ନବୀନଙ୍କ ଟ୍ୱିଟର୍ ଅନୁଗାମୀ ଫେକ୍ ! ଲୋକପ୍ରିୟତା ଦର୍ଶାଇବାକୁ ଶସ୍ତା ମାଧ୍ୟମ ଆପଣାଇଛନ୍ତି ମୁଖ୍ୟମନ୍ତ୍ରୀ , ବିଜେଡି କହିଲା, ମୋଦିଙ୍କ ଅନୁଗାମୀ ମଧ୍ୟ ଫେକ୍

31

କନକ ବ୍ୟୁରୋ : ନବୀନଙ୍କ ଟ୍ୱିଟର ଆକାଉଂଟକୁ ନେଇ ବିଜେପିର ସାଂଘାତିକ ଅଭିଯୋଗ । ମୁଖ୍ୟମନ୍ତ୍ରୀଙ୍କ ଲୋକପ୍ରିୟତା ଓ ସୋସିଆଲ ମିଡିଆରେ ଅଧିକ ଅନୁଗାମୀ ଦର୍ଶାଇବାକୁ ଅଲଗା ମାଧ୍ୟମକୁ ଆପଣାଯାଇଥିବା ବିଜେପି ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ ଆଣିଛି । ଦଳ କହିଛି, ରୋବଟ ଆକାଉଂଟ ଜରିଆରେ ନବୀନଙ୍କ ଅନୁଗାମୀ ସଂଖ୍ୟାକୁ ବଢାଯାଇଛି । ଗତ ଜୁନ ମାସ ପରଠାରୁ ଟ୍ୱିଟରରେ ଅହେତୁକ ଭାବେ ନବୀନଙ୍କ ଫଲୋଅର୍ ବଢିବାକୁ ଦଳ ସନ୍ଦେହ ଚକ୍ଷୁରେ ଦେଖିଛି । ରୋବୋଟ ଦ୍ୱାରା ପ୍ରସ୍ତୁତ୍ ମିଛ ଟ୍ୱିଟର ଆକାଉଂଟ ଦ୍ୱାରା ଅନୁଗାମୀ ସଂଖ୍ୟା ବଢାଯାଇଛି । ଖାଲି ଏତିକି ନୁହେଁ, ଦଳ ଏକ ଫେକ୍ ଆକାଉଂଟର ତାଲିକା ଉପସ୍ଥାପନ କରିଛି।

କଣ କହିଛି ବିଜେପି?
ରୋବୋଟ ଦ୍ୱାରା ଜୁଲାଇରୁ ଅଗଷ୍ଟ ମଧ୍ୟରେ ଅନେକ ଆକାଉଂଟ ଖୋଲାଯାଇ ନବୀନଙ୍କୁ ଫଲୋ କରାଯାଇଛି । ଏହି ସବୁ ଆକାଉଂଟରୁ କେବଳ ନବୀନଙ୍କୁ ଫଲୋ କରାଯାଇଛି । ନା ସେମାନେ ଅନ୍ୟ କାହାକୁ ଫଲୋ କରିଛନ୍ତି, ନା କିଛି ଟ୍ୱିଟ୍ କରିଛନ୍ତି । ଅଧିକାଂଶ ଆକାଉଂଟରେ ଟ୍ୱିଟ୍ ସଂଖ୍ୟା ଶୁନ୍ । ଗତ ୨ ମାସରେ ନବୀନଙ୍କ ହାରାହାରି ଦୈନିକ ଟ୍ୱିଟରରେ ପୋଷ୍ଟିଂ ୩ ରୁ ବି କମ୍ । ହେଲେ ଦୈନିକ ୯ ହଜାର ଫଲୋଅର୍ ବଢୁଛନ୍ତି ନବୀନଙ୍କର । ଯାହାକୁ ନେଇ ବିଜେପି ପ୍ରଶ୍ନ ଉଠାଇଛି । ଯଦିଓ ଚଂଚକତା କରି ନିଜ ଫଲୋଅର୍ ନବୀନ ବଢାଇଛନ୍ତି, ହେଲେ ଏନଗେଜମେଂଟ ରେଟ୍ ବହୁତ କମ ବୋଲି ଦଳ ଅଭିଯୋଗ ଆଣିଛି ।

