ଟ୍ୱିଟରରେ ୧୦ ଲକ୍ଷ ଅନୁଗାମୀଙ୍କ ସହ ଡିଜିଟାଲ ପ୍ଲାଟଫର୍ମରେ ନବୀନ ନେତା ନମ୍ବର ୱାନ୍ । ରାଜ୍ୟ ନେତାଙ୍କ ଠାରୁ ଢେର ଆଗରେ ମୁଖ୍ୟମନ୍ତ୍ରୀ । ସାରା ଦେଶରେ ୧୦ ଲକ୍ଷ ସଂଖ୍ୟା ଅତିକ୍ରମ କରିଥିବା ମୁଖ୍ୟମନ୍ତ୍ରୀଙ୍କ ତାଲିକାରେ ନବୀନ ୧୦ମ ସ୍ଥାନରେ ଅଛନ୍ତି । ୨ ବର୍ଷ ଭିତରେ ସମସ୍ତଙ୍କୁ ପଛରେ ପକାଇ ନବୀନ ନୁଆ ଟ୍ରେଣ୍ଡ ସ୍ଥାପନ କରିଛନ୍ତି ।

Advertisment

୨୦୧୪ ନିର୍ବାଚନରେ ସଫଳତାର ଫର୍ମୁଲା ଓଡିଶାକୁ ଏଂଟ୍ରୀ କଲା ୨୦୧୫ରେ । ଯେତେବେଳେ ପ୍ରଥମ ଥର ପାଇଁ ନବୀନ ମାଇକ୍ରୋ ବ୍ଲଗିଂ ସାଇଟକୁ ଆସିଥିଲେ । ମିଡିଆ ଠାରୁ ଦୁରରେ ରହୁଥିବା, ବହୁତ କମ କଥା କହୁଥିବା ତଥା ବିରୋଧୀଙ୍କ ଅଭିଯୋଗ ଅନୁସାରେ ଲୋକଙ୍କ ଠାରୁ ଦୁରେଇ ରହୁଥିବା ନବୀନ କିଭଳି ଆସିଲେ ସୋସିଆଲ ନେଟୱାର୍କକୁ?
publive-imageସେପଟେମ୍ବର ୨୦୧୫ରେ ପ୍ରଥମେ ଟ୍ୱିଟର ଜରିଆରେ ସୋସିଆଲ ନେଟୱାର୍କିଂ ସାଇଟକୁ ପ୍ରବେଶ କରିଥିଲେ ନବୀନ । ପ୍ରଥମ ଟ୍ୱିଟ୍ ଥିଲା ଜୟ ଜଗନ୍ନାଥ । ଏହି ସମୟ ବେଳକୁ ଟ୍ୱିଟରରେ ନବୀନଙ୍କ ନାଁରେ ଅନେକ ଫେକ୍ ଆକାଉଂଟ ଖୋଲିଥିଲା । ହେଲେ ଏସମସ୍ତ ଚର୍ଚ୍ଚାର ଅବସାନ ଘଟାଇଥିଲା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ । ଆଉ ଜଣାଇଥିଲା, ଟ୍ୱିଟରରେ ନବୀନ ପଟ୍ଟନାୟକ ଆକାଉଂଟ ଖୋଲିଛନ୍ତି । ଆଉ ଠିକ୍ ୨ ବର୍ଷ ପରେ ୧୦ ଲକ୍ଷ ଅନୁଗାମୀଙ୍କ ସହ ସୋସିଆଲ ମିଡିଆରେ ନିଜ ପ୍ରତିଦ୍ୱନ୍ଦ୍ୱୀଙ୍କ ଠାରୁ ଢେର ଆଗରେ ନବୀନ ପଟ୍ଟନାୟକ ।
