ସରକାରୀ ସହାୟତା ନାଁରେ ଧର୍ମକୁ ଆଖି ଠାର ! ଅର୍ଥ ଅଭାବରେ ହୋଇପାରୁନି ଚିକିତ୍ସା

47

କନକ ବ୍ୟୁରୋ : ଯାହା ପାଇଁ ସରକାରୀ ଯୋଜନା, ସେମାନଙ୍କୁ ମିଳି ପାରୁ ନାହିଁ ସରକାରୀ ସହାୟତା । ଆଉ ମିଳୁଥିବା ସରକାରୀ ସହାୟତା ମଧ୍ୟ ଧର୍ମକୁ ଆଖି ଠାର । ଏହା ଘଟିଛି ମାଲକାନଗିରି ଏମପିଭି ୨୨ଗାଁର ଭବତଷ ହାଲଦାରଙ୍କ କ୍ଷେତ୍ରରେ । ପୁଅର ମୁଣ୍ଡ ବଢୁଥିବାରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି । ଡାକ୍ତର କଟକ ନେବାକୁ କହୁଛନ୍ତି ହେଲେ ଅର୍ଥ ସାଜିଛି ବାଧକ ।

ତିନି ମାସର ଛୋଟ ଶିଶୁ । ଅସ୍ୱାଭାବିକ ଭାବେ ବଢି ଚାଲିଛି ମୁଣ୍ଡ । ଜନ୍ମ ଠାରୁ ଯନ୍ତ୍ରଣାରେ ଛଟପଟ ହେଉଛି ମାଲକାନଗିରି ଜିଲ୍ଲା ଏମ.ପି.ଭି–୨୨ ଗାଁର ଏହି ଶିଶୁ ପୁତ୍ର ବିରାଜ ହାଲଦାର । ଶିଶୁର ମୁଣ୍ଡ ବଢୁଥିବାରୁ କଟକ ଶିଶୁଭବନ ସ୍ଥାନାନ୍ତର କରି୍ଥିଲେ ମାଲକାନଗିରିର ଡାକ୍ତର । ସରକାରୀ ସୁବିଧାର ପ୍ରତିଶ୍ରୁତି ମିଳିଥିଲେ ମଧ୍ୟ ଶିଶୁ ଭବନରେ ଚିକିତ୍ସା ଅବହେଳା ହେଲା । ତେଣୁ ନିଜ ଖର୍ଚ୍ଚରେ ଏକ ନର୍ସିଂ ହୋମରେ ବିରାଜର ଅସ୍ତ୍ରୋପଚାର କରି ଗାଁକୁ ଫେରିଆସିଥିଲେ ବାପା ମାଆ । ହେଲେ ଅସ୍ତ୍ରୋପଚାର ପରେ ମଧ୍ୟ ଶିଶୁର ମୁଣ୍ଡ ବଢୁଛି । ଏଣେ ଅର୍ଥ ଅଭାବରୁ ଥିବାରୁ ଚିନ୍ତାରେ ପଡିଛନ୍ତି ପରିବାର ଲୋକେ । ଅନ୍ୟପଟେ ସରକାରୀ ସହାୟତାରେ କଟକ ପଠାଇବାକୁ ବ୍ୟବସ୍ଥା କରାଯାଉଥିବା କହିଛନ୍ତି ମାଲକାନଗିରି ଏଡିଏମଓ ।

ସେପଟେ ଯାଜପୁର ଜିଲ୍ଲା ବରୀ ମହମ୍ମଦପୁର ଗାଁର ଅମୂଲ୍ୟ ପୋଥାଳଙ୍କ ଦୁଇ ବର୍ଷର ପୁଅର ଅଣ୍ଡକୋଷ ଅସ୍ୱାଭାବିକ ଭାବେ ବଢ଼ିବାରେ ଲାଗିଛି । ଅଭାବ ଅନାଟନ ଯୋଗୁଁ ଛୁଆର ଚିକିତ୍ସା କରି ପାରୁ ନାହାନ୍ତି ପରିବାର ଲୋକ । ପଡୋଶୀଙ୍କ ସାହାଯ୍ୟରେ ଡାକ୍ତରଖାନାକୁ ନେଇ ଦେଖାଇ ଥିଲେ ବି ଅଧିକ ଚିକିତ୍ସା କରିପାରି ନାହାନ୍ତି । ଏନେଇ କନକ ନ୍ୟୁଜ ଟିମ୍ ଜିଲ୍ଳାପାଳଙ୍କ ଦୃଷ୍ଟିଆକର୍ଷଣ କରିବା ପରେ ସେ ସମସ୍ତ ପ୍ରକାର ସହଯୋଗ କରିବାକୁ ପ୍ରତିଶୃତି ଦେଇଛନ୍ତି । ସରକାର ଆର୍ଥିକ ଓ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେଲେ ଗରିବ ପରିବାରରେ ଖୁସି ଫେରି ଆସିବ ।