ଦେଶର ପ୍ରମୁଖ ରାଜନେତା, ଫିଲ୍ମ ଓ ଖେଳ ଜଗତର ସେଲିବ୍ରିଟି ଯେତିକି ସଂଖ୍ୟାରେ ଟ୍ୱିଟ୍ କରନ୍ତି, ନବୀନ ତାଙ୍କ ଠାରୁ ଯଥେଷ୍ଟ କମ୍ ଟ୍ୱିଟ୍ କରୁଛନ୍ତି । ହେଲେ ସେମାନଙ୍କ ତୁଳନାରେ ଦୈନିକ ନବୀନଙ୍କ ଅନୁଗାମୀ ସଂଖ୍ୟା ବଢୁଥିବା ଆଜିର ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରାଯାଇଛି । ରାଜ୍ୟରେ ୩ ଲକ୍ଷରୁ ଅଧିକ ଟ୍ୱିଟର୍ ବ୍ୟବହାରକାରୀ ନଥିବା ବେଳେ ଦିନକୁ ୯ ହଜାର ଫଲୋଅର ବଢିବା ଏବଂ ମୁଖ୍ୟମନ୍ତ୍ରୀଙ୍କ ଆକାଉଂଟରେ ଅନୁଗାମୀ ସଂଖ୍ୟା ୬.୭୨ ଲକ୍ଷରେ ପହଂଚାଇବା ପ୍ରବଂଚନା ମାତ୍ର । ଟ୍ୱିଟର ମାଧ୍ୟମରେ ଭୋଟରଙ୍କୁ ପ୍ରଭାବିତ କରିବାକୁ ଷଡଯନ୍ତ୍ର ରଚାଯାଇଛି । ଏବାବଦରେ ନବୀନଙ୍କୁ ସ୍ପଷ୍ଟୀକରଣ ରଖିବାକୁ ଦଳ ଆହ୍ୱାନ ଦେଇଛି ।
ବିଜେପିକୁ ବିଜେଡିର ଜବାବ

ବିଜେପିର ଅଭିଯୋଗ ନେଇ ପ୍ରତିକ୍ରିୟା ରଖିଛନ୍ତି ବିଜେଡି ରାଜ୍ୟସଭା ସାଂସଦ ତଥା ମୁଖପାତ୍ର ପ୍ରତାପ କେଶରୀ ଦେବ । ଏହି ଆଲୋଚନା ଯେଉଁମାନେ କରିବାକୁ ଚାହୁଁଛନ୍ତି ବା ଯେଉଁମାନେ ଏହି ଅଭିଯୋଗ ଆଣୁଛନ୍ତି, ତାହେଲେ ଖାଲି ନବୀନ ପଟ୍ଟନାୟକଙ୍କୁ କାହିଁକି ଏହାର ପରିଧି ଭିତରକୁ ଅଣାଯିବ, ଏହା କାହିଁକି ନରେନ୍ଦ୍ର ମୋଦିଙ୍କ ପାଇଁ ଉଠିବନି? କାହିଁକି ଅନ୍ୟ ରାଜନୈତିକ ଦଳର ନେତାଙ୍କ ଆଡକୁ ଅଙ୍ଗୁଳି ଯିବନି? ଇଏ ଗୋଟେ ସାଧାରଣ ପ୍ରଶ୍ନ, ଏହାକୁ କିଏ ଆଲୋଚନା ପାଇଁ କହିଥାଇପାରେ । ଏହା ଏକ ଅବାସ୍ତବ ଚିତ୍ର । ଏଭଳି ପ୍ରଶ୍ନ ପଚାରିବାର ଅଧିକାର ଅଛି, ହେଲେ ଏହାର ବାସ୍ତବତା କଣ? ଯଦି ନବୀନ ପଟ୍ଟନାୟକଙ୍କ ଉପରେ ଅଙ୍ଗୁଳି ଉଠିଛି, ତେବେ କାହିଁକି ନରେନ୍ଦ୍ର ମୋଦି ଓ ଅମିତ ଶାହାଙ୍କ ପାଇଁ ଉଠିବନି? ବିଜେଡି ତରଫରୁ କାହାକୁ ଅର୍ଥ ଦିଆଯାଇ ବା କେଉଁ ସଂସ୍ଥାକୁ ଦାୟିତ୍ୱ ଦିଆଯାଇ ଏଭଳି କାର୍ଯ୍ୟକ୍ରମ କରାଯାଇଛି ବୋଲି ଯେଉଁ ଅଭିଯୋଗ ଆସୁଛି, ଏଥିରେ କୈାଣସି ସତ୍ୟତା ନାହିଁ । ବିଜୁ ଜନତା ଦଳ ଏଭଳି କାର୍ଯ୍ୟରେ ବିଶ୍ୱାସ କରେନାହିଁ ବୋଲି ଦଳୀୟ ମୁଖପାତ୍ର ସ୍ପଷ୍ଟ କରିଛନ୍ତି ।

