କନକ ବ୍ୟୁରୋ: ଦିନ କେଇଟା ପରେ ଓଡ଼ିଶାରେ ବିଜେପି ସରକାରକୁ ବର୍ଷେ ପୂରିବାକୁ ଯାଉଛି । ସରକାର ଆରମ୍ଭ ଦିନରୁ ହିଁ ପ୍ରତି ମାସରେ କିଛି ନା କିଛି ଘୋଷଣା କରି ଜନତାଙ୍କ ଦୃଷ୍ଟି ଆକର୍ଷଣ କରି ଚାଲିଛନ୍ତି ମୋହନ ସରକାର । ଏହାରି ଭିତରେ ବିଜେପି ସରକାର ଏମିତି ଏକ ଘୋଷଣା କରିଛି ଯାହାକୁ ନେଇ ଏବେ ଚା’ ଖଟିରେ ଚର୍ଚ୍ଚା ଆରମ୍ଭ ହୋଇଗଲାଣି । ସେଇଟା କ’ଣ ଜାଣିଛନ୍ତି, ସରକାର କୁଆଡ଼େ ନୂଆ ବିଧାନସଭା ଓ ଲୋକସେବା ଭବନ ତିଆରି କରିବେ । ଆଉ ଏନେଇ ଖୋଦ୍ ପୂର୍ତ୍ତମନ୍ତ୍ରୀ ସବୁଜ ସଂକେତ ଦେଇସାରିଲେଣି । 

Advertisment

ଯାହା ହେଉ ୨୦୩୬ରେ ଓଡ଼ିଶାକୁ ଶହେ ବର୍ଷ ପୂରିବା ପୂର୍ବରୁ ବୋଧେ ଆମ ରାଜ୍ୟର ନବକଳେବର ହୋଇଯାଇଥିବ । ମେଟ୍ରୋ ଟ୍ରେନ୍, ଭୂତଳ ମେଟ୍ରୋ, ହାଇଟେକ୍ ଟ୍ରାଫିକ୍ ବ୍ୟବସ୍ଥା ଭଳି ଆହୁରି କେତେ କ’ଣ ବଦଳିଯିବ, ତାହା ଏବେଠୁ ଭାବିଲା ବେଳକୁ ଛାତି କୁଣ୍ଢେମୋଟ ହୋଇଯାଉଛି । ସେ ସବୁ ଏବେ ବି ଆକାଶ କଇଁଆ ଚିଲିକା ମାଛ ଭଳି ଅଧାରୁ ଅଧିକ ଲୋକଙ୍କୁ ଲାଗୁଛି । ହେଲେ ବିଧାନସଭାକୁ ନୂଆ କରି ତିଆରି କଲେ କାହାର ଲାଭ ହେବ? ଏକଥା ଆମେ କହୁନୁ ବରଂ ଖଟିରେ ଲୋକମାନେ ଚର୍ଚ୍ଚା କରୁଛନ୍ତି । ସରକାର ଯାହାର ବି ହେଉ ପୂର୍ବରୁ ଯେମିତି ବିଧାନସଭାରେ ଡ୍ରାମା ଦେଖିବାକୁ ମିଳୁଥିଲା ଏବେ ବି ସମାନ ଦୃଶ୍ୟ ଆମେ ଦେଖୁଛୁ । ବିଜେଡି ସମୟରେ ଗୃହରେ ହଙ୍ଗାମା ହଟ୍ଟଗୋଳ ହେଉଥିଲା, ଆଉ ଏବେ ଛୋଟ ଛୁଆ ଭଳି ଗଣତନ୍ତ୍ରର ମନ୍ଦିର ଭିତରେ ଲଢ଼େଇ କରୁଥିବାର ଦୃଶ୍ୟ ବି ଆମେ ଦେଖିଛୁ ।

ଯେଉଁ ଜନପ୍ରତିନିଧିଙ୍କୁ ଭୋଟ୍ ଦେଇ ବିଧାନସଭା ପଠାଇଛୁ ସେମାନେ ଆମ ସମସ୍ୟା ବିଷୟରେ କମ୍, ହଟ୍ଟଗୋଳ କରିବାକୁ ଅନେଇ ବସିଛନ୍ତି । ବିଧାନସଭାର ଯେ କୌଣସି ଅଧିବେଶନ ହେଉ ସେମାନେ ମିଳିମିଶି ଗୃହକୁ ଅଚଳ କରିଦେଉଛନ୍ତି । ନା ଶାସକ ନା ବିରୋଧୀ କେହି କାହାଠୁ କମ୍ ନୁହନ୍ତି । ଆଉ ଏଥିରେ ପୁଣି ନୂଆ ବିଧାନସଭା କୋଠା ବାଃ ଅତି ସୁନ୍ଦର ବିଚାରଧାରା । 

