ମୋମୋ ନେଲା ଜୀବନ : ଭୁବନେଶ୍ୱରରୁ ଯାଇ ଚେନ୍ନାଇରେ ଆତ୍ମହତ୍ୟା କଲେ ରାଉରକେଲାର ଇଂଜିନିୟରିଂ ଛାତ୍ର

59

କନକ ବ୍ୟୁରୋ : ବ୍ଲୁ ହ୍ୱେଲ ପରେ ଏବେ ବିପଦଜନକ ଖେଳ ମୋମୋ ଯୁବପୀଢ଼ିଙ୍କ ପାଇଁ ନେଇଆସିଛି ମୃତ୍ୟୁର ଘଂଟି । ମୋମୋ ଚ୍ୟାଲେଞ୍ଜ ନେଉଛି ଯୁବପୀଢ଼ିଙ୍କ ଜୀବନ । ଏଭଳି ଏକ ଘଟଣା ସାମ୍ନାକୁ ଆସୁଛି ରାଉରକେଲାରୁ । ମୋମୋ ଭଳି ସାଂଘାତିକ ଖେଳ ଖେଳି ରାଉରକେଲା ସହରର ରେଲୱେ କଲୋନୀ ଅଂଚଳର ଛାତ୍ର ଚେତନ କୁମାରଙ୍କ ଜୀବନ ଯାଇଛି । ଚେତନ ନିଜ ମୋବାଇଲରେ ମୋମୋ ଖେଳକୁ ଡାଉନଲୋଡ କରି ଖେଳିବା ଆରମ୍ଭ କରିଥିଲେ । ଏହି ଖେଳ ତାଙ୍କୁ ଏତେ ପାଗଳ କରିଥିଲା ଯେ ସେ ଭୁବନେଶ୍ୱରରୁ ଚେନ୍ନାଇ ଯାଇ ୬ ମହଲା କୋଠାରୁ ଡେଇଁ ଆତ୍ମହତ୍ୟା କରିଛନ୍ତି ।

image courtesy – www.singaporewishesh.com

ଖବର ଅନୁସାରେ, ଚେତନ ରାଜଧାନୀର ଏକ ଘରୋଇ ଇଞ୍ଜିନିୟର କଲେଜରେ ପଢୁଥିଲେ । ଗତ ୨୨ ତାରିଖରେ ଚେତନଙ୍କ ରାଉରକେଲା ଘରକୁ ଚେନ୍ନାଇ ପୋଲିସର ଫୋନ ଆସିଥିଲା । ଏହା ପରେ ଚେତନଙ୍କ ବାପା ଓ ଭାଇ ଚେନ୍ନାଇ ଯାଇଥିଲେ । ଚେନ୍ନାଇ ପୋଲିସର କହିବା ଅନୁସାରେ, ମୋମୋ ଚ୍ୟାଲେଞ୍ଜ ଖେଳି ଚେତନଙ୍କ ଜୀବନ ଯାଇଛି । ୨୦ ତାରିଖ ସନ୍ଧ୍ୟାରେ ଚେତନ ଭୁବନେଶ୍ୱରରୁ ଟ୍ରେନରେ ଚେନ୍ନାଇ ଯାଇଥିଲେ । ଚେନ୍ନାଇ ସେଂଟ୍ରାଲ ଷ୍ଟେସନ ପାଖରେ ରହିଛି ସାତ ମହଲା ବିଶିଷ୍ଟ ରାଜୀବ ଗାନ୍ଧି ମୋମୋରିଆଲ ହସ୍ପିଟାଲ । ତାଙ୍କ ଟାର୍ଗେଟ ଥିଲା ଏହି କୋଠାରୁ ଡେଇଁ ଆତ୍ମହତ୍ୟା କରିବା । ଏଥିପାଇଁ ଚେତନ ଚେନ୍ନାଇ ସେଂଟ୍ରାଲରେ ଗୋଟିଏ ରାତି ବି ବିତାଇଥିବା ଜଣାଯାଇଛି । ଗୁରୁତର ଅବସ୍ଥାରେ ଚେତନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ପରେ ସେଠାରେ ଚେତନର ମୃତ୍ୟୁ ହୋଇଥିଲା । ଚେତନର ମୋବାଇଲକୁ ଲ୍ୟାପଟପ ସହ ସଂଯୋଗ କରିବା ପରେ ଚେନ୍ନାଇ ପୋଲିସ ସମସ୍ତ ତଥ୍ୟ ପାଇଥିବା ଦାବି କରିଛି ।