ଦୃଷ୍ଟି ଆଢ଼ୁଆଳରେ କୋରଡ଼କୋଟ୍ ଜଳପ୍ରପାତ : ଅବସର ବିନୋଦନ ପାଇଁ ପର୍ଯ୍ୟଟକଙ୍କ ଭିଡ଼ ଜମୁଛି, ହେଲେ ବିକାଶ ନେଇ ପ୍ରଶାସନର ଆନ୍ତରିକତା ନାହିଁ

317

କନକ ବ୍ୟୁରୋ : ପ୍ରକୃତିର ଅନନ୍ୟ ଉପହାର କୋରଡ଼କୋଟ୍ ଜଳପ୍ରପାତ । ସୁରମ୍ୟ ଶୋଭାରାଜିରେ ଭରପୁର ସମ୍ଭାର ଏହି ଜଳପ୍ରପାତ । କେଉଁଠି ଡିକେ ସାଉଣ୍ଡ ତ ଅନ୍ୟ କେଉଁଠି ଭୋଜିଭାତର ପରସା । କେବଳ ଏତିକି ନୁହେଁ ଜଳପ୍ରପାତରେ ସେଲଫୀର ମଜା ବି ଖୁବ୍ ଉଠାଉଛନ୍ତି ପର୍ଯ୍ୟଟକ । ଦେବଗଡ ଜିଲ୍ଲାର ଗୌରବ ବହନ କରୁଥିବା ଏହି ସୁପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ, ବିଶାଳ ପାହାଡ, ଶାଳବଣ ପରିବେଷ୍ଟିତ ଜଙ୍ଗଲ ତଥା ମନୋରମ ପରିବେଶ ମଧ୍ୟରେ ଅବସ୍ଥିତ । ଶୀତ ଋତୁ ଆରମ୍ଭ ହୋଇଯାଇଥିବା ବେଳେ ପ୍ରାକୃତିକ ସୌନ୍ଦର୍ଯ୍ୟ ଉପଭୋଗ କରିବା ପାଇଁ ପ୍ରତିଦିନ ଏଠାକୁ ଶହ ଶହ ପର୍ଯ୍ୟଟକ ଆସୁଛନ୍ତି ।

ପିକନିକ୍ ଯିବା ପାଇଁ ଭାବୁଛନ୍ତି କି ? ବ୍ୟସ୍ତବହୁଳ ଜୀବନରୁ କିଛି ସମୟ କାଢି ବନ୍ଧୁ ଓ ପ୍ରିୟଜନଙ୍କ ସହ ବଣଭୋଜି କରିବାକୁ ଇଚ୍ଛା କରୁଛନ୍ତି କି ? ପ୍ରକୃତି କୋଳରେ ନିଜକୁ ହଜେଇ ଦେବାକୁ ଚାହୁଁଛନ୍ତି କି? ତେବେ ଆସନ୍ତୁ ବୁଲି ଯିବା ଦେବଗଡର ଐତିହାସିକ, ଜଳପ୍ରପାତ କୋରଡ଼କୋଟ୍ । ଦେବଗଡ ସହରରୁ ମାତ୍ର ଅଢେଇ କିଲୋମିଟର ଦୂର ଉତର ପଶ୍ଚିମ ଦିଗରେ ରହିଛି ଏହି ଜଳପ୍ରପତା । ୭୦ ଫୁଟ ଉଚ୍ଚରୁ ପର୍ବତ ଶିଖରରୁ ଝରଝର ହୋଇ ଝରିଆସୁଥିବା ଚଂଚଳା ଝରଣାର ଶୀତଳ ଜଳରାଶୀ ପର୍ଯ୍ୟଟକଙ୍କ ଦେହ ଓ ମନକୁ ଓଦା କରୁଛି ।

କୋରଡ଼କୋଟ୍ ଜଳପ୍ରପାତ ବହୁ ଐତିହାସିକ ଗୈାରବ ବହନ କରେ । କୁହାଯାଏ, ୧୯୧୬ ମସିହାରେ ବିନୋଦ ରାଜା ସଚ୍ଚିଦାନନ୍ଦ ତ୍ରିଭୁନ ଦେବ ଏହି ଜଳ ପ୍ରପାତର ଜଳକୁ ବ୍ୟବହାର କରି ବିଦ୍ୟୁତ ଉତ୍ପାଦନ କରିଥିଲେ । ଆଉ ସେହି ବିଜୁଳି ଆଲୁଅ ରାଜ ପରିବାର ସହ, ଡାକ୍ତରଖାନ, ଥାନା, ଜେଲର ଅନ୍ଧାର ଦୂର କରୁଥିଲା । ପର୍ଯ୍ୟଟନ ଋତୁ କୁହାଯାଉଥିବା ନଭେମ୍ବର-ଫେବୃୟାରୀରେ ଏହି ଐତିହାସିକ ପର୍ଯ୍ୟଟନ ସ୍ଥଳୀରେ ହଜାର ହଜାର ପର୍ଯ୍ୟଟକ ଭିଡ ଲାଗେ ।

୧. କୋରଡ଼କୋଟ୍ ଜଳପ୍ରପାତରେ ପହଚିଂବାକୁ ହେଲେ ଦେବଗଡ ସହର ଠାରୁ ଅଢେଇ କିଲୋମିଟର ଦୂର ଯିବାକୁ ପଡିବ ।

୨. ଟ୍ରେନରେ ଆସିଲେ ୯୦ କିଲୋମିଟର ଦୂର ସମ୍ବଲପୁରରୁ ଆସିବାକୁ ପଡିବ ।

୩. ପ୍ରତି ଅଧ ଘଂଟାରେ ବସର ସୁବିଧା ଅଛି ।

୪. ରହିବା ପାଇଁ ସରକାରୀ ପାନ୍ଥ ନିବାସ ତଥା ବେସରକାରୀ ରହଣୀସ୍ଥଳ ରହିଛି ।

କୋରଡ଼କୋଟ୍କୁ ପର୍ଯ୍ୟଟକଙ୍କ ସଂଖ୍ୟା ବଢୁଥିଲେ ସୁଦ୍ଧା ଏହାର ବିକାଶ ଦିଗରେ ଉଭୟ ଜିଲ୍ଲା ଓ ରାଜ୍ୟ ସରକାର ଅଣଦେଖା କରୁଥିବା କୁହାଯାଉଛି । ଏଠାରେ ପାନୀୟ ଜଳର ସୁବିଧା, ଅଧିକ ପାନ୍ଥ ନିବାସ, ସ୍ୱଚ୍ଛତା ଓ ସୌନ୍ଦର୍ଯ୍ୟକରଣ ଉପରେ ଗୁରୁତ୍ୱ ଦିଆଗଲେ ଦେଶ ବିଦେଶରେ ଏହି ସୁନ୍ଦର ସ୍ଥାନର ଖ୍ୟାତି ଆହୁରୀ ବଢନ୍ତା ବୋଲି ମତ ଦିଅନ୍ତି ପର୍ଯ୍ୟଟକ ।