ବାଘ ଧରିବାକୁ ଆସିଲା ହାତୀ : ବାଘୁଣୀକୁ ଧରିବାକୁ ସାତକୋଶିଆରେ ପହଁଚିଲା କୁମକି ହାତୀ ଯଶୋଦା

ହାତୀ ପିଠିରେ ବସି ସୁନ୍ଦରୀକୁ ଠାବ କରିବା ସହ ଟ୍ରାଙ୍କୁଲାଇଜ୍ କରିବେ ବିଶେଷଜ୍ଞ ଦଳ

140

କନକ ବ୍ୟୁରୋ : ସାତକୋଶିଆରେ ବାଘୁଣୀ ସୁନ୍ଦରୀକୁ ଧରିବାକୁ ପହଁଚିଛି କୁମକି ହାତୀ ଯଶୋଦା । ସୁନ୍ଦରୀକୁ ଧରିବାକୁ ବନବିଭାଗ ନୟାନ୍ତ ହେବା ପରେ ଯଶୋଦାର ସହାୟତା ନେଇଛିି ବନବିଭାଗ । ୧୦ଦିନ ଧରି ଝାଳନାଳ ବୁହାଇବା ପରେ ଶେଷରେ କୁମକି ହାତୀର ସହାୟତା ନେଇଛି । ପ୍ରଥମରୁ ଖାଲି ହାତରେ ସୁନ୍ଦରୀକୁ ଧରିବା ପାଇଁ ଉଦ୍ୟମ କରିଥିଲେ ଟ୍ରାଙ୍କୁଲାଇଜ୍ ଟିମ୍ । ହେଲେ ଏଥିରେ ବାରମ୍ବାର ଫେଲ ମାରିବା ପରେ ବିଭାଗ ପକ୍ଷରୁ ଶିମିଳିପାଳରୁ କୁମକି ହାତୀ ରାଜକୁମାରୀକୁ ଆଣିବାକୁ ଯୋଜନା କରାଯାଇଥିଲା । ହେଲେ ସେଥିରେ ବିଫଳ ହେବାରୁ ଶେଷରେ ଚନ୍ଦକା ଅଭୟାରଣ୍ୟରେ ଥିବା ତାଲିମପ୍ରାପ୍ତ ହାତୀ ଯଶୋଦାକୁ ସାତକୋଶିଆକୁ ନିଆଯାଇଛି ।

ସ୍ୱତନ୍ତ୍ର ଟ୍ରକ ଯୋଗେ ୪ଜଣ ମାହୁନ୍ତ ଓ ବନ କର୍ମଚାରୀଙ୍କ ସହ ଚନ୍ଦକାରୁ ଯାଇଥିଲଶ ହାତୀ । ବାନ୍ଧବଗଡରୁ ଆସିଥିବା ସ୍ୱତନ୍ତ୍ର ଟିମ ଯଶୋଦା ସହାୟତାରେ ବାଘକୁ ଟ୍ରାଙ୍କୁଲାଇଜ କରିବେ । ହାତୀର ସହାୟତା ନେଇ ବାଘକୁ ଟ୍ରାଙ୍କୁଲାଇଜ କରିବାର ନଜିର ରହିଛି । ଏହି ହାତୀ ପୂର୍ବରୁ ଅନେକ ଥର ବଣୁଆ ହାତୀଙ୍କୁ ରୋକିବାରେ ସକ୍ଷମ ହୋଇଛି । ଏଥର ବାଘୁଣୀକୁ ମଧ୍ୟ ସେ ଠାବ କରିବା ସହ ରୋକି ପାରିବ ବୋଲି ବନ ବିଭାଗ ଆଶା ରଖିଛି । ହାତୀ ପିଠିରୁ ବିଶେଷଜ୍ଞ ଦଳ ବାଘୁଣୀକୁ ଟ୍ରାଙ୍କୁଲାଇଜ୍ କରିବାର ଯୋଜନା ରଖିଛନ୍ତି ।