ଘଣ୍ଟ ଘଣ୍ଟା, ଥାଳି, ତାଳି, ଝାଞ୍ଜ କେତେ କ’ଣ ପାଲା ନହୋଇଛି ଏ ଗଣତନ୍ତ୍ରର ମନ୍ଦିରରେ । ଯାତ୍ରା ପାର୍ଟି ଡାଇଲଗ ଭଳି, କହିବି କାହାକୁ ଶୁଣିବ କିଏ? ସେମିତି ଜନତା କହିବେ କାହାକୁ ଏଠି ଶୁଣିବ କିଏ? ବିଧାନସଭା ପ୍ରଶ୍ନକାଳ ହେଉ କିମ୍ବା ବିଲ୍ ପାରିତ ବେଳ ଗୃହ ଭିତରେ ଅଧିକାଂଶ ସମୟ ହଙ୍ଗାମା ହିଁ ଦେଖିବାକୁ ମିଳିଛି । ଶୀତତାପ ନିୟନ୍ତ୍ରିତ ଏହି ଉଚ୍ଚ ଅଟ୍ଟାଳିକା ଭିତରେ ବସୁଥିବା ନେତାମାନେ ଗରିବ ଖଟିଖିଆ ଭୋଟରର ଭୋଟ୍ ମୂଲ୍ୟକୁ ନାଟକର ନିକିତିରେ ତଉଲିବାକୁ ପଛାଉନାହାନ୍ତି । ଯଦି ଆଉ ଏକ ନୂଆ ବିଧାନସଭା ସୌଧ ନିର୍ମାଣ ହୁଏ ଏବଂ ଶାସକ-ବିରୋଧୀ ପୂର୍ବଭଳି କଳି ଝଗଡ଼ା ଲାଗନ୍ତି ତେବେ କାହାର ଲାଭ ହେବ ଆପଣ ହିଁ ବିଚାର କରନ୍ତୁ ।

ଖାଲି ଏତିକି ନୁହେଁ ନୂଆ ଲୋକସେବା ଭବନ ମଧ୍ୟ ତିଆରି କରିବାକୁ ପ୍ଲାନ୍ କରିଛନ୍ତି ପଦ୍ମ ସରକାର । ହେଲେ ଆଜି ବି ଏ ଲୋକସେବା ଭବନର ଫାଟକ ଡେଇଁ ପାରିନି ଏମିତି ଅନେକ ଅପହଞ୍ଚ ଇଲାକାର ଫାଇଲ୍ । ଏପରିକି ଅନେକ ଗରିବ ଲୋକଙ୍କ ସେବାରେ ଲାଗୁପାରୁନି ଲୋକସେବା ଭବନ । ହଁ ନିର୍ବାଚନ ବେଳେ ପ୍ରତିଶ୍ରୁତିର ପୁଳାଏ ପୁଡ଼ିଆ ବାଣ୍ଟିଥିବା ବିଜେପି ସରକାର, ଗୋଟେ ପରେ ଗୋଟେ ପ୍ରତିଶ୍ରୁତି ପୂରଣ କରୁଥିବା କହି ଚାଲିଛନ୍ତି । ହେଲେ ଏପରି ଅନେକ ଚର୍ଚ୍ଚିତ ପ୍ରକଳ୍ପ ସବୁ ଏବେ କନସେପ୍ଟ ଷ୍ଟେଜରେ ଅଛି । ଏହା ଆଗକୁ ବାସ୍ତବ ରୂପ ନେବେ କି ନାହିଁ, ତାହା ସମୟ କହିବ । ନୂଆ କୋଠା ନିର୍ମାଣରେ ହଜାର ହଜାର କୋଟି ଖର୍ଚ୍ଚ ହେବାଟା ଥୟ । କିନ୍ତୁ ଯଦି ଏହି ଅର୍ଥ ବିକାଶହୀନ ଅଞ୍ଚଳ, ସ୍ୱାସ୍ଥ୍ୟ, ଶିକ୍ଷା, ଓ ଗ୍ରାମୀଣ ବ୍ୟବସ୍ଥା ପାଇଁ ବ୍ୟବହୃତ ହେଲେ ଭଲ ହୁଅନ୍ତାନି କି ? ଏକଥା ଆମେ କହୁନୁ ବରଂ ଖଟିରେ ଲୋକମାନେ ଚର୍ଚ୍ଚା କରୁଛନ୍ତି ।