କଡ଼ା ସୁରକ୍ଷା ମଧ୍ୟରେ ଆଜି ଖୋଲିବ ସାବରୀମାଳା ମନ୍ଦିର : ମହିଳା ଭକ୍ତଙ୍କ ପ୍ରବେଶ ଉପରେ ଲାଗିବନି ରୋକ୍, ବାର୍ଷିକ ମଣ୍ଡଳ ପୂଜା ପାଇଁ ଫିଟାଯିବ ଦ୍ୱାର

167

କନକ ବ୍ୟୁରୋ : ସୁପ୍ରିମକୋର୍ଟ ଶୁଣାଣି କରିବାର ମାତ୍ର ଦୁଇ ଦିନ ପରେ ଆଜି ଖୋଲିବ  ସାବରୀମାଳା ମନ୍ଦିର । ବାର୍ଷିକ ମଣ୍ଡଳ ପୂଜା ପାଇଁ ମନ୍ଦିରର ଦ୍ୱାର ଖୋଲାଯିବ । ଦୁଇ ମାସ ଧରି ଶ୍ରଦ୍ଧାଳୁମାନେ ଅୟପ୍ପାଙ୍କୁ ପୂଜା କରିବେ । ତେବେ ମନ୍ଦିରକୁ ଯେଉଁ ମହିଳା ଭକ୍ତ ଯିବେ ସେମାନଙ୍କୁ କୌଣସି ପ୍ରକାରର ସ୍ୱତନ୍ତ୍ର ସୁରକ୍ଷା ଯୋଗାଇ ଦିଆଯିବ ନାହିଁ । ଯଦି କୌଣସି ମହିଳା ସ୍ୱତନ୍ତ୍ର ସୁରକ୍ଷା ଚାହିଁବେ ସେମାନଙ୍କୁ କୋର୍ଟରୁ ଅର୍ଡର ଆଣିବାକୁ ପଡିବ । କେରଳର ମନ୍ତ୍ରୀ କଦକମପାଲୀ ସୁରେନ୍ଦ୍ରନ ଏହା କହିଛନ୍ତି । ଏହା ସହିତ ମନ୍ଦିରକୁ ମହିଳାଙ୍କ ପ୍ରବେଶ ନେଇ ଅଧିକ କ୍ରିୟାଶୀଳ ନହେବାକୁ କେରଳ ଶାସନରେ ଥିବା ବାମପନ୍ଥୀ ସରକାରକୁ ତାଗିଦ୍ କରିଛି କେନ୍ଦ୍ରୀୟ କମିଟି ।

ଗୁରୁବାର ସୁପ୍ରିମକୋର୍ଟଙ୍କ ପାଂଚ ଜଣିଆ ଖଣ୍ଡପୀଠ ସବରୀମାଳା ମନ୍ଦିରକୁ ମହିଳାଙ୍କ ପ୍ରବେଶ ଉପରେ ରୋକ୍ ଲଗାଇବାକୁ ମନା କରିଦେଇଥିଲେ । ୨୦୧୮ ର ରାୟକୁ କାଏମ ରଖିଥିଲେ । ଏହା ସହିତ ଅଧିକ ତର୍ଜମା ପାଇଁ ମାମଲାକୁ ବଡ ବେଂଚକୁ ପଠାଇଦେଇଥିଲେ ପାଂଚ ଜଣିଆ ଖଣ୍ଡପୀଠ । ନିଷ୍ପତି ଅନୁସାରେ ଏହି ମାମଲାର ୭ଜଣିଆ ଖଣ୍ଡପୀଠ ବିଚାର କରିବେ । ସବରୀମାଳା ମନ୍ଦିରକୁ ନିର୍ଦ୍ଧିଷ୍ଟ ଭାବେ ୧୦ରୁ ୫୦ ବର୍ଷିୟ ମହିଳାଙ୍କ ପ୍ରବେଶକୁ ନେଇ ବିବାଦ ଲାଗି ରହିଛି ।

ସମ୍ବିଧାନ ଅନୁସାରେ ମହିଳାଙ୍କୁ ମନ୍ଦିରକୁ ଯିବାକୁ ବାରଣ କରିପାରିବେନି ଦର୍ଶାଇ କୋର୍ଟରେ ଅନେକ ପିଟିସନ ହୋଇଥିଲା । ଏହାର ବିଚାର କରି ୨୦୧୮ ଡିସେମ୍ବର ମାସରେ ଏହି ବର୍ଗର ମହିଳାଙ୍କ ପ୍ରବେଶକୁ ଅନୁମତି ଦେଇଥିଲେ କୋର୍ଟ । କୋର୍ଟଙ୍କ ଏହି ରାୟ ପରମ୍ପରାର ବିରୋଧୀ ବୋଲି ଦର୍ଶାଇ ପୁନର୍ବିଚାର ପାଇଁ ୬୫ ଟି ଆବେଦନ ହୋଇଥିଲା ।  ତେବେ ଆଇନଶୃଙ୍ଖଳା ପରିସ୍ଥିତିକୁ ନଜରରେ ରଖି ମନ୍ଦିର ଓ ଏହାର ଆଖପାଖ ଅଂଚଳରେ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି ।