କରୋନା ମୁକାବିଲା ପାଇଁ କିମ୍ସ ପ୍ରସ୍ତୁତ । କାର୍ଯ୍ୟକ୍ଷମ ହେଲା କିମ୍ସ କୋଭିଡ୍ ହସ୍ପିଟାଲ୍ । ହସ୍ପିଟାଲରେ ୧୪ କରୋନା ରୋଗୀ ଚିକିତ୍ସାଧିନ

819

କନକ ବ୍ୟୁରୋ : କରୋନା ମୁକାବିଲା ପାଇଁ ପ୍ରସ୍ତୁତ କିମ୍ସ କୋଭିଡ଼୍ ହସ୍ପିଟାଲ୍ । କଟକର ଏସସିବି ଓ ଅଶ୍ବିନୀ ହସ୍ପିଟାଲ୍ ପରେ ରାଜ୍ୟର ଆଉ ଦୁଇଟି କୋଭିଡ୍ ହସ୍ପିଟାଲ୍ କାର୍ଯ୍ୟକ୍ଷମ ହୋଇଛି । ରାଉରକେଲାରେ ଥିବା ହାଇଟେକ୍ କୋଭିଡ୍ ହସ୍ପିଟାଲ୍ ଏବଂ ଭୁବନେଶ୍ୱରର କିମ୍ସ ହସ୍ପିଟାଲରେ କୋଭିଡ୍ ହସ୍ପିଟାଲ୍ କାର୍ଯ୍ୟକ୍ଷମ ହୋଇଥିବା ଜଣାଯାଇଛି । କିମ୍ସ ହସ୍ପିଟାଲରେ ୧୪ କରୋନା ରୋଗୀ ଚିକିତ୍ସାଧୀନ ଥିବାର ସୂଚନା ମିଳିଛି।

ସେପଟେ ଏବେ କଟକର ଅଶ୍ବିନୀ ହସ୍ପିଟାଲରେ ୧୯ଜଣ କରୋନା ଆକ୍ରାନ୍ତଙ୍କ ଚିକିତ୍ସା ଜାରି ରହିଛି । ଅନ୍ୟପଟେ ଏସ୍ସିବିରେ କରୋନା ପରୀକ୍ଷା ଲାଗି ଗତକାଲି ୨୮ଟି ନମୁନା ସଂଗ୍ରହ କରାଯାଇଥିଲା । ପୂର୍ବ ଦିନ ହୋଇଥିବା ସମସ୍ତ ନମୁନାର ପରୀକ୍ଷା ରିପୋର୍ଟ ନେଗେଟିଭ ଆସିଥିଲା ।

ସେପଟେ ଭୁବନେଶ୍ୱରରେ କରୋନା ସ୍ଥିତି ନେଇ ଆତଙ୍କିତ ନହେବାକୁ ସରକାରଙ୍କ ପରାମର୍ଶ । ଟୁଇଟ୍ କରି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି ରାଜ୍ୟରେ କରୋନା ଭୂତାଣୁରେ ଏବେ ସୁଧା ୩୯ ଜଣ ଆକ୍ରାନ୍ତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କେବଳ ଭୁବନେଶ୍ୱରରେ ୩୨ ଜଣ ରହିଛନ୍ତି । ତେବେ ଆଶ୍ୱସ୍ତିର କଥା ହେଉଛି ୩୨ ଜଣଙ୍କ ମଧ୍ୟରୁ ଅଧିକାଂଶ ଆକ୍ରାନ୍ତ ବମିଖାଲ ଓ ସର୍ଯ୍ୟନଗର ଅଂଚଳର ବୋଲି ସରକାରଙ୍କ ପକ୍ଷରୁ ଟୁଇଟ୍ କରି ସୂଚନା ଦିଆଯାଇଛି । ବମିଖାଲ ଅଂଚଳର ଚିହ୍ନଟ ହୋଇଥିବା ଆକ୍ରାନ୍ତମାନେ ଗୋଟିଏ ପରିବାରର ବୋଲି ଟୁଇଟରେ ସୂଚନା ଦିଆଯାଇଛି । ଏସବୁ ଅଂଚଳକୁ ସିଲ୍ କରାଯାଇଛି । ତେଣୁ ଲୋକମାନଙ୍କୁ ଆତଙ୍କିତ ନହେବାକୁ କୁହାଯାଇଛି ।