‘କରୋନା’କୁ ରାଜ୍ୟ ବିପତ୍ତି ଘୋଷଣା କଲେ କେରଳ ସରକାର : ସମସ୍ତ ସ୍ୱାସ୍ଥ୍ୟକର୍ମୀଙ୍କ ଛୁଟି ବାତିଲ, ସତର୍କ ରହିବାକୁ ପରାମର୍ଶ 

338

କନକ ବ୍ୟୁରୋ : ‘କରୋନା’କୁ ରାଜ୍ୟ ବିପତ୍ତି ଘୋଷଣା କଲେ କେରଳ ସରକାର । କେରଳରେ ତୃତୀୟ ରୋଗୀ ଚିହ୍ନଟ ହେବାପରେ କରୋନାକୁ ରାଜ୍ୟ ବିପତ୍ତି ଘୋଷଣା କରାଯାଇଛି । ମାରାତ୍ମକ କରୋନା ଭାଇରସ ଆକ୍ରାନ୍ତଙ୍କ ସଂଖ୍ୟ ଦିନକୁ ଦିନ ବଢିବାରେ ଲାଗିଛି । ଚୀନରୁ ସୃଷ୍ଟି ହୋଇଥିବା କରୋନା ଭାଇରସ୍ ଧୀରେ ଧୀରେ ବିଭିନ୍ନ ଦେଶ ତଥା ଭାରତରେ ମଧ୍ୟ କାୟା ବିସ୍ତାର କଲାଣି । କରୋନା ପାଇଁ କେରଳରେ ଆଲର୍ଟ ଜାରି କରିଦିଆଯାଇଛି ।

କେରଳ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ କ୍ରମରେ ଏପରି ଘୋଷଣା କରାଯାଇଛି ବୋଲି କହିଲେ ସ୍ୱାସ୍ଥ୍ୟ ମନ୍ତ୍ରୀ କେକେ ଶୈଲଜା । ସ୍ୱାସ୍ଥ୍ୟବିଭାଗର ସମସ୍ତ କର୍ମଚାରୀଙ୍କ ଛୁଟିକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ବାତିଲ କରିଦିଆଯାଇଛି । ଭାଇରସ ସଂକ୍ରମଣରୁ ରକ୍ଷା ପାଇବା ପାଇଁ ଉଚିତ୍ ସରକାର ପ୍ରୟାସ କରୁଛନ୍ତି । ଲୋକେ ଭୟଭୀତ ନହୋଇ ସତକର୍ମତା ଅବଲମ୍ବନ କରିବା ଉଚିତ ବୋଲି କହିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ।

ସେପଟେ ଚୀନ ଛଡା ବିଶ୍ୱର ୨୬ଟି ଦେଶରେ ଏହି ଭୂତାଣୁରେ ସଂକ୍ରମିତ ରୋଗୀଙ୍କୁ ଚିହ୍ନଟ କରାଯାଇ ସାରିଲାଣି । କେବଳ ଚୀନରେ ୧୪ ହାଜର ଲୋକ ଆକ୍ରାନ୍ତ ହୋଇଥିବାବେଳେ ମୃତ୍ୟୁ ସଂଖ୍ୟା ୪୨୫କୁ ଛୁଇଁଲାଣି । ସେହିପରି ଭାରତରେ କେବଳ କେରଳରୁ ୩ଜଣ ରୋଗୀ ଚିହ୍ନଟ ହୋଇଛନ୍ତି । କେରଳରୁ ତୃତୀୟ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଥିବାବେଳେ, ଆକ୍ରାନ୍ତ ଜଣକ ନିକଟରେ ଚୀନ୍ର ଉହାନରୁ ଫେରିଥିବା ଜଣେ ଛାତ୍ର ବୋଲି ସୂଚନା ମିଳିଛି । ଅନ୍ୟ ଦୁଇଜଣ ଆକ୍ରାନ୍ତ ମଧ୍ୟ ଚୀନରୁ ଫେରିଥିବା ସୂଚନା ରହିଛି ।

ଏପଟେ କଟକ ସ୍ଥିତ ଏସସିବିରେ ଚୀନ ଫେରନ୍ତା ଦୁଇ ସନ୍ଦିଗ୍ଧ ଆକ୍ରାନ୍ତଙ୍କୁ ସ୍ୱତନ୍ତ୍ର ୱାର୍ଡରେ ରଖି ଚିକିତ୍ସା କରାଯାଉଛି । ସେମାନଙ୍କ ରକ୍ତ ଓ ଲାଳ ନମୂନା ସଂଗ୍ରହ କରାଯାଇ ପୁନେକୁ ପଠାଯାଇଥିବା ବେଳେ ଚଳିତ ସପ୍ତାହ ଶେଷ ସୁଦ୍ଧା ରିପୋର୍ଟ ଆସିପାରେ । ପୂର୍ବରୁ ଓଡିଶାର ପାଂଚ ସନ୍ଦିଗ୍ଧ ଆକ୍ରାନ୍ତଙ୍କ ନେଗେଟଭି ରିପୋର୍ଟ ଆସିଛି ।