ନରେନ୍ଦ୍ର ମୋଦିଙ୍କ ଫେକ ଫଲୋଅର!
ବିଭିନ୍ନ ସମୟରେ ଏନେଇ ମଧ୍ୟ ରିପୋର୍ଟ ପ୍ରକାଶ ପାଇଛି । ୨୦୧୫ରେ ଏନେଇ ଏକ ରିପୋର୍ଟ ପ୍ରକାଶ କରିଥିଲା ଫୋର୍ବସ । ଯେଉଁଥିରେ ନରେନ୍ଦ୍ର ମୋଦିଙ୍କ ଟ୍ୱିଟରରେ ବଢୁଥିବା ଲୋକପ୍ରିୟତାକୁ ସନ୍ଦେହ ଚକ୍ଷୁରେ ଦେଖାଯାଇଥିଲା । ବର୍ତ୍ତମାନ ଟ୍ବିଟରରେ ନରନ୍ଦ୍ରେ ମୋଦିଙ୍କର ଫଲୋଅର ସଂଖୟା ୩୩.୧ ମିଲିୟନ୍ । ଫୋର୍ବସର ରିପୋର୍ଟ ଅନୁସାରେ, ଯେତେବେଳେ ମୋଦିଙ୍କର ଫଲୋଅର ସଂଖ୍ୟା ବର୍ଷକ ଭିତରେ ୫.୨ ମିଲିୟନରୁ ୧୨.୧ ମିଲିୟନରେ ପହଂଚିଲା ସେତେବେଳେ ଏହି ପତ୍ରିକା ଦର୍ଶାଇଲା, ଟ୍ୱିଟର ଆକାଉଂଟକୁ ବୁଷ୍ଟ କରାଯାଇ ଫଲୋଅର ସଂଖ୍ୟାକୁ ବଢାଯାଇଛି । ଫୋର୍ବସର ଏହି ରିପୋର୍ଟରେ ଉଦାହରଣ ମଧ୍ୟ ଦିଆଯାଇଥିଲା । ଯେଉଁଥିରେ କୁହାଯାଇଥିଲା, ଏପ୍ରିଲ ୭, ୨୦୧୫ରେ ମୋଦିଙ୍କ ଆକାଉଂଟକୁ ଫଲୋ କଲେ ୨ ଲକ୍ଷ ୮୦ ହଜାର ଜଣ । ଏହିଦିନ କିଛି ଖାସ ନଥିଲା । ଆଉ ଏହିଦିନ ମୋଦି କେବଳ ଦୁଇଟି ଟ୍ୱିଟ୍ କରିଥିଲେ । ସେତେବେଳେ ଏହାକୁ ନେଇ ମଧ୍ୟ ବିବାଦ ଦେଖାଦେଇଥିଲା । ଆଉ ଅଜିର ଦିନରେ ମୋଦି ହେଉଛନ୍ତି ଭାରତରେ ସୋସିଆଲ ମିଡିଆରେ ସର୍ବାଧିକ ଚର୍ଚ୍ଚିତ ବ୍ୟକ୍ତି । ଦେଶରେ ମୋଦିଙ୍କ ଟ୍ୱିଟର ଆକାଉଂଟ ୧ ନମ୍ବର ।

