କାଶ୍ମୀରରେ ଶୀତର ପ୍ରକୋପ : ବରଫ ଚାଦରରେ ଢାଙ୍କି ହୋଇ ରହିଛି ରଜୌରୀର ମୋଗଲ ରୋଡ,ରାସ୍ତା ସଫେଇ ପାଇଁ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି କାମ

239

କନକ ବ୍ୟୁରୋ : ଜାମ୍ମୁକାଶ୍ମୀର ରଜୌରୀରେ ଜୀବନ ଯାତ୍ରାକୁ ଠପ୍ କରିଦେଇଛି ବରଫ ବର୍ଷା । ପୀରପଂଜାଲ ପାର୍ବତ୍ୟମାଳାରେ ଚଳିତ ବର୍ଷ ଆଗୁଆ ହିମପାତ ଆରମ୍ଭ ହୋଇଥିବାରୁ ଏବେ ଏହି ଅଂଚଳର ଲାଇଫ୍ ଲାଇନ୍ ମୋଗଲ୍ ରୋଡ୍ ଉପରେ ଜମି ରହିଛି ବରଫର ବହଳିଆ ଆସ୍ତରଣ । ବରଫ  ସଫା କରି ରାସ୍ତା ଫିଟାଇବାକୁ ଯୁଦ୍ଧକାଳୀନ ଭିତ୍ତିରେ ଆରମ୍ଭ ହୋଇଛି ଉଦ୍ୟମ । ବର୍ଡର ରୋଡ୍ ଅର୍ଗାନାଇଜେସନ୍ ପକ୍ଷରୁ ବଡ ବଡ ମେସିନ୍ ସହାୟତାରେ ଚାଲିଛି ବରଫ ସଫେଇ କାମ । ଏହି ଅଂଚଳରେ ରହିଛି ପ୍ରସିଦ୍ଧ ସନ୍ତ ବାବା ଅବଦୁଲ୍ କରିମଙ୍କ  ମନ୍ଦିର ।

ଯାହାକୁ ସଂଯୋଗ କରୁଥିବା ରାସ୍ତା ବରଫ ଚାଦରରେ ବୁଡି ରହିଛି । ଏହି ସବୁ ଅଂଚଳକୁ ଏବେ ବାଟ ଫିଟାଇବା ପାଇଁ ଉଦ୍ୟମ ଚାଲିଛି । ରାସ୍ତା ସଫେଇର ଏପରି ଉଦ୍ୟମକୁ ଅଂଚଳବାସୀ ବେଶ୍ ପ୍ରଶଂସା କରିଛନ୍ତି । ଚାରିଆଡ ବରଫରେ ଢାଙ୍କି ହୋଇ ଜୀବନ ଯାତ୍ରା ଠପ୍ ହୋଇଥିବା ବେଳେ ଯେତେ ଶୀଘ୍ର ଏହି ରାସ୍ତା ସଫେଇ କାମ ଶେଷ ହେବ ଲୋକଙ୍କୁ ବଡ ଆଶ୍ୱସ୍ତି ମିଳିବ ବୋଲି କହିଛନ୍ତି ସ୍ଥାନୀୟ ବାସିନ୍ଦା ।