ଆଇପିଏଲରୁ ବିଦାହେଲା ରାଜସ୍ଥାନ ରୟାଲ୍ସ ! ଏଲିମିନେଟର ମ୍ୟାଚକୁ ୨୫ ରନରେ ଜିତିନେଲା କୋଲକାତା ନାଇଟ୍ ରାଇଡର୍ସ

35

କନକ ବ୍ୟୁରୋ : ରାଜସ୍ଥାନକୁ ହରାଇଲା କୋଲକାତା । ଆଇପିଏଲର ଏଲିମିନେଟର ମ୍ୟାଚରେ ରାଜସ୍ଥାନ ରୟାଲ୍ସକୁ ୨୫ ରନରେ ହରାଇ ଦେଇଛି କୋଲକାତା ନାଇଟ୍ ରାଇଡର୍ସ । ଇଡେନ୍ ଗାର୍ଡେନରେ ଖେଳାଯାଇଥିବା ଏହି ମ୍ୟାଚରେ ରାଜସ୍ଥାନ ଟସ୍ ଜିତି ପ୍ରଥମେ ଫିଲ୍ଡିଂ ନିଷ୍ପତି ନେଇଥିଲା । ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୭ ୱିକେଟ୍ ହରାଇ ୧୬୯ ରନ୍ କରିଥିଲା କୋଲକାତା । କୋଲକାତାର ଓପନର ମାନେ ବିଫଳ ହୋଇଥିବା ବେଳେ ଦିନେଶ କାର୍ତିକ ୩୫ ବଲ୍ ଖେଳି ସର୍ବାଧିକ ୫୨ ରନ୍ କରିଥିଲେ । ତେବେ ଆନ୍ଦ୍ରେ ରସେଲ ୨୫ ବଲରୁ ଧୁଆଁଧାର ୪୯ ରନର ଇନିଂସ ଖେଳିଥିଲେ ।

୧୭୦ ରନର ବିଜୟ ଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଇଥିବା ରାଜସ୍ଥାନର ଆରମ୍ଭ ଭଲ ହୋଇଥିଲା । ଅଧିନାୟକ ଅଜିଙ୍କ୍ୟା ରାହାଣେ ୪୧ ବଲ୍ ଖେଳି ୪୬ ରନ୍ କରିଥିବା ବେଳେ ରାହୁଲ ତ୍ରିପାଠୀ ୧୩ ବଲରୁ ୨୦ ରନ୍ କରିଥିଲେ । ପରେ ସଞ୍ଜୁ ସାମସନ୍ ୩୮ ବଲରୁ ୫୦ ରନ୍ କରିଥିଲେ ବି ଦଳକୁ ବିଜୟୀ କରାଇବାକୁ ଏହା ଯଥେଷ୍ଟ ନଥିଲା । ନିର୍ଦ୍ଧାରିତ ଓଭରରେ ୪ ୱିକେଟ୍ ହରାଇ ୧୪୪ ରନ୍ କରିବାକୁ ସକ୍ଷମ ହୋଇଥିଲା ରାଜସ୍ଥାନ । ପ୍ରଥମ କ୍ୱାଲିଫାୟର ମ୍ୟାଚରେ ପରାସ୍ତ ହୋଇଥିବା ସନରାଇଜର୍ସ ହାଇଦ୍ରାବାଦକୁ ଭେଟିବ କୋଲକାତା । ଏହି ମ୍ୟାଚରେ ବିଜୟୀ ଦଳ ଫାଇନାଲରେ ଚେନ୍ନାଇ ସୁପର କିଙ୍ଗସକୁ ଭେଟିବ ।