ନିଦ ହଜେଇ ଦେଇଛି ପାଣି ! କେନ୍ଦୁଝରରେ ଗରାଏ ପାଣି ପାଇଁ ରାତି ୩ଟାରୁ ନଳକୂଅ ପାଖରେ ଲାଇନ ଲଗାଉଛନ୍ତି ମହିଳା

52

କନକ ବ୍ୟୁରୋ : ପାଣି ପାଇଁ ରାତି ଅନିଦ୍ରା । ଶୋଷ ମେଂଟାଇବାକୁ ଲୋକଙ୍କ ଆଖିରୁ ହଜିଯାଇଛି ନିଦ । ଏକଥା ଶୁଣିଲେ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏହା ସମ୍ପୂର୍ଣ୍ଣ ସତ । କେନ୍ଦୁଝର ଜିଲ୍ଲା ସଦର ବ୍ଲକ ଡୁମୁରିବାଡି ସାହିରେ ଏହା ନିତିଦିନିଆ କଥା । ଘନ ଅନ୍ଧାର ଭିତରେ ନଳକୂଅ ପାଖରେ ଲାଗିଛି ମହିଳାଙ୍କ ଲମ୍ବା ଲାଇନ । ପାଣି ଗରାଏ ପାଇଁ ପ୍ରତିଦିନ ଏମିତି ରାତି ଅଧରୁ ଆସି ନଳକୂଅ ପାଖରେ ଲାଇନ ଲଗାଇଥନ୍ତା ଏଠାକାର ଆଦିବାସୀ ସାନ୍ତାଳ ମହିଳାମାନେ ।

୭୦ରୁ ଅଧିକ ଆଦିବାସୀ ସାନ୍ତାଳ ପରିବାରକୁ ନେଇ କେନ୍ଦୁଝର ସଦର ବ୍ଲକର ଡୁମୁରିବାଡି ସାହି । ସାହି ବାସିନ୍ଦାଙ୍କୁ ପାନୀୟ ଜଳ ଯୋଗାଇବା ପାଇଁ ୨ଟି ନଳକୂଅ ଅଛି । ୩ ବର୍ଷ ହେବ ଗୋଟିଏ ଅଚଳ ହୋଇପଡିଥିବା ବେଳେ ଅନ୍ୟଟିର ଅବସ୍ଥା ଏପରି ଯେ, ଘଂଟାରୁ ଅଧିକ ସମୟ ପରିଶ୍ରମ କଲେ ଗୋଟିଏ ଗରା ପୂରିବା ବଡ କଷ୍ଟ । ଆଉ ଯଦି କେହି ନଳକୂଅରୁ ପାଣି ନପାଆନ୍ତି ତେବେ ସେମାନଙ୍କ ଶୋଷ ମେଂଟାଇବାର ଶେଷ ଠିକଣା ଗାଁ ନିକଟ ଗୋଳିଆ ଚୂଆ । ଅନ୍ୟପଟେ ଡୁମୁରିବାଡି ସାହି ଜଳ ସମସ୍ୟାର ସମାଧାନ ଦିଗରେ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି କେନ୍ଦୁଝର ସଦର ବିଡିଓ ।

ଖଣି ଜିଲ୍ଲାର ବିକାଶ ପାଇଁ ଗଠନ ହୋଇଛି ଡିଏମଏଫ ଫଣ୍ଡ । ଆଉ ଏହି ପାଣ୍ଠିରେ ରହିଛି ୨ହଜାର କୋଟିରୁ ଅଧିକ ଟଙ୍କା । ଏହା ସତ୍ୱେ ବି ପାନୀୟ ଜଳ ପାଇଁ ଲୋକଙ୍କ ସଂଘର୍ଷ ଦେଖିଲେ, ସ୍ୱଭାବିକ ଭାବେ ପ୍ରଶ୍ନ ଉଠେ ଏ ପାଣ୍ଠି କାହା ସ୍ୱାର୍ଥରେ?

