କନକ ବ୍ୟୁରୋ : ସମୟ ବଦଳୁଛି । ସମାଜର ଚିରାଚରିତ ବିଚାରଧାରାରେ ପରିବର୍ତ୍ତନ ଆସୁଛି । କିନ୍ନରଙ୍କ ପ୍ରତି ଥିବା ସମାଜର ଭିନ୍ନ ଦୃଷ୍ଟିଭଙ୍ଗୀ ଧୀରେ ଧୀରେ ବଦଳୁଛି । ତୃତୀୟ ଲିଙ୍ଗ ପ୍ରତି ଥିବା ଅସୂୟାଭାବ ଧୀରେ ଧୀରେ ଦୂରୀଭୂତ ହେଉଛି । ସମାଜର ମୁଖ୍ୟସ୍ରୋତରେ ସାମିଲ ହେଉଛନ୍ତି କିନ୍ନର । କେନ୍ଦ୍ର ସରକାର ମଧ୍ୟ ତୃତୀୟ ଲିଙ୍ଗ ନିମନ୍ତେ ଅନେକ କାର୍ୟ୍ୟକ୍ରମ କରିଛନ୍ତି । ଛାତ୍ରଛାତ୍ରୀଙ୍କ ପାଇଁ ବିଶ୍ୱବିଦ୍ୟାଳୟରେ ସଂରକ୍ଷଣ ଠାରୁ ଆରମ୍ଭ କରି କୋଚି ମେଟ୍ରୋ ଷ୍ଟେସନରେ ନିଯୁକ୍ତି ଦେବାପରି ପଦକ୍ଷେପ ନେଇଛନ୍ତି ସରକାର । ତେବେ ତୃତୀୟ ଲିଙ୍ଗକୁ ସୁଯୋଗ ଦେବାରେ କେରଳର ଏକ ନ୍ୟୁଜ ଚ୍ୟାନେଲ ଉଦାହରଣ ସୃଷ୍ଟି କରିଛି । ଜଣେ କିନ୍ନରଙ୍କୁ ନ୍ୟୁଜ ଚ୍ୟାନେଲରେ କାମ କରିବାର ସୁଯୋଗ ଦେଇଛି ।
Kanak News is now on WhatsApp
Join and get latest news updates delivered to you via WhatsApp
ପ୍ରଥମ ଥର ପାଇଁ କେରଳର ଏକ ନ୍ୟୁଜ ଚ୍ୟାନେଲ ଜଣେ କିନ୍ନରଙ୍କୁ ସାମ୍ବାଦିକ ଟ୍ରେନି ରୂପରେ କାମ ଦେଇଛି । ୨୨ ବର୍ଷୀୟ ହେଦି ସାଦିଆଙ୍କୁ ୩୧ ଅଗଷ୍ଟରେ ବ୍ରଡବ୍ୟାଣ୍ଡ ସାମ୍ବାଦିକ ଭାବେ ନିଯୁକ୍ତି ମିଳିଛି । ଚାକିରିରେ ଯୋଗଦେବାର ମାତ୍ର ଦୁଇଦିନ ମଧ୍ୟରେ ଗତକାଲି ତାଙ୍କ ଉପରେ ହାତୀ ସୁନାକଳସ ଢ଼ାଳିଥିଲା । ଚନ୍ଦ୍ରଯାନ୨ ଉଭୟରେ ଲାଭି ରିପୋର୍ଟିଂ କରିଥିଲେ ହେଦ । ଅଳ୍ପ ଦିନରେ ଦାୟିତ୍ୱପୂର୍ଣ୍ଣ କାମ ସମର୍ପି ଭରସା କରିଥିବାରୁ ପ୍ରଥମେ ହେଦି ଡରିଯାଇଥିଲେ । ହେଲେ ନ୍ୟୁଜ ଚ୍ୟାନେଲର ମୁଖ୍ୟ ତାଙ୍କୁ ଲାଇଭ ପାଇଁ ସାହସ ଦେଇଥିଲେ । ପ୍ରଥମେ ଟିକିଏ ଡରିଯାଇଥିଲେ ମଧ୍ୟ ବରିଷ୍ଠଙ୍କ ସାହସ ପାଇଁ ମାତ୍ର କିଛି ସମୟର ପ୍ରସ୍ତୁତି ପରେ ଖୁବ ଭଲ ଭାବରେ ଚନ୍ଦ୍ରଯାନ-୨ ଉପରେ ଲାଇଭ ଦେଇଥିଲେ ।
