେ ରଖିବା ଲାଗି ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ଜିଲ୍ଲାର ଅତ୍ୟାବଶ୍ୟକ ସାମଗ୍ରୀ କାରବାର ସକାଳ ୭ଟାରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ଚାଲିବ। ମଧ୍ୟାହ୍ନ ୧୨ଟାଠାରୁ ପରଦିନ ସକାଳ ୭ଟା ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ କଟକଣା ବଳବତ୍ତର ରହିବ। ଏ ସମୟ ମଧ୍ୟରେ ବାହାରେ ଦେଖିଲେ ପୁଲିସ୍ ତାଙ୍କୁ ଉଠାଇ ନେଇ ଆନୁଷ୍ଠାନିକ ସଙ୍ଗରୋଧରେ ରଖିବାକୁ ଜିଲ୍ଲାପାଳ କହିଛନ୍ତି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/04/lalmenta.png)