ସେହିପରି କଳାହାଣ୍ଡି ଜିଲ୍ଲା ଧର୍ମଗଡ ତେଲନଦୀ କୁଳରେ ଥିବା ଛିଲିପା ଗାଁରେ ଉତ୍କଟ ହୋଇଛି ପାନୀୟ ଜଳ ସମସ୍ୟା । ଗ୍ରାମାବାସୀଙ୍କ ଶୋଷ ମେଂଟାଇବା ପାଇଁ ଥିବା ନଳକୂଅ ଅଚଳ ହୋଇପଡିଛି । ଏହାସହ ସରକାରଙ୍କ ଦ୍ୱାରା ନିର୍ମାଣ କରାଯାଇଥିବା ଜଳ ଯୋଗାଇ ପ୍ରକଳ୍ପ ବି ଅଚଳ ହୋଇପଡିଛି । ଯାହା ଲୋକଙ୍କ ସମସ୍ୟାକୁ ବଢିଯାଇଛି ।

ତେଲନଦୀ କୁଳରେ ରହିଛି ଧର୍ମଗଡ ବ୍ଲକର ଛିଲିପା ଗାଁ । ୪ହଜାରରୁ ଅଧିକ ଲୋକ ବସବାସ କରୁଥିବା ଏହି ଗାଁରେ ଶୋଷ ମେଂଟାଇବା ପାଇଁ ରହିଛି ୮ଟି ନଳକୂପ । ସେଥିରୁ ୫ଟି ଅଚଳ ହୋଇ ପଡିଥିବା ବେଳେ ୩ଟି ଗ୍ରାମବାସୀଙ୍କ ଜୀବନରେଖା ପାଲଟିଛି । ଫଳରେ ରାତି ପାହିଲେ ନଳକୂଅ ପାଖରେ ମହିଳାଙ୍କ ଭିଡ ଲାଗୁଥିବା ବେଳେ ପାଟିତୁଣ୍ଡ କରିବା ନିୟମିତ ଘଟଣା ହୋଇଯାଇଛି ।

water problem in bramhagiri

ଛିଲିପା ଗାଁର ଜଳ ସଂକଟ ଦୂର କରିବା ପାଇଁ ୧କୋଟି ୫୬ଲକ୍ଷ ଟଙ୍କା ବିନିମୟରେ ଜଳ ଯୋଗାଣ ପ୍ରକଳ୍ପ କରାଯାଇଛି । ଇଂଟେକ ୱେଲ, ଓଭରହେଡ ଟ୍ୟାଙ୍କ ଓ ବିଦ୍ୟୁତ ଟ୍ରାନ୍ସଫରମର ବସିବା ସହ ଗାଁରେ ୨୮ଟି ଷ୍ଟାଂଡ ପୋଷ୍ଟ ହୋଇଛି । ହେଲେ ନିମ୍ନମାନର କାମ ଯୋଗୁଁ ଅଳ୍ପ କିଛି ଦିନ ପାଣି ଯୋଗାଇବା ପରେ ବନ୍ଦ ହୋଇପଡିଛି ଜଳ ଯୋଗାଣ ପ୍ରକଳ୍ପ । ସେପଟେ ଜଳ ସମସ୍ୟାକୁ ନେଇ ଜଳ ଓ ପରିମଳ ବିଭାଗ ସହକାରୀ ନିର୍ବାହୀ ଯନ୍ତ୍ରୀ କହିଛନ୍ତି ଖୁବ୍ଶୀଘ୍ର ପ୍ରତିକାର ବ୍ୟବସ୍ଥା କରାଯିବ । ପାନୀୟ ଜଳ ଯୋଗାଇ ଦେବା ପାଇଁ ରାଜକୋଷରୁ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ଠିକାଦାର ଓ ବିଭାଗୀୟ ଅଧିକାରୀମାନଙ୍କ ଅର୍ଥଖୋର ମନୋଭାବ ଯୋଗୁଁ ଶୋଷରେ ରହୁଛି ମଣିଷ ।