ଶିବରାତ୍ରିରେ ବଡ଼ ଅଘଟଣ : ଦୀପ ଜାଳୁଥିବା ବେଳେ ମହିଳାଙ୍କ ଶାଢ଼ିରେ ଲାଗିଗଲା ନିଆଁ, ଡାକ୍ତରଖାନାରେ ଭର୍ତ୍ତି ହେଲେ ମହିଳା

456

କନକ ବ୍ୟୁରୋ : ଦୀପ ଜାଳୁଥିବା ବେଳେ ମହିଳାଙ୍କ ଶାଢ଼ିରେ ଲାଗିଗଲା ନିଆଁ  । କେନ୍ଦୁଝର ଜିଲ୍ଲା ଅନ୍ତର୍ଗତ ଆନନ୍ଦପୁର ଅଞ୍ଚଳରେ ଆଜି ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଆଜି ମହାଶିବରାତ୍ରି ତଥା ଜାଗରଯାତ୍ରା ହୋଇଥିବାରୁ ରାଜ୍ୟର ଅଧିକାଂଶ ଶୈବପୀଠମାନଙ୍କ ଭଳି ଘଷିପୁରା ବ୍ଲକର ଦେଓଗାଁସ୍ଥିତ କୁଶଳେଶ୍ୱର ଶିବ ମନ୍ଦିରରେ ବି ସକାଳୁ ଶ୍ରଦ୍ଧାଳୁମାନଙ୍କର ଭିଡ଼ ପରିଲକ୍ଷିତ ହୋଇଥିଲା । ଭକ୍ତମାନେ ଧାଡ଼ିରେ ମନ୍ଦିର ଭିତରକୁ ପ୍ରବେଶ କରୁଥିଲେ ।

ପୂର୍ବାହ୍ନ ପ୍ରାୟ ୧୧ଟା ସମୟରେ ଦେଓଗାଁର କୁଶଳେଶ୍ୱର ଶିବ ମନ୍ଦିରରେ କମଳିନୀ ବାରିକ ନାମକ ଜଣେ ମହିଳା ଦୀପ ଜଳାଉଥିଲେ । ହଠାତ୍ ସେଠାରେ ଦୀପଷ୍ଟାଣ୍ଡରେ ଥିବା ଦୀପର ନିଆଁ ତାଙ୍କ ଶାଢ଼ିରେ ଲାଗି ଯାଇଥିଲା । ଏହାପରେ ସେ ଚିତ୍କାର କରିଥିଲେ । ତାଙ୍କ ପାଟି ଶୁଣି ପାଖରେ ଥିବା ଅନ୍ୟ ଭକ୍ତମାନେ କମଳିନୀଙ୍କୁ ଉଦ୍ଧାର କରିଥିଲେ । ତା’ପରେ ସେମାନେ ତାଙ୍କୁ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। କମଳିନୀଙ୍କର ବାମ ହାତ ପୋଡ଼ି ଯାଇଥିବାର ସୂଚନା ମିଳିଛି ।