କୁଚିଣ୍ଡା ବଡ଼ବାହାଲ ଗାଁରେ ଯୁଆଡ଼େ ଦେଖିବ ଲିଚୁ ଗଛ : ପେନ୍ଥା ପେନ୍ଥା ଲାଲ୍ ଲାଲ୍ ଲିଚୁରେ ଭର୍ତ୍ତି, ଚଳିତ ବର୍ଷ ବେପାର ଭଲ ଜମିବ ବୋଲି ଗ୍ରାମବାସୀ ଆଶାବାଦୀ

642

କନକ ବ୍ୟୁରୋ : ଖରାଦିନେ ଲିଚୁ ଖାଇବାର ମଜା କିଛି ଅଲଗା । ଦେଖିବାକୁ ଯେମିତି ରଙ୍ଗୀନ, ସ୍ୱାଦ ବି ବେଶ୍ ସେମିତି ମିଠା । ସମ୍ବଲପୁର ଜିଲ୍ଲାର କୁଚିଣ୍ଡାର ବଡବାହାଲ ଗାଁ ଅଂଚଳରେ ଏହି ଲିଚୁ ଲୋକଙ୍କର ଜୀବନ ଜୀବିକା । ପ୍ରାୟ ଅଢେଇ ଶହ ପରିବାର ଏହି ଚାଷ ଉପରେ ନିର୍ଭର କରି ପରିବାର ଚଳାଇଥାନ୍ତି । ଚଳିତ ବର୍ଷ ଭଲ ଲିଚୁ ହୋଇଥିବାରୁ ବେପାର ବେଶ୍ ଜମିବ ବୋଲି ସଭିଏଁ ଆଶାବାଦୀ ଅଛନ୍ତି ।

ଲିଚୁ ଚାଷ ପାଇଁ ବେଶ୍ ପରିଚିତ ସଂବଲପୁର ଜିଲ୍ଲାର କୁଚିଣ୍ଡା ବ୍ଲକର ବଡବାହାଲ ଅଂଚଳ । ଯୁଆଡେ ଦେଖିବେ ଲିଚୁ ଗଛ, ଆଉ ଗଛରେ ଭର୍ତ୍ତି ପେନ୍ଥା ପେନ୍ଥା ଲାଲ୍ ଲାଲ୍ ଲିଚୁ । ଏହି ଲିଚୁ ଚାଷ ଏହି ଅଂଚଳକୁ ଦେଇଛି ଖାସ୍ ପରିଚୟ । କାରଣ ଏଠାକାର ପ୍ରାୟ ୨୫୦ ପରିବାର ଆପଣାଇଛନ୍ତି ଲିଚୁ ଚାଷକୁ । ବେଶ୍ ଭଲ ଦି ପଇସା ବି ଏଥିରୁ ରୋଜଗାର କରିଥାନ୍ତି ସଭିଏଁ । ଚଳିତ ବର୍ଷ ଲିଚୁ ଚାଷ ବେଶ୍ ଭଲ ହୋଇଥିବାରୁ ବେପାର ଭଲ ହେବା ନେଇ ସଭିଏଁ ଆଶା ରଖିଛନ୍ତି ।

ପଶ୍ଚିମଓଡିଶାର ଅନ୍ୟତମ ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ଗୁଦଗୁଦା ପାଦ ଦେଶରେ ଅବସ୍ଥିତ ଏହି ବଡବାହାଲ ଗାଁ । ଏଠାକାର ଲୋକେ ଝରଣାର ପାଣିକୁ ବ୍ୟବହାର କରି ଲିଚୁ ଚାଷ କରିଥାନ୍ତି । ଏଠାକାର ଉପଯୁକ୍ତ ଜଳବାୟୁ ଓ ପରିବେଶ ଲିଚୁ ଚାଷ ପାଇଁ ବି ବେଶ୍ ସୁହାଉଛି । କିଛି ଲୋକ ଲିଜ୍ ସୂତ୍ରରେ ଜାଗା ନେଇ ଚାଷ କରୁଛନ୍ତି । ଏହି ଅଂଚଳରୁ ଲିଚୁ ଅମଳ ପରେ ସମ୍ବଲପୁର , ରାଉଲକେଲା, କଟକ, ଭୁବନେଶ୍ୱର , ଝାରସୁଗୁଡା ,ସୁନ୍ଦରଗଡ ଇତ୍ୟାଦି ଅଂଚଳ ତଥା ରାଜ୍ୟ ବାହାରକୁ ବି ଯାଇଥାଏ ।

ଲିଚୁ ଅମଳ ପରେ ଏଠାରୁ ରାଜ୍ୟ ତଥା ରାଜ୍ୟ ବାହାରକୁ ଯାଇଥାଏ ଲିଚୁ । ଏଠାକାର ଲିଚୁର ବିଶେଷତ୍ୱ ହେଉଛି , ଏଥିରେ କେହି ରଂଗ ବ୍ୟବହାର କରନ୍ତିନି । ସେଥିପାଇଁ ସଭିଏଁ ଏହି ଅଂଚଳର ଲିଚୁ କିଣିବାକୁ ପସନ୍ତ କରିଥାନ୍ତି । ଖରାଦିନେ ଅନେକ ଏହି ଲିଚୁ ବଗିଚା ବୁଲିବାକୁ ବି ଆସିଥାନ୍ତି ।