ଝାରସୁଗୁଡାରେ ପୁଣି ଗର୍ଜିଲା ବନ୍ଧୁକ : ଦୁର୍ଦ୍ଦାନ୍ତ ମଣ୍ଟୁକୁ ଘୋଷକୁ ଗୁଳି କରି ହତ୍ୟା କଲେ ଦୁଇ ଦୁର୍ବୃତ୍ତ, ପୂର୍ବ ଶତ୍ରୁତାକୁ ନେଇ ଗୁଳିକାଣ୍ଡ ହୋଇଥିବା ସନ୍ଦେହ କରୁଛି ପୁଲିସ

305

କନକ ବ୍ୟୁରୋ : ଝାରସଗୁଡା ବ୍ରଜରାଜ ନଗରରେ ଗୁଳିକାଣ୍ଡ । ଦୁର୍ବୃତ୍ତଙ୍କ ଗୁଳି ମାଡରେ ଘଟଣାସ୍ଥଳରେ ଟଳି ପଡିଥିଲେ ଯୁବକ । ମୃତକଙ୍କ ନାମ ମଂଟୁ ଘୋଷ ବୋଲି ସୂଚନା ମିଳିଛି । ମୃତ ମଂଟୁ ଘୋଷ ଏକ ଅପରାଧୀ ଶ୍ରେଣୀର ଯୁବକ ଓ ତା ନାମରେ ବିଭିନ୍ନ ଥାନାରେ ଅପରାଧିକ ମାମଲା ଥିବା ପୁଲିସ ସୂଚନା ଦେଇଛି । ମଙ୍ଗଳବାର ବ୍ରଜରାଜନଗରର ଏକ ହୋଟେଲରେ ଜଳଖିଆ ଖାଇ ମଂଟୁ ଟଙ୍କା ଦେବା ବେଳେ ଦୁଇ ଦୁର୍ବୃତ୍ତ ଆସି ୨ ରାଉଣ୍ଡ ଗୁଳି ମାଡ କରିଥିଲେ ।

ଗୁଳିମାଡ ପରେ କିଛି ସମୟ ଛଟପଟ ହୋଇ ଜଳଖିଆ ଦୋକାନ ଆଗରେ ମଂଟୁ ଘୋଷର ମୃତ୍ୟୁ ହୋଇଯାଇଥିଲା । ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି । ପୂର୍ବ ଶତ୍ରୁତାକୁ ନେଇ ଏହି ଗୁଳିକାଣ୍ଡ ହୋଇଥିବା ପୁଲିସ ଅନୁମାନ କରୁଛି । ଗୁଳି ମାଡ କରିଥିବା ଦୁଇ ଅଭିଯୁକ୍ତଙ୍କୁ ଧରିବା ପାଇଁ ସହରର ବିଭିନ୍ନ ସ୍ଥାନରେ ନାକାବନ୍ଦୀ କରି ତଲାସୀ ଜାରି ରଖିଛି ପୁଲିସ । ଗତ ଜୁନ ମାସରେ ବ୍ରଜରାଜନଗରରେ ହୋଇଥିବା ଅମିତ ଧଳ ହତ୍ୟାକାଣ୍ଡ ସହ ଏହି ଗୁଳିକାଣ୍ଡର ସଂପର୍କ ଥିବା ସନ୍ଦେହ କରାଯାଉଛି ।

ଅମିତ ଧଳ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ସୋନୁ ଘୋଷ ଗିରଫ ହୋଇ ଏବେ ଝାରସୁଗୁଡା ଜେଲରେ ଅଛି । ସେହିପରି ମଂଟୁ ଘୋଷ ନାମରେ ମଧ୍ୟ ବହୁ ଅପରାଧିକ ମାମଲା ଥିବା ପୁଲିସ ସୂଚନା ଦେଇଛି ।