ବିଜେପିରେ ଯୋଗଦେଲେ କୁସୁମ ଟେଟେ ! ଶଙ୍ଖ ଛାଡ଼ିବାର ଦିନକ ପରେ ପଦ୍ମ ଧରିଲେ କୁସୁମ

605

କନକ ବ୍ୟୁରୋ : ବିଜେପିରେ ସାମିଲ ହେଲେ କୁସୁମ ଟେଟେ । ଆଜି ବିଦ୍ଧିବଧ ଭାବେ ଗେରୁଆ ଗଡ଼ରେ ଯୋଗଦେଲେ କୁସୁମ । ଟିକେଟ ଦେଲେନି ବିଜେଡ଼ି ସୁପ୍ରିମୋ, ପଦ୍ମ ପୋଖରୀକୁ ଡେଇଁଲେ କୁସୁମ । ସେହିପର ନୟାଗଡ଼ ଜିଲ୍ଲାର ଦଶପଲ୍ଲା ବିଧାୟକ ପୂର୍ଣ୍ଣଚନ୍ଦ୍ର ନାୟକ ଏବଂ ବାଲେଶ୍ୱର ଜିଲ୍ଲାର ନୀଳଗିରି ବିଧାୟକ ସୁକାନ୍ତ ନାୟକ ମଧ୍ୟ ବିଜେପିରେ ସାମିଲ ହୋଇଛନ୍ତି । ଏହାସହ ବିଜୁ ଜନତା ଦଳ ଛାଡ଼ିଥିବା ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁ ଓ ବିଧାୟକ ଦେବରାଜ ମହାନ୍ତି ବୁଧବାର ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଛନ୍ତି ।  ଏଥି ସହିତ ବହୁ ଜିଲ୍ଲା ପରିଷଦ ସଭ୍ୟ, ସରପଂଚ ପ୍ରାର୍ଥୀ ଓ ସମିତି ସଭ୍ୟ ମଧ୍ୟ ବିଜେପିରେ ଯୋଗ ଦେଇଛନ୍ତି ।

ପଦ୍ମ ଶିବିରରେ କୁସୁମ । ଭୁବନେଶ୍ୱର ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ବିଜେପିରେ ମିଶିଲେ କୁସୁମ । ବିଜେଡି ପ୍ରାର୍ଥୀ ତାଲିକା ଘୋଷଣା ପରେ ଅସନ୍ତୋଷ ପ୍ରକାଶ କରି ବିଜେଡିରୁ ଇସ୍ତଫା ଦେଇଥିଲେ ସୁନ୍ଦରଗଡ଼ ବିଜେଡି ନେତ୍ରୀ କୁସୁମ ଟେଟେ । ବିଜେଡି ପ୍ରାର୍ଥୀ ତାଲିକାରେ ତାଙ୍କୁ ଟିକେଟ୍ ମିଳିନଥିଲା । ଅଥଚ ସୁନ୍ଦରଗଡ଼ ବିଧାନସଭା ବିଜେଡି ପ୍ରାର୍ଥୀ ଭାବେ କଂଗ୍ରେସରୁ ଆସି ବିଜେଡିରେ ଯୋଗଦେଇଥିବା ଯୋଗେଶ ସିଂଙ୍କୁ ଟିକେଟ୍ ଦେବାପରେ କୁସୁମ ଅସନ୍ତୋଷ ପ୍ରକାଶ କରି ବିଜେଡ଼ି ଛାଡ଼ିଥିଲେ । ସୂଚନାଯୋଗ୍ୟ ୨୦୧୪ ସାଧାରଣ ନିର୍ବାଚନରେ ବିଜେଡି ତରଫରୁ ସୁନ୍ଦରଗଡ଼ ବିଧାୟକ ପ୍ରାର୍ଥୀ ହୋଇଥିଲେ କସୁମ । ଆଉ ସେତେବେଳେ ଯୋଗେଶଙ୍କ ଠାରୁ ପରାଜିତ ହୋଇଥିଲେ କୁସୁମ ।