କନକ ବ୍ୟୁରୋ : ପରିବର୍ତ୍ତନଶୀଳ ବଜାର ବ୍ୟବସ୍ଥାରେ ଲୋକେ ଏବେ ଅଧିକାଂଶ ପ୍ଲାଷ୍ଟିକ୍ ଉପରେ ନିର୍ଭର କରୁଛନ୍ତି । ଫଳରେ ଖଜୁରି ପତ୍ରରେ ପ୍ରସ୍ତୁତ ସାମଗ୍ରୀର ଉତ୍ପାଦନ ଓ ବ୍ୟବସାୟିକ ଚାହିଦା ବେଳକୁ ବେଳ କମିବାରେ ଲାଗିଛି । ଖଜୁରି ପତ୍ରରେ ତିଆରି ସାମଗ୍ରୀ ପ୍ଲାଷ୍ଟିକ୍ର ଚାହିଦାଠାରୁ କମ୍ କାରଣରୁ ସାମଗ୍ରୀ ପ୍ରସ୍ତୁତ କରି ବଞ୍ଚୁଥିବା ଲୋକେ ଏବେ ଏହି ବୃତ୍ତି ପ୍ରତି ବିମୁଖ ହେବାକୁ ବସିଲେଣି । ଏଥିସହ ଗାଁ’ ଗହଳିର ପୋଖରୀ ହୁଡ଼ା, ଜମି ହିଡ଼, ତୋଟାମାଳ ଓ ଗ୍ରାମ୍ୟ ଜଙ୍ଗଲରେ ବ୍ୟାପକ ଖଜୁରି ଗଛ ମଧ୍ୟ ପୂର୍ବଭଳି ଦେଖିବାକୁ ମିଳୁନାହିଁ । ଯେତିକି ପରିମାଣରେ ବି ଗଛ ବଞ୍ଚିଥିଲା, ତାହା ରକ୍ଷଣାବେକ୍ଷଣ ଅଭାବରୁ ନଷ୍ଟ ହୋଇଥିବା ଦେଖିବାକୁ ମିଳିଥିବାବେଳେ ଅଧିକାଂଶ ଗତ ଫନି ବାତ୍ୟାରେ ନଷ୍ଟ ହୋଇଯାଇଛି ।
Kanak News is now on WhatsApp
Join and get latest news updates delivered to you via WhatsApp
ତେବେ ଆଜି ବି କେତେକ ପରିବାର ବାଧ୍ୟବଧକତାରେ ଗୁଜୁରାଣ ମେଣ୍ଟାଇବାକୁ ନିଜର ବେଉସାକୁ ବଞ୍ଚାଇ ରଖିଥିବା କାରିଗର ରାମଚନ୍ଦ୍ର ପ୍ରଧାନ କୁହନ୍ତି। ତେବେ ଖଜୁରି ପତ୍ର ସଂଗ୍ରହ କରି ସାମଗ୍ରୀ ତିଆରି କରିବା ଏବେ କଷ୍ଟକର ହୋଇପଡ଼ିଛି। ଗୋଟିଏ ଧାନବୁଣା ଖଜୁରି ପଟିଟିଏ ବୁଣିବାକୁ ୩ ଦିନ ସମୟ ଲାଗିବା ସହ ଏହାକୁ ବିକ୍ରି କଲେ ୩ ଶହରୁ ୫ ଶହ ଟଙ୍କା ପାରିଶ୍ରମିକ ମିଳିଥାଏ। ତେବେ ପରିଶ୍ରମ ତୁଳନାରେ ଏହି ମୁଲ୍ୟ କମ୍ ରହୁଥିବା ରାମଚନ୍ଦ୍ର କହନ୍ତି।
ଅବସର ସମୟରେ ଅଧିକାଂଶ କାରିଗର ଏହି କାର୍ଯ୍ୟ କରୁଥିଲେ। ସେହିପରି ଖଜୁରି ଝାଟୁଟିଏ ତିଆରି କରିବାରେ ଯେତିକି ସମୟ ଓ ପରିଶ୍ରମ କରିବାକୁ ପଡ଼ୁଛି ତାହା ତୁଳନାରେ ମିଳୁଥିବା ଦର ସମୁଦ୍ରକୁ ଶଙ୍ଖେ ବୋଲି ସ୍ଥାନୀୟ ହଜ ଗ୍ରାମର ଆଦିବାସୀ ମହିଳା କାରିଗର ମୀନା ପ୍ରଧାନ କୁହନ୍ତି। ଗୋଟିଏ ପଟେ ଖଜୁରି ଗଛର ଅଭାବ ସାଙ୍ଗକୁ ଉପଯୁକ୍ତ ପାରିଶ୍ରମିକ ନ ମିଳିବା କାରଣରୁ ଅନେକ କାରିଗର ପରିବାର ଏହି ବେଉସା ହରେଇବାକୁ ବାଧ୍ୟ ହେଉଥିବା ମହିଳା କାରିଗର ପାର୍ବତୀ ପ୍ରଧାନ କୁହନ୍ତି।
ଖଜୁରି ପତ୍ରରୁ ନିର୍ମାଣ ହେଉଥିବା ସାମଗ୍ରୀଗୁଡ଼ିକ ଦେଖିବାକୁ ବହୁତ ସୁନ୍ଦର ଓ ଉପାଦେୟ ହୋଇଥିବାବେଳେ ସରକାରଙ୍କ ପ୍ରୋତ୍ସାହନ ଅଭାବରୁ ଏବେ ଅନେକ କାରିଗର ଦାଦନ ଶ୍ରମିକ ଭାବେ କାର୍ଯ୍ୟ କରିବାକୁ ବାଧ୍ୟ ହେଉଛନ୍ତି। ଜିଲ୍ଲା ପ୍ରଶାସନ ଏହି ବେଉସା ପ୍ରତି ଦୃଷ୍ଟି ଦେଇ ଏହାକୁ ବଞ୍ଚାଇ ରଖିବା ସହ ପରିବେଶ ସୁରକ୍ଷା ଦିଗରେ ଯତ୍ନବାନ ହେଲେ ସାମଗ୍ରୀ ଗୁଡ଼ିକର ଚାହିଦା ପୂର୍ବଭଳି ବଳବତ୍ତର ରହିପାରନ୍ତା ବୋଲି କାରିଗରମାନେ ମତ ଦେଇଛନ୍ତି।