‘ଆହାର ଛଡେଇ ନେଲା ଆଧାରକାର୍ଡ’ : କନକ ନ୍ୟୁଜରେ ଖବର ପ୍ରସାରଣ ପରେ ଚେତିଲେ ସରକାର, କେନ୍ଦୁଝରର ନାବାଳିକାକୁ ଦୁଇ ମାସର ଚାଉଳ ଦିଆଯାଇଥିବା ନେଇ ଟ୍ୱିଟ୍ କଲେ ମନ୍ତ୍ରୀ

861

କନକ ବ୍ୟୁରୋ : ଶେଷରେ ସୀମାର ଦୁଃଖ ଶୁଣିଲା ପ୍ରଶାସନ । ଆଉ ଭୋକିଲା ରହିବନି କୁନି ଝିଅ ସୀମା । ଆଧାର ଛଡ଼େଇନେଲା ଆହାର ଘଟଣା ଗଣମାଧ୍ୟମରେ ପ୍ରସାରଣ ପରେ ଚେତିଲା ପ୍ରଶାସନ । ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ପରେ ଦୁଇ ମାସର ଚାଉଳ ଦେଲା ପ୍ରଶାସନ । ଖବର ପ୍ରସାରଣ ପରେ କେନ୍ଦୁଝର ପ୍ରଶାସନ ତୁରନ୍ତ ଅସୟାହ ସୀମା ପାଖରେ ପହଞ୍ଚି ସୁବିଧା ଅସୁବିଧା ବୁଝିଥିଲା ବୋଲି ପ୍ରକାଶ କରିଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ । ଆଉ ଏହା ପରେ ପଂଚାୟତ କର୍ମଚାରୀ ତାଙ୍କ ଘରକୁ ଯାଇ ଦୁଇ ମାସର ଚାଉଳ ଦେଇଆସିଛନ୍ତି । ନାବାଳିକା ଝିଅ ସୀମାର ଆଧାର କାର୍ଡ଼ କରିବା ସହିତ ରାସନ କାର୍ଡ଼ରେ ସଂଯୋଗ କରିବା ପ୍ରକ୍ରିୟା ଜିଲ୍ଲା ଯୋଗାଣ ବିଭାଗ ଆରମ୍ଭ କରିଛି ।

କେନ୍ଦୁଝର ସଦର ବ୍ଲକ ସଲରାପେଣ୍ଠ ଗାଁର ସୀମା ମୁଣ୍ଡା କାଠ ବିକ୍ରି କରି ଚଳନ୍ତି । ସୀମାର ଜନ୍ମ ପରେ ତାଙ୍କ ମା’ ଆରପାରିକୁ ଚାଲିଗଲେ । କିଛି ବର୍ଷ ପରେ ବାପାଙ୍କର ମଧ୍ୟ ଦେହାନ୍ତ ହୋଇଗଲା । ଏହାପରେ ବୁଢା ବାପାଙ୍କ ପାଖରେ ରହୁଥିଲେ ସୀମା ମୁଣ୍ଡା । କିନ୍ତୁ ଦୁର୍ଭାଗ୍ୟର ବିଷୟ ବାର୍ଦ୍ଧକ୍ୟ କାରଣରୁ ଦୁଇ ବର୍ଷ ତଳୁ ଆଖିବୁଜି ସାରିଛନ୍ତି ବୁଢା ଜେଜେବାପା । ଏହା ପରେ ସୀମା ସମ୍ପୁର୍ଣ୍ଣ ଏକା ହୋଇପଡ଼ିଥିଲେ ।

ରାସନ କାର୍ଡ଼ରେ ତାଙ୍କୁ ୫କିଲୋ ଚାଉଳ ମିଳୁଥିବା ବେଳେ ଆଧାର କାର୍ଡ଼ ସଂଯୋଗ କରିନଥିବାରୁ ତାଙ୍କୁ ଚାଉଳ ମଧ୍ୟ ମିଳିବା ବନ୍ଦ ହୋଇଯାଇଥିଲା । ଫଳରେ ଜଙ୍ଗଲରୁ କାଠ ସଂଗ୍ରହ କରି ଏହାକୁ ବିକ୍ରି କଷ୍ଟେ ମଷ୍ଟେ ଜୀବନ ବିତାଉଥିଲା କୁନି ଝିଅ ସୀମା । ଏବେ ସୀମାକୁ ରାସନ କାର୍ଡ଼ରେ ଚାଉଳ ମିଳିବାର ବ୍ୟବସ୍ଥା କରାଯାଇଥିବା ବେଳେ ସୀମାର ଭବିଷ୍ୟତକୁ ନେଇ ପ୍ରଶ୍ନ ଉଠୁଛି ।