ଗୁଲଜାରଙ୍କ ଡକ୍ୟୁମେଣ୍ଟାରୀରେ ପଦ୍ମଶ୍ରୀ ହଳଧର ନାଗ : କୋଶଳୀ ଭାଷାକୁ ସଞ୍ଜିବନୀ ଦେଇଥିବା କବିପ୍ରାଣଙ୍କ କବିତା ଓ ଜୀବନଶେଳୀକୁ ନେଇ ୭ ମିନିଟ ୪୯ ସେକେଣ୍ଡର ବୃତଚିତ୍ର ପ୍ରସ୍ତୁତ କଲେ ବିଶିଷ୍ଟ ଗୀତିକାର

468

କନକ ବ୍ୟୁରୋ :  ବିଶିଷ୍ଟ ଗୀତିକାର ଗୁଲଜାରଙ୍କ ଡକ୍ୟୁମେଂଟାରୀରେ ପଦ୍ମଶ୍ରୀ ହଳଧର ନାଗ  । କୋଶଳୀ କବି ହଳଧର ନାଗଙ୍କୁ ନେଇ ଜାତୀୟ ସ୍ତରରେ ପୁଣି ଚର୍ଚ୍ଚା  । ସମ୍ବଲପୁରର ଅମୃତ ସନ୍ତାନ ତଥା ଓଡ଼ିଶାର ଗୌରବଙ୍କୁ ନେଇ ଡକ୍ୟୁମେଂଟାରୀ ପ୍ରସ୍ତୁତ କରିଛନ୍ତି ବର୍ଷିଆନ୍ ସାହିତ୍ୟିକ, ବିଶିଷ୍ଟ ଗୀତିକାର  ତଥା ଖ୍ୟାତନାମା ଚଳଚ୍ଚିତ୍ର ନିର୍ଦ୍ଦେଶକ ଗୁଲଜାର୍ ଗୁଲଜାର୍ । କୋଶଳୀ ଭାଷାକୁ ସଞ୍ଜିବନୀ ଦେଇଥିବା କବିପ୍ରାଣ ହଳଧରଙ୍କ କବିତା ଓ  ତାଙ୍କ ଜୀବନଶୈଳୀକୁ ନେଇ ୭ମିନିଟ ୪୯ ସେକେଣ୍ଡର ଏକ ଡକ୍ୟୁମେଂଟାରୀ ପ୍ରସ୍ତୁତ ହୋଇଛି  । ଭାରତବାଲା ପ୍ରସ୍ତୁତ ‘ଭର୍ଚୁଆଲ ଭାରତ’ର ଏହି ଡକ୍ୟୁମେଂଟାରୀରେ ରହିଛି ହଳଧର ନାଗଙ୍କ ଦୁଇ କାଳଜୟୀ କବିତା ‘ଚିଠି ଦେଉଛେଁର ହଲଧର’ ଓ ‘କବିର କଲମ ଗାଁରୁ’ ସ୍ଥାନ ପାଇଛି ।

ଗୁଲଜାରଙ୍କ ଡକ୍ୟୁମେଣ୍ଟାରୀରେ  ହଳଧର ନାଗ । ପଖାଳ କଂସାରୁ ପଦ୍ମଶ୍ରୀ ପାଇବାର ସଂଘର୍ଷ କିଛି କମ୍ ନଥିଲା । ବରଗଡ଼ ଜିଲ୍ଲାରେ ଜନ୍ମିତ ଏହି କବି ୧୯୯୦ ମସିହାରୁ କବିତା ଲେଖିବା ଆରମ୍ଭ କରି ଏବେ ପର୍ଯ୍ୟନ୍ତ କବିତା ଲେଖା  ଜାରି ରଖିଛନ୍ତି ।  ଲୋକକବି ହଳଧର ନାଗଙ୍କ ଶିକ୍ଷାଗତ ଯୋଗ୍ୟତା ଖୁବ୍ କମ୍ । ତୃତୀୟ ଶ୍ରେଣୀ ପରେ ତାଙ୍କ ବହିବସ୍ତାନୀରେ ଡୋର ବନ୍ଧା ହୋଇଥିଲା । ପିଲାଟି ଦିନରୁ ଏହି କବିଙ୍କର ଆର୍ଥିକ ଅବସ୍ଥା ତାଙ୍କୁ ଆଗକୁ ପଢ଼ାଇବାରେ ବାଧକ ସାଜିଥିଲେ ବି ତାଙ୍କ କବିତା ଲେଖିବାର ପ୍ରବଳ ଇଚ୍ଛା ତାଙ୍କୁ ହରାଇପାରି ନଥିଲା । ୨୦୧୬ରେ ପଦ୍ମଶୀ ଉପାଧିରେ ଭୂଷିତ ହେବାପରେ ହଠାତ୍ ଜାତୀୟ ସ୍ତରରେ ଖୁବ ପରିଚିତି ଦେଇଥିଲା ।  ଦାରିଦ୍ର‌୍ୟର ଅସହ୍ୟ ତାଡନା ସତ୍ୱେ ସମାଜର ଅସମାନତା ବିରୋଧରେ ବିଦ୍ରୋହ ନକରି ହଳଧର ତାଙ୍କ କବିତାରେ ଯେଉଁ ବିଶ୍ୱ ଭାତୃତ୍ୱର ବାର୍ତ୍ତା ଦେଇଛନ୍ତି ତାକୁ ଡକ୍ୟୁମେଂଟାରୀ ଜରିଆରେ ପ୍ରଶଂସା କରିଛନ୍ତି ଗୁଲଜାର । ହଳଧରଙ୍କ କବିତାକୁ ପ୍ରାମାଣିକ ଚିତ୍ରରେ ଉତଥାପନ କରି ନିଜେ ଗୁଲଜାର ତାଙ୍କୁ ଚିଠି ଲେଖିଥିବା ଦର୍ଶାଇଛନ୍ତି ।

ଗତ ୧୭ ତାରିଖରେ ଏହି ଡକ୍ୟୁମେଂଟାରୀର କର୍ଟନରେଜର ୟୁଟ୍ୟୁବରେ ଆସିଥିବାବେଳେ ପୁରା ଭିଡିଓ ସୋମବାର ଅପଲୋଡ ହୋଇଛି । ସାମାଜିକ ଗଣମାଧ୍ୟମରେ ଏହି ଭିଡିଓ ଭାଇରାଲ ହେଉଛି । ମାତ୍ର କିଛି ଘଂଟା ଭିତରେ ଏହାକୁ ହଜାର ହଜାର ଲୋକ ଦେଖିଛନ୍ତି ।