ସେବାର ଦେବତାଙ୍କୁ ଶେଷ ପ୍ରଣାମ : କରୋନା ନେଲା ୨ ଟଙ୍କିଆ ଡାକ୍ତରଙ୍କ ଜୀବନ,କର୍ତ୍ତବ୍ୟକୁ ମୂଳମନ୍ତ୍ର ସଜାଇ ରୋଗୀଙ୍କ ସେବା କରୁ କରୁ ହସି ହସି ଜୀବନ ଦେଇଦେଲେ ଡାକ୍ତର । ପ୍ରିୟ ଡାକ୍ତରଙ୍କ ଅକାଳ ବିୟୋଗରେ ଛାତି ବାଡ଼େଇ କାନ୍ଦୁଛନ୍ତି ରୋଗୀ ।

5,323

କନକ ବ୍ୟୁରୋ : କରୋନା ଯୁଦ୍ଧରେ ଅମର ହୋଇଗଲେ କରୋନା ଯୋଦ୍ଧା । ଲକ୍ଷ ଲକ୍ଷ ଲୋକଙ୍କୁ ଜୀବଦାନ ଦେଇଥିବା ୨ ଟଙ୍କିଆ ଡାକ୍ତରଙ୍କ ଜୀବନ ନେଇଗଲା କରୋନା ଭାଇରସ୍ । ସେବାରେ ସେବାରେ ଚାଲିଗଲା କରୋନା ଯୋଦ୍ଧାଙ୍କ ଜୀବନ । ରୋଗୀଙ୍କ ସଂସ୍ପର୍ଶରେ ଆସିଲେ ଏହି ମାରାତ୍ମକ ରୋଗ ସଂକ୍ରମିତ ହେଉଥିଲେ ହେଁ ସେଥିପ୍ରତି ତାଙ୍କର ତିଳେ ମାତ୍ର ଲକ୍ଷ୍ୟ ନଥିଲା । ସକାଳ ହେଲା ମାତ୍ରେ ବାହାରି ଯାଉଥିଲେ । ଶେଷ ସମୟରେ ବି ନିଜ ଜୀବନ ପ୍ରତି ଭୟ ନଥିଲା । ଅହରହ ଲାଗିଥିଲେ ରୋଗୀ ସେବାରେ । କର୍ତ୍ତବ୍ୟକୁ ମୂଳମନ୍ତ୍ର ସଜାଇ ରୋଗୀ ସେବା କରୁଥିବା ଆନ୍ଧ୍ରପ୍ରଦେଶର ଡାକ୍ତର କେ. ଏମ ଇସ୍ମାଇଲ କରୋନାରେ ସଂକ୍ରମିତ ହୋଇ ପ୍ରାଣ ହରାଇଛନ୍ତି । ତେବେ ତାଙ୍କର ଅକାଳ ବିୟୋଗରେ ଛାତି ବାଡ଼େଇ କାନ୍ଦୁଛନ୍ତି ତାଙ୍କ ଦ୍ୱାରା ଚିକିତ୍ସିତ ହୋଇଥିବା ଲୋକ  ।

କରୋନା ସହ ଯୁଦ୍ଧ କରୁ କରୁ ନିଜକୁ ବଞ୍ଚେଇ ପାରିଲେ ନାହିଁ କରୋନା ଯୋଦ୍ଧା । କରୋନା କୋଳାହଳ ଭିତରେ ରୋଗୀଙ୍କ ପ୍ରିୟ ଲୋକଟି ହଠାତ୍ ନିରବୀଗଲା । ସବୁଠାରୁ ବଡ଼ କଥା ସେ ଦୁନିଆ ଛାଡ଼ିଗଲେ ସିନା, ହେଲେ ଜୀବନର ପ୍ରକୃତ ମୂଲ୍ୟ ବୁଝାଇ ଦେଇଗଲେ । ସେବା କରୁ କରୁ ୨ ଟଙ୍କିଆ ଡାକ୍ତର ରୂପେ ଲୋକପ୍ରିୟ ହୋଇଥିବା ଆନ୍ଧ୍ରପ୍ରଦେଶ କୁରନୁଲର ଡାକ୍ତର କେ.ଏମ ଇସ୍ମାଇଲ ହୁସେନ୍ ଜୀବନ ହାରିଛନ୍ତି । ସୁଲଭ ସ୍ୱାସ୍ଥ୍ୟ ସେବା ସମସ୍ତଙ୍କ ପାଇଁ ଦୂରନ୍ତ ସ୍ୱପ୍ନ ସାଜିଥିବା ବେଳେ ଚେନ୍ନାଇର ୬୭ ବର୍ଷିୟ ଡାକ୍ତର ମାତ୍ର ୨ ଟଙ୍କା ଫି ନେଇ ରୋଗୀ ସେବା କରୁଥିଲେ ।

