ବର୍ଷା ଧୋଇନେଲା ଚାଷୀର ସ୍ୱପ୍ନ : କେନ୍ଦ୍ରାପଡା ଗରଦପୁର ବ୍ଲକରେ ୧୮ ପଂଚାୟତରେ ବିଲରେ ଜମିଛି ଅକାତକାତ ପାଣି

34

କନକ ବ୍ୟୁରୋ : ବର୍ଷା ଧୋଇନେଲା ଚାଷୀର ସ୍ୱପ୍ନ । ମୁଣ୍ଡ ଝାଳ ତୁଣ୍ଡରେ ମାରି କ୍ଷେତରେ ଫଳାଇଥିବା ସୁନାର ଫସଲ ଧାନ ନଷ୍ଟ ହୋଇଯିବା ଦେଖି ଏବେ ଚାଷୀ ବସିଛି ମୁଣ୍ଡରେ ହାତଦେଇ । ଜମିରେ ରୁଆ ହୋଇଥିବା ଧାନ ତଳି ସାଙ୍ଗକୁ ଦିନ କୋଇଟା ପରେ ଅମଳ ହେବାକୁ ଥିବା ପାଚିଲା ଧାନ କ୍ଷେତରେ ଜମି ରହିଛି ଅକାତକାତ ପାଣି । କେଉଁଠି ରୁଆ ହୋଇଥିବା ଧାନ ତଳି ସବୁ ପଚି ଗଲାଣି ତ ଆଉ କେଉଁଠି ପାଚିଲା ଧାନ ହୋଇଯାଇଛି ଗଜା । ଲଘୁଚାପ ପ୍ରଭାବରେ କେନ୍ଦ୍ରାପଡା ଜିଲ୍ଲାରେ ହୋଇଥିବା ପ୍ରବଳ ବର୍ଷା ଦ୍ୱାରା ଗରଦପୁର ବ୍ଲକରେ ଥିବା ୧୮ ପଂଚାୟତ ହୋଇଛି ଅଧିକ ମାତ୍ରାରେ କ୍ଷତିଗ୍ରସ୍ଥ ।

ବ୍ଲକର ବେରାଡି, ପାଟକୁରା, ଗରଦପୁର,ବଙ୍ଗାଳପୁର, ନଡିଆବରାଇ, ପଦ୍ମପୁର ଏବଂ ତଳକୁସୁମା ଭଳି ପଂଚାୟତରେ ଧାନ ଫସଲର ହୋଇଛି ବ୍ୟାପକ କ୍ଷୟକ୍ଷତି । ଧାନ ଜମିରେ ନିସ୍କାସିତ ନହୋଇପାରି ବର୍ଷାପାଣି ଜମି ରହିବା ଦ୍ୱାରା ପାଚିଲା ଧାନ ଗଜା ହେବା ସହିତ ଖରିଫ୍ ଧାନ ଚାଷ ମଧ୍ୟ ବ୍ୟାପକ ମାତ୍ରାରେ ପଚିସଢି ନଷ୍ଟ ହୋଇଯାଇଛି । ଧାନ କ୍ଷେତରେ ବର୍ଷା ପାଣି ଜମି ରହିବା ଫଳରେ ଚାଷୀ ମାନେ ପାଚିଲା ଧାନ ଫସଲକୁ ପାଣିରୁ ଛାଣି ଅମଳ କରିବା ନିମନ୍ତେ ବାଧ୍ୟ ହୋଉଛନ୍ତି । ଧାରକରଜ କରି ହଜାର ହଜାର ଟଙ୍କା ଚାଷରେ ଖର୍ଚ୍ଚ କରିଥିବା ଚାଷୀକୂଳ ଏବେ ଚିନ୍ତାରେ ।