ମୁଣ୍ଡରେ ବାଜିଥିଲା ଗୁଳି : ଧାର ଧାର ରକ୍ତ ବହି ଯାଉଥିଲା . . . ମାଟି ଉପରେ ଟଳିବା ପୂର୍ବରୁ ଆତଙ୍କୀଙ୍କୁ ନିପାତ କରି ସବୁଦିନ ପାଇଁ ଅମର ହୋଇଗଲେ ବୀର ଯବାନ ରମେଶ ରଞ୍ଜନ

5,549

କନକ ବ୍ୟୁରୋ : ଦେଶ ମାତୃକା ପାଇଁ ପ୍ରାଣବଳୀ ଦେଲେ ଆଉ ଜଣେ ବୀରପୁତ୍ର । ଆକ୍ରମଣରେ ଟଳି ପଡ଼ିଲେ ସିନା ହେଲେ ଆତଙ୍କୀଙ୍କୁ ଛାଡ଼ିଲେନି । ମୁଣ୍ଡରେ ଗୁଳି ବାଜିଥିଲେ . . . . ଧାର ଧାର ରକ୍ତ ବୋହି ଯାଉଥିଲା । ତଥାପି ଜୀବନ ପ୍ରତି ମୋହ ନଥିଲା, ଘର ପରିବାରର ମୋହ ନଥିଲା । ଟାର୍ଗେଟ ଥିଲା ଆତଙ୍କୀ ଉପରେ । ଗୁଳି ବିନିୟମ ସମୟରେ ଆତଙ୍କବାଦୀଙ୍କୁ ନିପାତ କରି ସହିଦ ହୋଇଗଲେ ସିଆରପିଏଫ୍ ଯବାନ ରମେଶ ରଞ୍ଜନ ସିଂ। ମା’ ମାଟି ପାଇଁ ଜୀବନ ଦେଇ ସବୁଦିନ ପାଇଁ ଅମର ହୋଇଗଲେ ।

ଦେଶ ପାଇଁ ଜୀବନ ଦେବା ସମସ୍ତଙ୍କ ଭାଗ୍ୟରେ ଜୁଟେନି । ନିଜ ପରିବାର ନିଜ ଜୀବନ ଅପେକ୍ଷା ମା’ମାଟି ବଡ଼ । ଏକଥା ସବୁବେଳେ ପ୍ରମାଣ କରିଆସିଛନ୍ତି ଆମ ଦେଶର ବୀର ସୈନିକମାନେ । ଗତ ବୁଧବାର ଲୱେପୋରା ଅଞ୍ଚଳରେ ଯବାନଙ୍କ ସହ ମୁହାଁମୁହିଁ ହୋଇଥିଲେ ଆତଙ୍କବାଦୀ । ଆତଙ୍କବାଦୀ ଲୁଚିଥିବା ନେଇ ସୂଚନା ମିଳିବା ପରେ ସିଆରପିଏଫ୍ ଯବାନଙ୍କ ପକ୍ଷରୁ ତୁରନ୍ତ ସର୍ଚ୍ଚ ଅପରେସନ୍ ଆରମ୍ଭ ହୋଇଥିଲା । ସର୍ଚ୍ଚ ଅପରେସନ ବେଳେ ସୁରକ୍ଷାକର୍ମୀ ଓ ଆତଙ୍କୀଙ୍କ ମଧ୍ୟରେ ଗୁଳିବିନିୟମ ହୋଇଥିଲା । ଆଉ ଏହି ସମୟରେ  ଆତଙ୍କବାଦୀ ମାନେ ବୀରପୁତ୍ର ରମେଶ ରଞ୍ଜନଙ୍କ ମୁଣ୍ଡକୁ ଗୁଳି ଚଳାଇଥିଲେ ।