ହେଲେ ରାସ୍ତା ଏତେ ସହଜ ନଥିଲା । ଏହା ପଛରେ କାମ କରିଥିଲା ଜଣେ ବ୍ୟକ୍ତିଙ୍କ ଅଭିଜ୍ଞତା । ନବୀନଙ୍କୁ ଡିଜିଟାଲ ପ୍ଲାଟଫର୍ମକୁ ଆଣିବା ଉଦ୍ୟମ ପଛର ଉଦ୍ଦେଶ୍ୟ ଥିଲା ପ୍ରଶାସନକୁ ଅଧିକ କ୍ରିୟାଶୀଳ କରିବା । କାରଣ, ଧୀରେ ଧୀରେ ଡିଜିଟାଲ ପ୍ଲାଟଫର୍ମର ଗ୍ରହଣୀୟତା ସବୁ ସ୍ତରରେ ବଢୁଥିଲା । ଖାସ କରି ୨୦୧୪ ନିର୍ବାଚନରେ ଯେତେବେଳେ ବିଜେପି ସଂଖ୍ୟା ଗରିଷ୍ଠତା ହାସଲ କଲା ତାହା ପଛରେ ଥିଲା ସୋସିଆଲ ମିଡିଆର ସବୁଠାରୁ ବଡ ଅବଦାନ । ଆଉ ଏହାର ପାଖାପାଖି ବର୍ଷକ ପରେ ନବୀନ ଆସିଥିଲେ ଟ୍ୱିଟରକୁ ।
publive-imageନବୀନଙ୍କୁ ଡିଜିଟାଲ ପ୍ଲାଟଫର୍ମରେ ଅଗ୍ରଣୀ କରାଇବା ପଛରେ ରହିଛି ସୁଜିତ୍ କୁମାରଙ୍କ ହାତ । ଏବେ ରାଜ୍ୟ ଯୋଜନା ବୋର୍ଡରେ ଓଏସଡି କମ୍ ସ୍ପେଶାଲ ସେକ୍ରେଟାରୀ ଭାବେ କାର୍ଯ୍ୟରତ ଅଛନ୍ତି ସୁଜିତ କୁମାର । ନବୀନଙ୍କୁ ସୋସିଆଲ ମିଡିଆରେ ଅଧିକ କ୍ରିୟାଶୀଳ କରାଇବାର ଗୁରୁ ଦାୟିତ୍ୱ ଥିଲା ତାଙ୍କ ଉପରେ । ଖାଲି ଏତିକି ନୁହେଁ, ସୋସିଆଲ ମିଡିଆ ସହ ପ୍ରଶାସନକୁ ଯୋଡିବାରେ ମଧ୍ୟ ତାଙ୍କ ଭୁମିକା ଗୁରୁତ୍ୱପୁର୍ଣ୍ଣ । ଗୋଟିଏ ସମୟ ଥିଲା ଯେତେବେଳେ ବିରୋଧୀ ଅଭିଯୋଗ କରିଥିଲେ, ସାମାଜିକ ସ୍ତରରେ ନବୀନ ଲୋକଙ୍କ ଠାରୁ ଦୁରରେ । ନବୀନଙ୍କ ଏହି ନକରାତ୍ମକ ଭାବମୁର୍ତ୍ତିକୁ ଦୁରେଇବାକୁ ଦାୟିତ୍ୱ ମିଳିଥିଲା ସୁଜିତ କୁମାରଙ୍କୁ । ନିଜର ଏକ ଛୋଟ ଟିମ୍ ନେଇ କାମ ଆରମ୍ଭ କରିଥିବା ସୁଜିତ, ଆଜି ନବୀନଙ୍କୁ ୧ ନମ୍ବର ସ୍ଥାନରେ ପହଂଚାଇ ପାରିଛନ୍ତି ।
ନଜର ପକାନ୍ତୁ ସୁଜିତ କୁମାରଙ୍କ କ୍ୟାରିୟର୍ ଉପରେ । ଏବେ ସେ ରାଜ୍ୟ ଯୋଜନା ବୋର୍ଡରେ କାର୍ଯ୍ୟରତ ଅଛନ୍ତି । ଯୋଜନା କଣ ପ୍ରଣୟନ କରାଯିବ, କିଭଳି ତାକୁ ସଫଳତାର ସହ ରୁପାୟନ କରାଯିବ ତାର ଗୁରୁ ଦାୟିତ୍ୱ ସୁଜିତଙ୍କ ଉପରେ । ପଲିସି ପ୍ଲାନିଂରେ ତାଙ୍କ ଭୁମିକା ମଧ୍ୟ ବେଶ ଗୁରୁତ୍ୱପୁର୍ଣ୍ଣ । ସଂଯୁକ୍ତ ରାଷ୍ଟ୍ର ବିକାଶ କାର୍ଯ୍ୟକ୍ରମ ୟୁଏନଡିପିରେ କାମ କରିବାର ଅଭିଜ୍ଞତା ରଖିଛନ୍ତି ସୁଜିତ୍ । ଅକ୍ସଫୋର୍ଡରେ ଏମବିଏ ସାରିବା ପରେ ୱାର୍ଲଡ ଇକୋନୋମିକ ଫୋରମରେ ଗ୍ଲୋବାଲ ଲିଡରଶିପ ଫେଲା ଭାବେ ଯୋଗ ଦେଇଥିଲେ । ହାୱାର୍ଡ ୟୁନିଭର୍ସିଟିର କେନେଡୀ ସ୍କୁଲ(ଏଚକେଏସ)ରେ ଅଧ୍ୟୟନ ପାଇଁ ୱାର୍ଲଡ ଇକୋନୋମିକ ଫୋରମ ଛାଡିଥିଲେ । କନସଲଟିଂ ଫାର୍ମ ଲେକ୍ସମନ୍ତ୍ରାର ଫାଉଣ୍ଡର ମେଂଟର ଥିବା ସୁଜିତ୍ କୁମାର, କଳିଙ୍ଗ କୁସୁମର ମଧ୍ୟ ଅଧ୍ୟକ୍ଷ ଅଛନ୍ତି । କଳାହାଣ୍ଡିରେ ସ୍କୁଲ ଓ କଲେଜ ଶିକ୍ଷା ପରେ ବୁର୍ଲାରେ ଇଂଜିନିୟରିଂ ସାରିଥିଲେ ସୁଜିତ । ଏହାପରେ ତାଙ୍କ କ୍ୟାରିୟରରେ ଯୋଡି ହୋଇଥିଲା ଅକ୍ସଫୋର୍ଡ ଓ ହାଭାର୍ଡ ଭଳି କଲେଜର ନାଁ ।
ସୁଜିତ କୁମାରଙ୍କ ଉଦ୍ୟମ ବଳରେ ନବୀନ ଯେ ଖାଲି ଟ୍ୱିଟରରେ ଯୋଗ ଦେଇଛନ୍ତି ତାହା ନୁହେଁ ବରଂ ସାମାଜିକ ସ୍ତରରେ ନବୀନଙ୍କ ଭାବମୁର୍ତ୍ତିକୁ ବଦଳାଇବାରେ ମଧ୍ୟ ସେ ସମର୍ଥ ହୋଇଛନ୍ତି ।


ଖାସ କରି ପଂଚାୟତ ନିର୍ବାଚନରେ ବିଜେପିର ଜୋରଦାର ପ୍ରଦର୍ଶନ ପରେ ନବୀନଙ୍କୁ ସେ ଆହୁରି ଲୋକଙ୍କ ପାଖରେ ପହଂଚାଇ ପାରିଛନ୍ତି । ନବୀନ ସେଲଫି ନେବାଠାରୁ ଆରମ୍ଭ କରି ପ୍ରସଙ୍ଗ ଭିତ୍ତିରେ କରୁଥିବା ଟ୍ୱିଟ ପଛରେ ମଧ୍ୟ ସୁଜିତ କୁମାରଙ୍କ ସୁଚିନ୍ତିତ ରଣନୀତି ରହିଛି ।
ସେହିଭଳି ସୋସିଆଲ ମିଡିଆର ଗ୍ରହଣୀୟତା ରାଜ୍ୟ ପ୍ରଶାସନିକ ସ୍ତରରେ ମଧ୍ୟ ବଢିଛି । ସବୁ ବିଭାଗ ସୋସିଆଲ ମିଡିଆରେ ଆକଉଂଟ ଖୋଲିଛନ୍ତି । ରାଜ୍ୟ ସରକାରଙ୍କ ଯୋଜନା, ଉପଲବ୍ଧି ଓ ଲୋକଙ୍କ ସମସ୍ୟା ସମାଧାନର ଏକ ବଡ ଉତ୍ସ ପାଲଟିଛି ସୋସିଆଲ ମିଡିଆ । ଖାସ କରି ଫେସବୁକ ଓ ଟ୍ୱିଟରରେ ଆକାଉଂଟ ଖୋଲିବା, ସମସ୍ୟାର