ଆମେରିକା ରାଷ୍ଟ୍ରପତିଙ୍କର ଫେକ୍ ଫଲୋଅର୍
ଦି ଡେଲି ଡଟ୍ କିଛି ଦିନ ଆଗରୁ ଏନେଇ ଏକ ରିପୋର୍ଟ ପ୍ରକାଶ କରିଥିଲା । ଯେଉଁଥିରେ ଦର୍ଶାଯାଇଥିଲା, ଗତ ମେ ମାସରେ ଟ୍ରମ୍ପଙ୍କୁ ଫଲୋ କରିଥିବା ୯ ଲକ୍ଷ ଆକାଉଂଟ ମଧ୍ୟରୁ ଅଧିକାଂଶ ଫେକ୍ । ଆମେରିକା ରାଷ୍ଟ୍ରପତିଙ୍କର ଟ୍ୱିଟରରେ ଏବେ ଫଲୋଅର୍ ସଂଖ୍ୟା ୩୬.୬ ମିଲିୟନ୍ । ଗତ ମେ ମାସରେ ଏହି ସଂଖ୍ୟା ଥିଲା ୩୧ ମିଲିୟନ । ଆଉ ସେହି ସମୟରେ ଏଥିତୁ ୯.୧ ମିଲିୟନ ଆକାଉଂଟରେ ନା କୈାଣସି ପ୍ରୋଫାଇଲ ଫଟୋ ଥିଲା ନା କୈାଣସି ଟ୍ୱିଟ୍ । ଯାହାକୁ ବଟ୍ସ ବା ଇନଆକ୍ଟିଭ ଆକାଉଂଟ ଭାବେ ଦେଖାଯାଉଥିଲା ।

ରାମନାଥ କୋବିନ୍ଦଙ୍କ ଆକାଉଂଟ ନେଇ ବି ଥିଲା ଦ୍ୱନ୍ଦ୍ୱ
ଦେଶର ରାଷ୍ଟ୍ରପତି ରାମନାଥ କୋବିନ୍ଦ ଦାୟିତ୍ୱ ଗ୍ରହଣ କରିବାର ମାତ୍ର ଘଂଟାଏ ଭିତରେ ତାଙ୍କ ଫଲୋଅର୍ ସଂଖ୍ୟା ଟ୍ୱିଟରରେ ୩୦ ଲକ୍ଷ ଅତିକ୍ରମ କଲା । ଏହି ଶୀର୍ଷକରେ ସବୁ ଗଣମାଧ୍ୟମରେ ଆସିଲା ଖବର । ହେଲେ ପରବର୍ତ୍ତୀ ପର୍ଯ୍ୟାୟରେ ଅସଲ କଥା ଜଣାପଡିଥିଲା । ରାଷ୍ଟ୍ରପତି, ଉପରାଷ୍ଟ୍ରପତି, ବିଭିନ୍ନ ମନ୍ତ୍ରାଳୟ ଯଥା ପ୍ରଧାନମନ୍ତ୍ରୀଙ୍କ ଅଫିସ, ଗୃହ ମନ୍ତ୍ରାଳୟର ଅଫିସ ହେଉଛି ଡିଜିଟାଲ୍ ଆସେଟ୍ । ଯାହା ସରକାରଙ୍କ ଅଧୀନରେ ରହିଥାଏ । ଆଉ ଟ୍ୱିଟରର ଷ୍ଟ୍ରାଟେଜୀ ଅନୁସାରେ ଯେତେବେଳେ ବିଭାଗୀୟ ମନ୍ତ୍ରୀ ବଦଳନ୍ତି ବା ଏସବୁ ଟ୍ୱିଟର ହ୍ୟାଣ୍ଡେଲର ମୁଖିଆ ବଦଳନ୍ତି, ସେତେବେଳେ ଏସବୁ ଆକଉଂଟର ଇଚ୍ଛିହାସକୁ ସୁରକ୍ଷିତ ରଖିବାକୁ ଟ୍ୱିଟର ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଥାଏ । ଆଉ ଠିକ ଏହି କ୍ରମରେ ଯେମିତି ଆମେରିକ ରାଷ୍ଟ୍ରପତିଙ୍କ ଅଫିସିଆଲ ଟ୍ୱିଟର ହ୍ୟାଣ୍ଡଲ ଓବାମାଙ୍କ ଠାରୁ ଟ୍ରମ୍ପଙ୍କ ପାଖକୁ ଆସିଥିଲା, ଠିକ ସେମିତି ପ୍ରଣବ ମୁଖାର୍ଜୀଙ୍କ ଠାରୁ ଆକାଉଂଟ ରାମନାଥ କୋବିନ୍ଦଙ୍କ ପାଖକୁ ଆସିଥିଲା । ଫଳରେ ଏହାକୁ ନେଇ ଦେଖାଦେଇଥିବା ଦ୍ୱନ୍ଦ୍ୱ ଦୁର ହୋଇଥିଲା । ଏବାବଦରେ ଟ୍ୱିଟର ପକ୍ଷରୁ ମଧ୍ୟ ସ୍ପଷ୍ଟ କରିଦିଆ ଯାଇଥିଲା ।

