କୃତ୍ତିକା ମୃତ୍ୟୁର ‘ବିଷ’ କାହାଣୀ : ପୋଷ୍ଟମର୍ଟମ ରିପୋର୍ଟରେ ଚାଞ୍ଚଲ୍ୟକର ତଥ୍ୟ, ମୃତ୍ୟୁ ପୂର୍ବରୁ ଛାତ୍ରୀଙ୍କ ଦେହରେ ଥିଲା ବିଷ!

2,864

କନକ ବ୍ୟୁରୋ : ଭୁବନେଶ୍ୱରର ଏକ ଆପାର୍ଟମେଣ୍ଟରୁ ତଳେପଡ଼ି ନାବାଳିକା କୃତିକା ମିଶ୍ରଙ୍କ ମୃତ୍ୟୁ ଘଟଣା ଆହୁରି ରହସ୍ୟ ଭିତରକୁ ଠେଲି ହୋଇଯାଇଛି । ପୋଷ୍ଟମର୍ଟମ ରିପୋର୍ଟ କହୁଛି, ମୃତ୍ୟୁ ପୂର୍ବରୁ କୃତିକାଙ୍କ ଦେହରେ ବିଷାକ୍ତ ପଦାର୍ଥ ରହିଥିଲା । ପ୍ରଶ୍ନ ଉଠୁଛି, ତାଙ୍କ ଦେହରେ ବିଷ କେମିତି ଆସିଲା । ସେ ନିଜେ ବିଷ ଖାଇ ଛାତ ଉପରକୁ ଯାଇଥିଲେ ନା ଆଉ କେଉଁ ପରିସ୍ଥିତିରେ ବିଷ ଆସିଲା, ତାକୁ ନେଇ ପୋଲିସ ତନାଘନା ଚଳାଇଛି । ତେବେ ବିଷ ସମ୍ପର୍କରେ ଅଧିକ ଜାଣିବା ପାଇଁ ଭିସେରା ରିପୋର୍ଟକୁ ଅପେକ୍ଷା କରିଛି ପୋଲିସ ।

ବଡ଼ କଥା ହେଉଛି ମୃତ୍ୟୁ ପୂର୍ବରୁ ଇନଷ୍ଟାଗ୍ରାମରେ କୃତିକା କରିଥିବା ପୋଷ୍ଟ ମୃତ୍ୟୁ ପଛର ଅନେକ ଦିଗକୁ ଇସାରା କରୁଥିଲା ।
କୃତିକା ଲେଖିଥିଲେ- ବାଏ ବାଏ ପିପୁଲ ଅର୍ଥାତ୍ ସମସ୍ତଙ୍କୁ ବିଦାୟ
ଜଣେ ବନ୍ଧୁ ପଚାରିଥିଲେ- କୁଆଡ଼େ ଯାଉଛ?
କୃତିକା ଲେଖିଥିଲେ-ନର୍କ ନହେଲେ ସ୍ୱର୍ଗ !
ପୁଣି ବନ୍ଧୁ ପଚାରିଥିଲେ- ମୋତେ ବି ସାଙ୍ଗରେ ନେଇଯାଅ
କୃତିକା ଉତ୍ତରରେ ଲେଖିଥିଲେ- ତମକୁ ସାଙ୍ଗରେ ନେବି ନା ନାହିଁ କାଲି ତୁମେ ନିଶ୍ଚିତ ହୋଇଯିବ

ଆଉ ପରଦିନ ସାମ୍ନାକୁ ଆସିଥିଲା ଏଭଳି ଏକ ଚିତ୍ର । ଯେଉଁଥିରେ ଭୁବନେଶ୍ୱରର ଗୀତାଞ୍ଜଳୀ ଆପାର୍ଟମେଣ୍ଟ ତଳେ ପଡ଼ି ରହିଥିଲା ୧୪ ବର୍ଷିୟା କୃତିକା ମିଶ୍ରଙ୍କ ମୃତଦେହ ।

ମୃତ୍ୟୁ ପୂର୍ବରୁ ସାମ୍ନାକୁ ଆସିଥିବା ଇନଷ୍ଟାଗ୍ରାମ ପୋଷ୍ଟ ଏବଂ ମୃତ୍ୟୁ ପରେ ମିଳିଥିବା ପୋଷ୍ଟମର୍ଟମ୍ ରିପୋର୍ଟ ଦୁଇଟି ଯାକ ଘଟଣା, ଏକ ଭିନ୍ନ ଦିଗକୁ ଇସାରା କରୁଛି । ଯାହା ପୁଲିସକୁ ଚ୍ୟାଲେଞ୍ଜ କରୁଛି । କାରଣ ପ୍ରଥମରୁ କୃତିକା ମୃତ୍ୟୁ ଘଟଣାକୁ ଏକ ଅପମୃତ୍ୟୁ ମାମଲା ଭାବେ ଗ୍ରହଣ କରି ତଦନ୍ତ ଆରମ୍ଭ କରିଥିଲା ପୁଲିସ୍ ।

କୃତିକା ପଢୁଥିବା ସ୍କୁଲରେ ଏବେ ପରୀକ୍ଷା ଚାଲିଛି, ହେଲେ କୃତିକା ବସିବାକୁ ଥିବା ସ୍ଥାନ ଖାଲି ପଡ଼ିଛି । ଟେବୁଲ୍ ଉପରେ ଲେଖା ରହିଛି- ଇଏଟ୍-ଏ- ୨୩, ହୁଏତ ଯାହା କୃତିକାଙ୍କ ରୋଲ୍ ନମ୍ବର । ହେଲେ ପରୀକ୍ଷା ଦେବା ପୁର୍ବରୁ କୃତିକା ଏଇ ଦୁନିଆ ଛାଡ଼ି ଚାଲିଯାଇଛନ୍ତି । ଆଉ ଏସବୁ ଭିତରେ ସ୍ପଷ୍ଟ ହେବାକୁ ବାଛି ରହିଛି ମୃତ୍ୟୁର କାରଣ ଆତ୍ମହତ୍ୟା ନା’ ଆଉ କିଛି?