ସମାଧାନ କରିବାର ସଂଖ୍ୟା ମଧ୍ୟ ବଢିଛି । ନିକଟରେ ରାଜ୍ୟରେ ଦେଖାଦେଇଥିବା ବନ୍ୟା ସଂକଟ ସମୟରେ ସ୍ୱତନ୍ତ୍ର ରିଲିଫ କମିଶନର ନିଜ ଫେସବୁକ ଆଉ ଟ୍ୱିଟର ଆକାଉଂଟକୁ ଯେଉଁଭଳି ତଥ୍ୟ ଆଦାନ ପ୍ରଦାନର ମାଧ୍ୟମ ଭାବେ ଗ୍ରହଣ କଲେ ତାକୁ ବହୁତ ପ୍ରଶଂସା ମଧ୍ୟ କରାଗଲା ।

ପ୍ରତିଦିନ ପୋଲିସ ନିକଟକୁ ଶହଶହ ସଂଖ୍ୟାରେ ଆସୁଥିବା ଅଭିଯୋଗକୁ ମଧ୍ୟ ସମାଧାନ କରାଯାଉଛି । ମୋଟାମୋଟି ଭାବେ କହିବାକୁ ଗଲେ ସୋସିଆଲ ମିଡିଆର ସଂପୁର୍ଣ୍ଣ ବ୍ୟବହାର ଓଡିଶାରେ ଧୀରେ ଧୀରେ ଦେଖିବାକୁ ମିଳୁଛି ।

ଏବେ ନଜର ପକାନ୍ତୁ ତୁଳନାତ୍ମକ ଚିତ୍ର ଉପରେ । ସୋସିଆଲ ମିଡିଆରେ ଆଜିର ଦିନରେ ଶେହେନସା ବନିଛନ୍ତି ନବୀନ ପଟ୍ଟନାୟକ । ୧୦ ଲକ୍ଷ ଫଲୋଅରଙ୍କ ସହ ନବୀନ ପଟ୍ଟନାୟକ ସମସ୍ତଙ୍କ ଠାରୁ ଆଗରେ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅନୁଗାମୀ ସଂଖ୍ୟା ୫ ଲକ୍ଷ ୮୫ ହଜାର ହୋଇଥିବା ବେଳେ ବୈଜୟନ୍ତ ପଣ୍ଡାଙ୍କର ଅନୁଗାମୀ ସଂଖ୍ୟା ୩ ଲକ୍ଷ ୧୦ ହଜାର ।publive-imagepublive-image

ସାରା ଦେଶରେ ମୁଖ୍ୟମନ୍ତ୍ରୀମାନଙ୍କ ମିଲିୟନ ଫଲୋଅର ତାଲିକାର ୧୦ ନମ୍ବର ସ୍ଥାନରେ ରହିଛନ୍ତି ନବୀନ । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କର ୧୨ ମିଲିୟନ ଫଲୋଅର ଥିବା ବେଳେ ମନୋହର ପାରିକଙ୍କର ୪.୨ ମିଲିୟନ୍, ଶିବରାଜ ସିଂ ଚୈାହ୍ୱାନ ୩.୫ ମିଲିୟନ୍, ଚନ୍ଦ୍ରବାବୁ ନାଇଡୁଙ୍କର ୨.୭ ମିଲିୟନ୍, ଦେବେନ୍ଦ୍ର ଫଡନାଭିସଙ୍କର ୨.୨ ମିଲିୟନ୍, ବସୁନ୍ଧରା ରାଜେଙ୍କର ୨ ମିଲିୟନ୍, ନୀତିଶ କୁମାରଙ୍କ ୧.୯ ମିଲିୟନ୍, ରମଣ ସିଂଙ୍କର ୧.୨ ମିଲିୟନ୍, ଯୋଗୀ ଆଦିତ୍ୟନାଥଙ୍କର ୧ ମିଲିୟନ ଫଲୋଅର ଅଛନ୍ତି ।
