କେବେ ସରିବ ଦାଦନର ଦୁଃଖ?  ପେଟପାଟଣା ପାଇଁ କାହାର ପୁଅ ତ ଆଉ କାହା ସ୍ୱାମୀ ତିଳ ତିଳ ଜଳି ଦାଦନ ଖଟୁଛନ୍ତି, ଏପଟେ ଆଶା ଆଶଙ୍କାରେ ପରିବାର ଲୋକେ . . .

299

କନକ ବ୍ୟୁରୋ : ପେଟ ପାଇଁ ରାଜ୍ୟ ତଥା ଦେଶ ବାହାରକୁ ରୋଜଗାର ଆଶାରେ ଯାଇ ନିର୍ଯାତିତ ହୁଅନ୍ତି ଦାଦନ ଶ୍ରମିକ । କେତେବେଳେ ଦଲାଲର ଦଣ୍ଡ ତ ଆଉ କେତେବେଳେ କମ୍ପାନୀର ନିର୍ଯାତନା ଶ୍ରମିକଙ୍କୁ ଅଣନିଶ୍ୱାସୀ କରିଦିଏ । ବେଳେବେଳେ ଦାଦନଙ୍କ ମୃତ୍ୟୁ ଖବର ବି ଘରକୁ ଆସେ । ଦଲାଲ ପଞ୍ଚାରେ ଫସିଥିବା ଶ୍ରମିକ, ଉଦ୍ଧାର ପାଇଁ ପ୍ରଶାସନକୁ ଗୁହାରୀ କରିବା ଖବର ଗଣମାଧ୍ୟମର ସିରୋନାମା ପାଲଟେ । ତଥାପି ଦାଦନଙ୍କ ଦୁଃଖ ସରିନାହିଁ । ଏବେ ବି କେନ୍ଦ୍ରାପଡା ଜିଲ୍ଲାର ହଜାର ହଜାର ଅଣପଞ୍ଜିକୃତ ଦାଦନ ଶ୍ରମିକ ଭିଟାମାଟି ଛାଡି ରାଜ୍ୟ ବାହାରେ କାମ କରୁଛନ୍ତି । ପରିବାରର ପେଟ ପାଇଁ କାହାର ପୁଅ ତ ଆଉ କାହା ସ୍ୱାମୀ ଦାଦନ ଖଟୁଛନ୍ତି । ଏପଟେ ଘରେ ପ୍ରତି ମୁହୂର୍ତ୍ତରେ ଆଶା ଆଶଙ୍କାରେ ବଞ୍ଚିଛନ୍ତି ପରିବାର ଲୋକେ ।

କେନ୍ଦ୍ରାପଡା ପଟାମୁଣ୍ଡ।ଇ ବ୍ଲକ ପ୍ରେମଲତା ସେଠୀ । କ୍ୟାନସର ରୋଗରେ ସ୍ୱାମୀଙ୍କ ମୁତ୍ୟୁ ପରେ ପରିବାର ପ୍ରତିପୋଷଣ ଓ କରଜ ସୁଝିବା ପାଇଁ ପ୍ରେମଲତାଙ୍କ ୩ ନାବାଳକ ପୁଅ ପାଠ ଛାଡି ରାଜ୍ୟ ବାହାରେ ଦାଦନ ଖଟୁଛନ୍ତି । ଜଣେ ଦଲାଲ ଦୁଇ ପୁଅଙ୍କୁ ନେଇଛି, ସେକଥା ପ୍ରେମଲତା ଜାଣନ୍ତି, ହେଲେ ପୁଅମାନେ କେଉଁଠି କାମ କରୁଛନ୍ତି ତାହା ତାଙ୍କୁ ଜଣାନାହିଁ ।

କେବଳ ପ୍ରେମଲତାଙ୍କ ନାବାଳକ ପୁଅ ନୁହଁନ୍ତି, ଜିଲ୍ଲାର ମହାକଳପଡା,ରାଜନଗର,ରାଜକନିକା, ଆଳି ଓ ପଟାମୁଣ୍ଡାଇ ଅଂଚଳରୁ ପ୍ରାୟ ୨ ଲକ୍ଷରୁ ଅଧିକ ଶ୍ରମିକ ଦାଦାନ ଖଟିବାକୁ ଦେଶ ତଥା ବିଦେଶକୁ ଯାଇଛନ୍ତି । ସେମାନଙ୍କ ମଧ୍ୟରୁ ଅଧିକାଂଶ ଜୀବନକୁ ବାଜି ଲଗାଇ ପାଣି ପାଇପ ଶ୍ରମିକ ଭାବେ କାମ କରନ୍ତି । କିନ୍ତୁ ସରକାରୀ ଭାବେ ମାତ୍ର ୫ ପ୍ରତିଶତ ପାଣି ପାଇପ ଶ୍ରମିକ ପଂଜିକୃତ ।

ପୂର୍ବରୁ ୧୧ଟି ଜିଲ୍ଲାକୁ ପ୍ରବାଶି ଶ୍ରମିକ ଜିଲ୍ଲା ଘୋଷଣା କରାଯାଇଥିବା ବେଳେ ଚଳିତ ବର୍ଷ କେନ୍ଦ୍ରାପଡା ଜିଲ୍ଲାକୁ ଏଥିରେ ସାମିଲ କରାଯାଇଛି । କିନ୍ତୁ ଜିଲ୍ଲା ଶ୍ରମବିଭାଗ ପାଖରେ ଶ୍ରମିକଙ୍କ ତାଲିକା ନାହିଁ । ଯାହା ବିଡମ୍ବନାର ବିଷୟ ।