ସେଲିବ୍ରିଟିଙ୍କୁ ନେଇ ମଧ୍ୟ ବିବାଦ
ସେହିଭଳି କ୍ରିକେଟର ବିରାଟ କୋହଲି, ସୁପରଷ୍ଟାର ଅମିତାଭ ବଚ୍ଚନ ଓ ଖିଲାଡି କୁମାର ଅର୍ଥାତ୍ ଅକ୍ଷୟ କୁମାରଙ୍କ ଆକାଉଂଟରେ ମଧ୍ୟ ଫେକ ଫଲୋଅର୍ ଥିବା ନେଇ ରିପୋର୍ଟ ପ୍ରକାଶ ପାଇଛି । ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରରେ ଏଭଳି ଅନେକ ଆକଉଂଟ ମିଳିବ, ଯେଉଁଥିରେ ଆକାଉଂଟକୁ ବୁଷ୍ଟ କରାଯାଇ ଫଲୋଅର୍ ସଂଖୟା ବଢାଯାଇଛି । ଏପରିକି ଗଣମାଧ୍ୟମର ଆକାଉଂଟ ମଧ୍ୟ ଏଥିରୁ ବାଦ ପଡିନି । ଉଭୟ ଫେସବୁକ ଓ ଟ୍ୱିଟରରେ ଏହି ସମାନ ଧାରା ଦେଖିବାକୁ ମିଳିଛି । ଆଜିର ଦିନରେ ଏମିତି ଅନେକ ମାଧ୍ୟମ ରହିଛି, ଯାହାକୁ ଆୟୁଧ କରି ଆକଉଂଟରେ ଫଲୋଅର ସଂଖ୍ୟା ବଢାଯାଇପାରେ ।

ରାଜନୀତିରେ ଫଲୋଅର୍
ଟ୍ୱିଟରରେ ଏହି ଫଲୋଅର ସଂଖ୍ୟାକୁ ନେଇ ଏବେ ରାଜନୈତିକ ବାତାବରଣ ସରଗରମ ହୋଇଛି । ବିଜେପି ଏହାକୁ ଆୟୁଧ କରି ନବୀନଙ୍କୁ ଟାର୍ଗେଟ କରିଛି । କିଛି ଦିନ ଆଗରୁ ନବୀନଙ୍କ ଫଲୋଅର ୫ ଲକ୍ଷ ଟପିବା ନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ତରଫରୁ ଗଣମାଧ୍ୟମକୁ ଅବଗତ କରାଗଲା । ଅର୍ଥାତ୍ ରାଜ୍ୟରେ ଟ୍ୱିଟର ଅନୁଗାମୀରେ ନବୀନ ସମସ୍ତଙ୍କ ପଛରେ ପକାଇଦେଲେ । ଆଉ ଏହାପରେ ବିଜେପିର ଏହି ସାଂଘାତିକ ଅଭିଯୋଗ, ଯାହାକୁ ନେଇ ଆରମ୍ଭ ହୋଇଛି ଜୋରଦାର ଚର୍ଚ୍ଚା । ଏହାରି ଭିତରେ ନଜର, ରାଜନୀତିରେ ଟ୍ୱିଟର ଅନୁଗାମୀ ବିବାଦ କେଉଁ ମୋଡ ନେଉଛି ।