ତେବେ ନବୀନଙ୍କର ଫଲୋଅରଙ୍କୁ ନେଇ ବିବାଦ ମଧ୍ୟ ଜୋର ଧରିଥିଲା ।(ନବୀନଙ୍କ ଟ୍ୱିଟର୍ ଅନୁଗାମୀ ଫେକ୍ !) ଅଗଷ୍ଟ ୨୦୧୭ରେ ନବୀନଙ୍କ ଟ୍ୱିଟର ଅନୁଗାମୀ ସଂଖ୍ୟା ୫ ଲକ୍ଷ ଅତିକ୍ରମ କରିବା ପରେ ଏହାକୁ ନେଇ ଆପତ୍ତି ଉଠାଇଥିଲା ବିଜେପି । କହିଥିଲା ରୋବୋଟ ଦ୍ୱାରା ଆଇଡି ଜେନେରେଟ କରାଯାଇ ନବୀନଙ୍କ ଅନୁଗାମୀ ସଂଖ୍ୟା ବଢାଇଯାଇଛି । ଦଳ କହିଥିଲା ଚଂଚକତା କରି ନବୀନଙ୍କ ଫଲୋଅର ସଂଖ୍ୟା ବଢାଯାଇଥିଲା ହେଲେ ଏନଗେଜମେଂଟ ରେଟ ଖୁବ କମ ବୋଲି ଦଳ ତଥ୍ୟ ରଖିଥିଲା । ଜବାବ ରଖି ବିଜେଡି କହିଥିଲା, ଦଳ ତରଫରୁ କାହାକୁ ଅଥ ଦେଇ ବା କେଉଁ ସଂସ୍ଥାକୁ ଦାୟିତ୍ୱ ଦିଆଯାଇ ଏଭଳି କାର୍ଯ୍ୟକ୍ରମ କରାଯାଇଛି ବୋଲି ଯେଉଁ ଅଭିଯୋଗ ଆସିଛି ଏହା ସତ୍ୟ ନୁହେଁ । ନରେନ୍ଦ୍ର ମୋଦିଙ୍କ ଆକାଉଂଟରେ ମଧ୍ୟ ଫେକ୍ ଫଲୋଅର ଅଛନ୍ତି । ହେଲେ ଏହାରି ଭିତରେ ବିବାଦ ଢେର ପଛରେ ରହିଛି ଆଉ ନବୀନ ପଟ୍ଟନାୟକ ୧୦ ଲକ୍ଷ ଅନୁଗାମୀଙ୍କ ସହ ୧ ନମ୍ବର ସ୍ଥାନରେ ଅଛନ୍ତି ।
ନବୀନଙ୍କ ଟ୍ୱିଟରରେ କେବଳ ବ୍ୟକ୍ତିଗତ ପେଜ୍ ନାହିଁ ବରଂ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ମଧ୍ୟ ଅଫିସିଆଲ ପେଜ୍ ରହିଛି । ଲୋକଙ୍କ ଅଭିଯୋଗର ଶୁଣାଣି ଆଉ ସମାଧାନ ଦିଗରେ ଏହି ପେଜ୍ କାର୍ଯ୍ୟ କରିଥିବା ଅନେକ ନଜିର ମଧ୍ୟ ରହିଛି ।

କେବଳ ସରକାରରେ ନୁହେଁ ବରଂ ଦଳୀୟ ସ୍ତରରେ ମଧ୍ୟ ସୋସିଆଲ ମିଡିଆର ବ୍ୟବହାର ଉପରେ ଜୋର ଦେଇଛନ୍ତି ନବୀନ । ସୋସିଆଲ ମିଡିଆ କର୍ମଶାଳା କରି ଦଳୀୟ ନେତାଙ୍କୁ ଏଥିପାଇଁ ମନ୍ତ୍ର ଦେଇଛନ୍ତି ନବୀନ । ମନ୍ତ୍ରୀମଣ୍ଡଳରେ ଅନେକ ନେତା ଏବେ ସୋସିଆଲ ମିଡିଆରେ ବେଶ ସକ୍ରିୟ ହୋଇଛନ୍ତି । ପ୍ରତିଦିନର କାର୍ଯ୍ୟକଳାପ ବାବଦରେ ଅପଡେଟ କରୁଛନ୍ତି ଏଥିସହ ଲୋକଙ୍କ ସହ ପ୍ରତ୍ୟେକ ଦିନ ସଂପର୍କରେ ମଧ୍ୟ ରହୁଛନ୍ତି ।