ହେଦି ପିଲାବେଳୁ ଖୁବ ମେଧାବୀ ଏବଂ ପରିଶ୍ରମୀ । ଯୁକ୍ତ ୨ ପରେ ସେ ମାଙ୍ଗଲୁରୁରେ ଏମବିବିଏସ୍ ପାଇଁ ଏକ ବେସରକାରୀ ମେଡ଼ିକାଲ କଲେରେ ନାମ ଲେଖାଇଥିଲେ । ହେଲେ ଲିଙ୍ଗଗତ ଭେଦଭବା ତଥା ରାଗିଂର ଶିକାର ହୋଇ ଅଧାରୁ ପାଠପଢ଼ା ଛାଡ଼ିବାକୁ ବାଧ୍ୟ ହୋଇଥିଲେ । ସବୁ ତୃତୀୟ ଲିଙ୍ଗୀମାନେ ଯେପରି ଦ୍ୱେସର ଶିକାର ହୁଅନ୍ତି ତାଙ୍କୁ ବି ସେପରି ସାମ୍ନା କରିବାକୁ ପଡ଼ିଥିଲା । ସବୁଠାରୁ ଦୁଃଖର କଥା ହେଲା ତାଙ୍କ ମା’ବାବା ବି ତାଙ୍କୁ ଗ୍ରହଣ କରୁନଥିଲେ । ସବୁ ପ୍ରତିକୂଳ ସ୍ଥିତିରେ ମଧ୍ୟ ହେଦି ହାରିଯାଇନଥିଲେ । ସଂଘର୍ଷ ଓ ପାଠପଢ଼ା ଜାରି ରଖିଥିଲେ । ୨୦୧୮ରେ ତ୍ରିଭେନ୍ଦ୍ରମ ପ୍ରେସ କ୍ଲବରେ ପିଜି ଡିପ୍ଲୋମା କୋର୍ସ ପାଇଁ ଆବଦେନ କରିଥିଲେ । ଆଉ ତାଙ୍କୁ ୧୮ ତମ ରାଙ୍କରେ ନାମ ଲେଖାଇଥିଲେ । ଭଲ ନମ୍ବର ରଖି ସାମ୍ବାଦିକ ପାଠ୍ୟକ୍ରମରେ ସେ ଉତୀର୍ଣ୍ଣ ମଧ୍ୟ ହୋଇଥିଲେ । ହେଲେ ପୁଣି ତାଙ୍କ ପାଖରେ ଆଉ ଏକ ବାଧା ଆସି ଛିଡାହୋଇଥିଲା । ଇଣ୍ଟର୍ନସିପ ପାଇବାରେ ବହୁତ କଷ୍ଟ କରିବା ପାଇଁ ପଡ଼ିଥିଲା ।
ଅନେକ ଚ୍ୟାନେଲ ବିନା କାରଣରେ ତାଙ୍କୁ ରିଜେକ୍ଟ କରିଦେଉଥିଲା । ଶେଷରେ କେରଳର ଏକ ଟିଭି ଚ୍ୟାନେଲ ତାଙ୍କୁ ସୁଯୋଗ ଦେଇଛି । ଦୟାରେ ନୁହେଁ ତାଙ୍କର ମେଧା ଓ କିଛି କରିବାର ଇଚ୍ଛା ଦେଖି ତାଙ୍କୁ କାମ କରିବାର ସୁଯୋଗ ମିଳିଛି ।