କନକ ବ୍ୟୁରୋ: ପାଣିପାଗ ବଦଳିଯାଉଛି ହେଲେ ବଦଳୁନି ବିଧାନସଭାର ଚିତ୍ର । ଗଣତନ୍ତ୍ରର ଏହି ମନ୍ଦିରରେ ଜନତାଙ୍କ ପାଇଁ ଗୁହାରି କମ୍ ଗଣ୍ଡଗୋଳ ଅଧିକ ଦେଖିବାକୁ ମିଳୁଛି । ଯେବେଠୁ ବଜେଟ୍ ଅଧିବେଶନ ଆରମ୍ଭ ହୋଇଛି ସେବେଠାରୁ ହିଁ ଗୃହରେ ପ୍ରତିଦିନ ନୂଆ ନୂଆ ଡ୍ରାମା ଦେଖିବାକୁ ମିଳୁଛି । ଏମିତିକି ବିଧାନସଭାରେ ବାଦିପାଲା ହେଉଛି ବୋଲି ଖଟିରେ ଚର୍ଚ୍ଚା ଚାଲିଛି । ଗାଁ ଗହଳିଠୁ ଆରମ୍ଭ କରି ସହରର ଚା’ ଖଟି, କଫି କ୍ୟାଣ୍ଟିନରେ ବିଧାନସଭାର ବିକଳ ଚିତ୍ରର ମଜାକ୍ ଉଡାଉଛନ୍ତି ଜନତା ।
ଯାତ୍ରା ପାର୍ଟି ଡାଇଲଗ ଭଳି, କହିବି କାହାକୁ ଶୁଣିବ କିଏ? ସେମିତି ଜନତା କହିବେ କାହାକୁ ଏଠି ଶୁଣିବ କିଏ? ବିଧାନସଭା ପ୍ରଶ୍ନକାଳ ହେଉ କିମ୍ବା ବିଲ୍ ପାରିତ ବେଳ ଗୃହ ଭିତରେ କେବଳ ହଙ୍ଗାମା ହିଁ ଦେଖିବାକୁ ମିଳୁଛି । କିଏ ଝାଞ୍ଜ ବଜାଇଲାଣି ତ କିଏ ଘଣ୍ଟ ବଜାଇଲାଣି । ଆଉ କେବେ କେବେ ତୂରୀ, ସାହାନାଇ ସ୍ୱରରେ କମ୍ପୁଛି ବିଧାନସଭା ପରିସର । ବେଳେବେଳେ ତ ମୁଣ୍ଡରେ କଳା କପଡ଼ା, କଳା ଚଷମା ଆଉ କଳା ଡ୍ରେସ୍ ପିନ୍ଧି ବିରୋଧୀମାନେ ପ୍ରତିବାଦ କରୁଥିବା ଦେଖିବାକୁ ମିଳିଛି ।
ସେପଟେ ଜଳ ବିବାଦ, ବିଦ୍ୟୁତ୍ ସମସ୍ୟା, ପାନୀୟ ଜଳ ସମସ୍ୟା, ଭତ୍ତା ଟଙ୍କା ଭଳି ସମସ୍ୟା ମାଳ ମାଳ ଥିବାବେଳେ ଆମ ବିଧାୟକମାନେ କିନ୍ତୁ ହଟ୍ଟଗୋଳ କରିବାରେ ବ୍ୟସ୍ତ । ସ୍ଥିତି ଏପରି ହୋଇଛି ଯେ ଗଣତନ୍ତ୍ର ମନ୍ଦିରରେ ହାତାହାତି ଠେଲାପେଲା ହେବା ଭଳି ଲଜ୍ଜାଜନକ ଦୃଶ୍ୟ ଦେଖିଛି ସାରା ଓଡ଼ିଶା । ଲୋକପ୍ରତିନିଧି ମାନେ ଲୋକଙ୍କ ସମସ୍ୟା କମ୍ ବିଧାନସଭାରେ ପ୍ରତିବାଦ ପ୍ରବଳ କରୁଛନ୍ତି । ନା ହେଉଛି ଆଲୋଚନା ନା ହେଉଛି ତର୍କ ବିତର୍କ, ଗୃହରେ କେବଳ ନେତାଙ୍କ ନାଟକ ଚାଲିଛି ।
ଆମେ ଲୋକଙ୍କ ନେତା, ଜନତାଙ୍କ ଆଶୀର୍ବାଦରୁ ଆମେ ଆଜି ବିଧାନସଭା ମାଟି ମାଡ଼ିପାରିଛୁ କହୁଥିବା ଜନପ୍ରତିନିଧିମାନେ ଏବେ ଗୃହକୁ ଅଚଳ କରିଦେଉଛନ୍ତି । ସରକାର ବି ଗୃହକୁ ଚଳାଇବାରେ ଫେଲ୍ ମାରିଥିବା ସ୍ପଷ୍ଟ ବାରି ହୋଇପଡୁଛି । ବିଧାନସଭା ପରିସରରେ ଥିବା ଗାନ୍ଧୀମୂର୍ତ୍ତି ତଳେ କେବେ ବିରୋଧୀ ପ୍ରତିବାଦ କରୁଛନ୍ତି ତ କେବେ ଗଣମାଧ୍ୟମ ଉପରେ ଅଙ୍କୁଶ ଲଗାଇବା ନେଇ ଗଣମାଧ୍ୟମ ପ୍ରତିନିଧିମାନେ ଧାରଣା ଦେଉଛନ୍ତି । ଯୁଆଡେ ଯିବ ଲୋକଙ୍କ ପାଟିରେ ଗୋଟିଏ କଥା, ବିଧାନସଭାରେ ଚାଲିଛି କ’ଣ?
ସତରେ ପବିତ୍ର ଗୃହରେ ଏମିତି କାହିଁକି ହେଉଛନ୍ତି ନେତା? ଆମେ କ’ଣ ଏଥିପାଇଁ ଏମାନଙ୍କୁ ଭୋଟ୍ ଦେଇଥିଲେ? ଆମେ ନିର୍ବାଚିତ କରିଥିବା ନେତା ଯଦି ଏମିତି ହେବେ ଆମ ସମସ୍ୟା କାହାକୁ କହିବୁ? ଥରେ ବୁଲି ଲୋୟର ପିଏମଜି ଆଡେ ନଜର ପକାଇଛନ୍ତି କି? କେତେ ସଂଗଠନ, କେତେ ପରୀକ୍ଷାର୍ଥୀ ହଜାର ହଜାର ସଂଖ୍ୟାରେ ଲୋକମାନେ ନ୍ୟାୟ ପାଇଁ ଧାରଣା ଦେଇଛନ୍ତି । ସେମାନଙ୍କ ସମସ୍ୟା ନଉଠାଏ ଗୃହକୁ ଅଚଳ କରିବାରେ ବ୍ୟସ୍ତ ବିରୋଧୀ ଓ ଶାସକ ଦଳ । ପ୍ରକୃତରେ କାହା ସ୍ୱାର୍ଥରେ ବିଧାୟକ ବୋଲି ଲୋକମାନେ ପ୍ରଶ୍ନ କରୁଛନ୍ତି ।