ସୁରଟରୁ ୪ଟି ବସରେ ଗଞ୍ଜାମରେ ପହଞ୍ଚିଲେ ପ୍ରବାସୀ ଓଡିଆ : ସ୍ୱାସ୍ଥ୍ୟ ପରୀକ୍ଷା ପରେ ନିଆଗଲା ଶେରଗଡ ଓ ଧରାକୋଟ କ୍ୱାରେଂଟିନ ସେଂଟର

857

କନକ ବ୍ୟୁରୋ : ଗଞ୍ଜାମ ଜିଲ୍ଲାକୁ ଫେରିଲେ ସୁରଟରୁ ଆସିଥିବା ପ୍ରବାସୀ ଓଡିଆ ଶ୍ରମିକ । ସୁରଟରୁ ୨୨୮ ପ୍ରବାସୀ ଓଡିଆଙ୍କୁ ନେଇ ଆସିଥିବା ୪ଟି ବସ୍ ବୁଧବାର ରାତିରେ ଜିଲ୍ଲାରେ ପହଁଚିଛି । ପୂର୍ବ ନିଷ୍ପତି ଅନୁସାରେ ୨ଟି ବସ୍ ଶେରଗଡରେ ପହଁଚିଛି । ଅନ୍ୟ ୨ଟି ବସ୍ ଧରାକୋଟ୍ ରେ ପହଁଚିଛି । ଧରାକୋଟ୍ ଓ ଶେରଗଡ ତହସିଲଦାରଙ୍କ ତତ୍ୱାବଧାନରେ ସମସ୍ତ ବସ୍ ମେଡିକାଲ ଯାଂଚ ସ୍ଥଳକୁ ଆସିଛି । ଧରାକୋଟରେ ୧୧୪ ଜଣ ଓ ଶେରଗଡରେ ୧୧୪ ଜଣ ଆଦର୍ଶ ବିଦ୍ୟାଳୟ ପରିସରରେ ରହିବାପାଇଁ ବ୍ୟବସ୍ଥା କରାଯାଇଛି । ସେଠାରେ ଡାକ୍ତରୀ ପରୀକ୍ଷା ପରେ ସମସ୍ତ ପ୍ରବାସୀ ଓଡିଆ ରନ୍ଧା ଖାଦ୍ୟ ଖାଇ ରାତ୍ରି ଯାପନ କରିଛନ୍ତି ।

ସମସ୍ତଙ୍କୁ ଏଠାରେ ୧୪ ଦିନ ପାଇଁ ସଂଗରୋଧରେ ରଖାଯିବ । କ୍ୱାରେଂଟାଇନ୍ ସ୍ଥଳରେ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଏଠାରେ ପ୍ରବାସୀ ଓଡିଆଙ୍କ ରହିବା ଖାଇବା ଠାରୁ ନେଇ ସମସ୍ତ ବ୍ୟବସ୍ଥା ସରକାରଙ୍କ ନିୟମ ମୁତାବକ କରାଯାଇଛି । ଶେରଗଡ ଆଦର୍ଶ ବିଦ୍ୟାଳୟରେ ୨୫ଟି କୋଠରୀରେ ୧୧୪ ଜଣଙ୍କ ରହିବା ପାଇଁ ବ୍ୟବସ୍ଥା ହୋଇଛି । ୬ ଜଣ ମହିଳାଙ୍କ ପାଇଁ ଅଲଗା କୋଠରୀ ବ୍ୟବସ୍ଥା କରାଯାଇଛି । ଧରାକୋଟ ବ୍ଲକ ଆଦର୍ଶ ବିଦ୍ୟାଳୟରେ ୧୦୦ ଶଯ୍ୟା ବିଶିଷ୍ଟ ଛାତ୍ର ନିବାସରେ ସୁରତଫେରନ୍ତା ୧୧୪ ପ୍ରବାସୀ ଓଡିଆଙ୍କୁ ରଖା ଯାଇଛି ।

ସେପଟେ ପୁଣି ଓଡିଶା ଅଭିମୁଖେ ସୁରଟରୁ ବାହାରିଲା ଆଉ ଗୋଟିଏ ବସ୍ । ବୁଧବାର ରାତିରେ ଏହି ବସ୍ ସୁରଟରୁ ଓଡିଶା ଅଭିମୁଖେ ଯାତ୍ରା ଆରମ୍ଭ କରିଛି । ଏନେଇ ଆନୁଷ୍ଠାନିକ ଭାବେ ଅନୁମତି ଦେଇଛନ୍ତି ସୁରଟ ପ୍ରଶାସନ । ଏହି ବସ୍ ଟିରେ ଭଦ୍ରକ ଓ କେନ୍ଦ୍ରାପଡା ଜିଲ୍ଲାର ୫୬ ଜଣ ଯାତ୍ରୀ ଅଛନ୍ତି । ସେହିପରି ଆଜି ସୁରଟରୁ ତିନିଟି ବସ ବାହାରିବ । ଗୋଟିଏ ବସ୍ ଗଂଜାମ , ଦୁଇଟି ଭଦ୍ରକ ଜିଲ୍ଲାର ତିହିଡି ଆସୁଥିବା ଜଣାପଡିଛି । ସୁରଟ ପ୍ରଶାସନର ଚିଠି ଅନୁସାରେ ଗଂଜାମ ଜିଲ୍ଲାର ଗୁଣଗୁଣପୁର ଗାଁ ବୋଲି ଉଲ୍ଲେଖ ରହିଛି । ସେହିପରି ଅନ୍ୟ ଦୁଇଟି ବସ୍ ତିହିଡି ଅନ୍ତର୍ଗତ ଶ୍ୟାମସୁନ୍ଦପୁର ଆସୁଛି । ଏହି ତିନିଟି ବସ୍ରେ ୧୭୧ ଜଣ ପ୍ରବାସୀ ଓଡିଆ ଆସୁଥିବା ସୂଚନା ମିଳିଛି ।