publive-imageଏବେ ନଜର ପକାନ୍ତୁ ଫେସବୁକ ତଥ୍ୟ ଉପରେ । ମେ ୨୦୧୬ରେ ନବୀନ ପଟ୍ଟନାୟକ ଫେସବୁକରେ ପେଜ୍ ଖୋଲିଥଲେ । ରଥଯାତ୍ରାର ଗୋଟିଏ ଫୋଟୋ ପୋଷ୍ଟ କରିବା ସହ ନବୀନ ପ୍ରଥମେ ଲେଖିଥିଲେ ଜୟ ଜଗନ୍ନାଥ । ଆଜିର ଦିନରେ ୧ ଲକ୍ଷ ୮୬ ହଜାର ଫେସବୁକ ବ୍ୟବହାରକାରୀ ନବୀନଙ୍କ ପେଜକୁ ଲାଇକ୍ କରିଛନ୍ତି । ହେଲେ ଫେସବୁକରେ ଅନ୍ୟ ମାନଙ୍କ ତୁଳନାରେ ପଛରେ ରହିଛନ୍ତି ନବୀନ ପଟ୍ଟନାୟକ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପେଜକୁ ୯ ଲକ୍ଷ ୬୩ ହଜାର ଲୋକ ଲାଇକ୍ କରିଥିବା ବେଳେ ସାଂସଦ ବୈଜୟନ୍ତ ପଣ୍ଡାଙ୍କର ପେଜକୁ ଲାଇକ୍ କରିଛନ୍ତି ୧୪ ଲକ୍ଷ ୨୯ ହଜାର ।
ବଡ କଥା ହେଉଛି, ନବୀନଙ୍କୁ ଡିଜିଟାଲ କରାଇଥିବା ଏହି ପୁରା ଟିମ୍ ସବୁବେଳେ ପରଦା ପଛର ନାୟକ ଭାବେ କାର୍ଯ୍ୟ କରିଛନ୍ତି । ତଥ୍ୟ, ରାଜ୍ୟ ସରକାରଙ୍କ ନୁଆ ଯୋଜନା, ଶୁଭେଛା, ଭିଡିଓ, ସରକାରୀ ସ୍ତରରେ ଆଲୋଚନା ଏବେ ନିୟମିତ ନବୀନଙ୍କ ଟ୍ୱିଟର ହ୍ୟାଣ୍ଡଲରେ ସ୍ଥାନ ପାଉଛି ।


ବିଜେପି ମଧ୍ୟ ଏହି ଫଣ୍ଡାକୁ ଯଥେଷ୍ଟ ଗୁରୁତ୍ୱ ଦେଉଛି । ଆଗାମୀ ସାଧାରଣ ନିର୍ବାଚନରେ ସୋସିଆଲ ମିଡିଆର ଫାଇଟ ଯଥେଷ୍ଟ ଗୁରୁତ୍ୱ ବହନ କରିବା ଏକ ପ୍ରକାରର ସ୍ପଷ୍ଟ । କାରଣ, ଆଜିର ଦିନରେ ସୋସିଆଲ ମିଡିଆର ବ୍ୟବହାର ସବୁ ସ୍ତରରେ ବଢିବା ସହ ଯୁବଗୋଷ୍ଠୀ ମଧ୍ୟରେ ଏହାର ଗ୍ରହଣୀୟତା ଶୀର୍ଷରେ । ତେଣୁ ସୋସିଆଲ ମିଡିଆକୁ ବ୍ୟବହାର କରି ଯିଏ ସମାଜର ସବୁ ବର୍ଗଙ୍କୁ ଛୁଇଁପାରିବ, ସିଏ ନିର୍ବାଚନ ସମୟରେ ଆଗରେ ରହିବ ବୋଲି ଚର୍ଚ୍ଚା ହେଉଛି ।