ପାଟକୁରାରେ ବିଜେଡ଼ିର ବିଜୟ ନିଶ୍ଚିତ : ଜିଲ୍ଲା ସଭାପତି କହିଲେ, ୨୦ରୁ ୩୦ ହଜାର ଭୋଟ ବ୍ୟବଧାନରେ ଜିତିବାକୁ ଟାର୍ଗେଟ

279

କନକ ବ୍ୟୁରୋ : ପାଟକୁରା ଆସନ ହାତେଇବ ବିଜେଡ଼ି । ଆସନ୍ତା ୨୦ରେ ପାଟକୁରାର ହେବାକୁ ଥିବା ନିର୍ବାଚନରେ ବିଜେଡ଼ିର ବିଜୟ ନିଶ୍ଚିତ ବୋଲି ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି ବିଜେଡ଼ି ଜିଲ୍ଲା ସଭାପତି । ପାଟକୁରା ଆସନ ହାତେଇବା ପାଇଁ ରାଜ୍ୟର ପ୍ରମୁଖ ଦଳ ଗୁଡ଼ିକ ମଧ୍ୟରେ ଛକାପଞ୍ଝା ଜାରି ରହିଛି । ହେଲେ ବିଜେଡ଼ି ପୁଣି ଥରେ ପାଟକୁରା ଜିତିବ ବୋଲି କହିଛନ୍ତି କିଶୋର ତରାଇ ।  କେନ୍ଦ୍ରାପଡା ଜିଲ୍ଲା ବିଜେଡି ସଭାପତି କିଶୋର ତରାଇ କହିଛନ୍ତି, ୩୦ ରୁ ୪୦ ହଜାର ଭୋଟରେ ଜିିତିବା ପାଇଁ ବିଜେଡ଼ି ଟାର୍ଗେଟ କରିଛି । ୨୦୧୪ ନିର୍ବାଚନରେ ବିଜେଡ଼ି ପ୍ରାର୍ଥୀ ସ୍ୱର୍ଗତ ବେଦପ୍ରକାଶ ଅଗ୍ରୱାଲ ପାଖାପାଖି ୪୦ ହଜାର ଭୋଟ ବ୍ୟବଧାନରେ ନିକଟତମ ପ୍ରତିଦ୍ୱନ୍ଦୀକୁ ହରାଇ ନିର୍ବାଚନ ଜିତିଥିଲେ । ଆଉ ଏଥର ବି ପାଟକୁରାରେ ସମାନ ସ୍ଥିତି ଦେଖିବା ପାଇଁ ମିଳିବ ।

ପାଟକୁରାରେ ବିଜେଡ଼ି ହାୱା ବହୁଛି । ସେହି ଅନୁସାରେ ବିଜେଡି କାମ କରୁଛି ଓ ଲୋକଙ୍କୁ ତୃଣମୂଳ ସ୍ତରରେ ସଂଗଠିତ କରିବା ପାଇଁ ମଧ୍ୟ ପ୍ରୟାସ ହେଉଛି । ନବୀନଙ୍କ ସ୍ୱଚ୍ଛ ଶାସନ କାଳରେ ପାଟକୁରା ଅଂଚଳର ବିଭିନ୍ନ ସମସ୍ୟା ଦୂର ହୋଇଛି । ପାନୀୟ ଜଳ ଠାରୁ ରାସ୍ତାଘାଟ ଆଦି ସମସ୍ୟା ନବୀନ ସରକାରରେ ଦୂର ହୋଇପାରିଛି । ବିଜେଡ଼ିର ବିଜେପି ସହ କୌଣସି ପ୍ରତିଯୋଗିତା ନାହିଁ । ପାଟକୁରା କେବଳ ବିଜେଡ଼ି ହାତକୁ ଆସିବ । ବିଜୟ ମହାପାତ୍ରଙ୍କ ପରି ପୁରୁଖା ତଥା ଟାଣୁଆ ନେତା ପ୍ରାର୍ଥୀ ଥିଲେ ମଧ୍ୟ କୌଣସି ପ୍ରଭାବ ପଡ଼ିବ ନାହିଁ ବୋଲି କହିଛନ୍ତି କିଶୋର ତରାଇ ।

ସେପଟେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ପାଟକୁରା ନିର୍ବାଚନ ନେଇ ଦାୟିତ୍ୱରେ ଥିବା ନେତାଙ୍କ ସହ ଆଲୋଚନା କରିବା ସହ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରିଛନ୍ତି । ଦୁଇ ଦୁଇ ଥର ନିର୍ବାଚନ ସ୍ଥଗିତ ରହିବା ପରେ ପାଟକୁରା ବିଧାନସଭା ପାଇଁ ୨୦ ତାରିଖରେ ନିର୍ବାଚନ ହେବ । ୨୪ ତାରିଖରେ ଫଳାଫଳ ଆସିବ । ଏଠାରେ ବିଜେଡି-ବିଜେପି ମଧ୍ୟରେ ସିଧାସଳଖ ଲଢେଇ ହେଉଛି । ବିଜେପିରୁ ବିଜୟ ମହାପାତ୍ର ପ୍ରାର୍ଥୀ ହୋଇଥିବାବେଳେ ବିଜେଡିରୁ ସାବିତ୍ରୀ ଅଗ୍ରୱାଲ ପ୍ରାର୍ଥୀ ହୋଇଛନ୍ତି । ଏହି ନିର୍ବାଚନ ବିଜେଡି ଓ ବିଜେପି ବିଶେଷକରି ବିଜୟ ମହାପାତ୍ରଙ୍କ ପାଇଁ ସମ୍ମାନର ପ୍ରଶ୍ନ ପାଲଟିଛି । ପାଟକୁରା ପାଇଁ ଏପ୍ରିଲ ୨୯ରେ ନିର୍ବାଚନ ହେବାର ଥିଲା । କିନ୍ତୁ ବିଜେଡି ପ୍ରାର୍ଥୀ ବେଦପ୍ରକାଶ ଅଗ୍ରୱାଲଙ୍କ ପରଲୋକ ଯୋଗୁଁ ନିର୍ବାଚନକୁ ମେ ୧୯ ଯାଏଁ ଘୁଂଚାଯାଇଥିଲା । କିନ୍ତୁ ଫୋନି ଯୋଗୁଁ ଏହାକୁ ସ୍ଥଗିତ ରଖାଯାଇଥିଲା ।