ବୀରପୁତ୍ର ରମେଶ ରଞ୍ଜନଙ୍କ ମୁଣ୍ଡରେ ଗୁଳି ବାଜିଥିଲେ ସୁଦ୍ଧା ସେ ଜୀବନ ବିକଳରେ ପଛଘୁଞ୍ଚା ଦେଇନଥିଲେ । ଅସୀମ ବୀରତ୍ୱ ପ୍ରଦର୍ଶନ କରି ଶରୀର ଶେଷ ରକ୍ତ ବିନ୍ଦୁ ଥିବା ଯାଏ ଲଢ଼େଇ ଜାରି ରଖିଥିଲେ । ମାଟି ଉପରେ ଟଳିବା ପୂର୍ବରୁ ଜଣେ ଆତଙ୍କବାଦୀଙ୍କୁ ନିପାତ କରିଥିଲେ । ତେବେ ରମେଶ ରଞ୍ଜନଙ୍କ ଚିତ୍କାର ଶୁଣି ଯବାନ ମାନେ ସତର୍କ ହୋଇ ଘଟଣାସ୍ଥଳରେ ତୁରନ୍ତ ପହଞ୍ଚି ଆଉ ଦୁଇ ଆତଙ୍କବାଦୀଙ୍କୁ ନିପାତ କରିଥିଲେ ।

ଗୁଳି ବାଜିବା ପରେ ରମେଶଙ୍କୁ ଗୁରୁତର ଅବସ୍ଥାରେ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା  । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଭୋଜପୁର ଜିଲ୍ଲା ବାସିନ୍ଦା ସହିଦ ରମେଶ ରଞ୍ଜନ ସହିଦ ରମେଶ ରଞ୍ଜନ ୨୦୧୧ରେ କେନ୍ଦ୍ରୟୀ ରିଜର୍ଭ ପୁଲିସ ବଳ ୭ ବାଟାଲୟନରେ ଜଣେ କନେଷ୍ଟବଳ ଭାବେ ଯୋଗ ଦେଇଥିଲେ । ପ୍ରଥମେ ଓଡ଼ିଶାରେ ତାଙ୍କର ପୋଷ୍ଟିଂ ହୋଇଥିଲା, ଆଉ ଜମ୍ମୁ –କାଶ୍ମୀରକୁ ତାଙ୍କର ବଦଳି ହୋଇଥିଲା ।

ଦୁଇ ବର୍ଷ ପୂର୍ବରୁ ବିବାହ କରିଥିଲେ ଏହି ବୀର ଯବନା । ପ୍ରାୟ ଏକ ମାସ ପୂର୍ବରୁ ଘରକୁ ଛୁଟିରେ ଯାଇଥିଲେ ରମେଶ । ପୁଅ ସହ ସବୁ ଫୋନରେ କଥା ହୁଏ । ସହିଦ ହେବା ଦିନ ବି ବାପାଙ୍କ ସହ କଥା ହୋଇଥିଲେ ରମେଶ,  ହେଲେ କିଛି ଘଂଟା ପରେ  ପୁଅର ମୃତ୍ୟୁ ଖବର ଶୁଣିଥିଲେ ବାପା ରାଧାମୋହନ ସିଂ । ପୁଅ ସହିଦ ହେବା ପରେ ବାପା ଗର୍ବ କରୁଥିଲେ ହେଁ ଛାତି ଭିତରର କୋହକୁ ଚାପି ଧରିପାରୁ ନାହାଁନ୍ତି । ରମେଶଙ୍କ ମା’ଙ୍କ ଆଖିରୁ ଅବିରତ ଲୁହ ଝରୁଛି । ମୃତ୍ୟୁ ଖବର ଶୁଣିବା ପର ଠାରୁ ସହିଦଙ୍କ ପତ୍ନୀଙ୍କର ହୋସ ଆସୁନି । ଏତେ ଦୁଃଖ ମଝିରେ ବି ସହିଦ ପୁଅ ଆମ ପାଇଁ ଆଦର୍ଶ  ବୋଲି କହିଛନ୍ତି ପରିବାର ଲୋକେ ।