ହଜିବନି ଓଡ଼ିଆ ଭାଷା ! ଓଡିଆରେ ନାମଫଳକ ଲେଖିବା ନେଇ ରାଜ୍ୟ ସରକାରଙ୍କ ନିଷ୍ପତ୍ତିକୁ କାର୍ଯ୍ୟକାରୀ କରିବାରେ ପ୍ରଥମ ଜିଲ୍ଲା କୋରାପୁଟ

44

କନକ ବ୍ୟୁରୋ : ଓଡ଼ିଆରେ ନାମ ଫଳକ ଲେଖିବା ପାଇଁ ରାଜ୍ୟ ସରକାରଙ୍କ ନିଷ୍ପତିକୁ କାର୍ଯ୍ୟକାରୀ କରିବାକୁ ପ୍ରଥମ ଜିଲ୍ଲା ଭାବେ ଆଗେଇ ଆସିଛି କୋରାପୁଟ । ଓଡ଼ିଆରେ ଫଳକ ଲେଖିବା ପାଇଁ ସମୟ ଧାର୍ଯ୍ୟ କରିଛନ୍ତି ଜିଲ୍ଳାପାଳ । ମେ’ ୧୫ ତାରିଖ ସୁଦ୍ଧା ଏହାକୁ କାର୍ଯ୍ୟକାରୀ ନକଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାଇ ଦେଇଛି ଜିଲ୍ଲା ପ୍ରଶାସନ । ପ୍ରଶାସନର ଏଭଳି ନିଷ୍ପତିକୁ ସ୍ୱାଗତ କରିଛନ୍ତି ଜିଲ୍ଳାବାସୀ ।

ଓଡ଼ିଆରେ ଫଳକ ଲେଖିବା ପାଇଁ ଆଗେଇ ଆସିଛି କୋରାପୁଟ । ମେ’ ମାସ ୧୫ ତାରିଖ ସୁଦ୍ଧା ଓଡ଼ିଆରେ ଫଳକ ଲେଖା ନ ହେଲେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ । ଓଡ଼ିଆରେ ଭଲ ଭାବେ ଫଳକ ଲେଖାନହେଲେ ଗଣିବାକୁ ପଡିବ ଅର୍ଥତଣ୍ଡ । ଏକ ଉଚ୍ଚସ୍ତୀରୟ ବୈଠକରେ ବିଭିନ୍ନ ସଂଗଠନ, ବ୍ୟବସାୟୀ ସଂଘ, ଚାମ୍ବର ଅଫ୍ କମର୍ସ, ସରକାରୀ ଅଧିକାରୀଙ୍କୁ ଚରମବାଣୀ ଶୁଣାଇ ଦେଇଛନ୍ତି କୋରାପୁଟ ଜିଲ୍ଳାପାଳ । ପ୍ରଥମେ ଓଡ଼ିଆ ଭାଷା ଓ ପରେ ଅନ୍ୟ ଭାଷା ଲେଖାଯିବା ନେଇ ଦିଆଯାଇଛି ନିର୍ଦ୍ଦେଶ ।

ଓଡ଼ିଆ ଭାଷା ଧିରେ ଧିରେ ହଜିଯାଉଥିବା ବେଳେ ଏହାକୁ ପ୍ରାଥମିକତା ଦେବା ପାଇଁ ଦାବି କରି ଆସୁଥିଲେ ବିଭିନ୍ନ ସଂଗଠନ । ବିଶେଷ କରି ଓଡ଼ିଆରେ ନାମଫଳକ ଓ ସରକାରୀ କାର୍ଯ୍ୟରେ ଓଡ଼ିଆ ଭାଷାର ବ୍ୟବହାର ନେଇ ରାଜ୍ୟ ସରକାର ନିଷ୍ପତି ନେଇଛନ୍ତି । ଏହାକୁ କଡ଼ାକଡ଼ି କାର୍ଯ୍ୟକାରୀ କରିବାକୁ ପ୍ରଥମେ କୋରାପୁଟ ଜିଲ୍ଲା ପ୍ରଶାସନ ବିଧିବଦ୍ଧ ନିର୍ଦ୍ଦେଶନାମା ଜାରି କରିଛି । ଜିଲ୍ଲା ପ୍ରଶାସନର ଏପରି କାର୍ଯ୍ୟକୁ ସ୍ୱାଗତ କରିଛନ୍ତି ଜିଲ୍ଲାବାସୀ ।