ଦେଶରେ ସଂକ୍ରମଣ ଭୟ ଭିତରେ ଦିଲ୍ଲୀ ନିଜାମୁଦିନରେ ଆୟୋଜିତ ଧାର୍ମିକ ସଭାରେ ଯୋଗ ଦେଇଥିବା ଲୋକଙ୍କୁ ଚିହ୍ନଟ କରିବାରେ ଡାକ୍ତର ସରକାରଙ୍କୁ ସହାଯ୍ୟ କରୁଥିଲେ । ରୋଗୀ ସେବା କରିବା ସହ ଏପ୍ରିଲ ୧୦ ପର୍ଯ୍ୟନ୍ତ ଘର ଘର ବୁଲି ଜମାତିଙ୍କୁ ଚିହ୍ନଟ କାମରେ ଲାଗିଥିଲେ । କିଛି ଦିନ ପୂର୍ବରୁ ହଠାତ୍ ତାଙ୍କ ସ୍ୱାସ୍ଥ୍ୟବସ୍ଥାରେ ଅବନ୍ନତି ଦେଖାଦେଇଥିଲା । ନିଶ୍ୱାସପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ କରିବାରୁ ତାଙ୍କୁ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା । ମୃତ୍ୟୁ ପରେ ସେ କରୋନାରେ ପୀଡ଼ିତ ଥିଲେ ବୋଲି ରିପୋର୍ଟରେ ସ୍ପଷ୍ଟ ହୋଇଛି ।

ତେବେ ଡାକ୍ତରଙ୍କ ଘରର କିଛି ଲୋକଙ୍କ ମଧ୍ୟ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେ କାମ କରୁଥିବା ହସ୍ପିଟାଲର କର୍ମଚାରୀ ଓ ପରିବାର ଲୋକଙ୍କୁ କ୍ୱାଣେଣ୍ଟିନରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ଡାକ୍ତରଙ୍କ ମୃତ୍ୟୁ ପରେ ତାଙ୍କ ଚାରିଆଡ଼େ ଶୋକାର ଛାୟା । ତାଙ୍କ ଅନ୍ତିମ ସଂସ୍କାରରେ ସାମିଲ ହେବା ପାଇଁ ଲୋକେ ଜିଦ୍ କରୁଥିଲେ ହେଁ କରୋନା କଟକଣା ପାଇଁ ସମସ୍ତଙ୍କୁ ବ । ଗାଇଡ଼ଲାଇନ୍ ମୁତାବକ ମାତ୍ର ୫ରୁ ୬ ଜଣଙ୍କୁ ଅନ୍ତ୍ୟେଷ୍ଟି କ୍ରିୟାରେ ସାମିଲ ହେବା ପାଇଁ ଅନୁମତି ମିଳିଛି । ରୋଗୀଙ୍କ ସୁରକ୍ଷା ପାଇଁ ନିଜ ଜୀବନକୁ ବାଜିରେ ଲଗାଇଥିବା ଡାକ୍ତରଙ୍କ ଅବର୍ତ୍ତମାନରେ ତାଙ୍କର ଜୟଗାନ ହେଉଛି । ଜଣେ ଭଲ ଡାକ୍ତର, ଭଲ ମଣିଷକୁ ଝୁରଛି ସାରା ଦେଶ ।