ସାରା ଦୁନିଆକୁ ଚମକାଇ ଦେଲେ କର୍ଣ୍ଣାଟକର ଦେଶୀ ଉସେନ୍ ବୋଲ୍ଟ : ମଇଁଷି ଦୌଡ଼ ପ୍ରତିଯୋଗିତାରେ ବୋଲ୍ଡଙ୍କ ବେଗକୁ କଲେ ଅତିକ୍ରମ,୯ ଦଶମିକ୍ ୫୫ ସେକେଣ୍ଡରେ ପାର୍ ହେଲେ ଶହେ ମିଟର

583

କନକ ବ୍ୟୁରୋ : ବିଶ୍ୱରେ ସବୁଠାରୁ ଦ୍ରୁତତମ ଧାବକ କହିଲେ ଆମେ ସାଧାରଣତଃ ବୁଝି ନେଉଥାଉ ଧାବକ ଉସେନ ବୋଲ୍ଟଙ୍କୁ । ହେଲେ ଆପଣ ଏକଥା ଜାଣି ଆଶ୍ଚର୍ଯ୍ୟ ହେବେ ଯେ ବୋଲ୍ଟଙ୍କୁ ଟକ୍କର ଦେବା ପରି ଧାବକ ବି ଅଛନ୍ତି ଆମ ଦେଶରେ । ସେ ବୋଲ୍ଟଙ୍କ ଠାରୁ ବି ଅଧିକ ବେଗରେ ଦୌଡୁଛନ୍ତି । ତାଙ୍କର ନାଁ ହେଉଛି ଶ୍ରୀନିବାସ ଗୌଡ । ବୟସ ୨୮ ବର୍ଷ । ଘର କର୍ଣ୍ଣାଟକର ଦକ୍ଷିଣ କନ୍ନଡ ଜିଲ୍ଲା ମୁଦାବିଦ୍ରିରେ ।

ବୋଲ୍ଟଙ୍କ ନାଁରେ ୧୦୦ ମିଟର ଦୌଡ ବିଶ୍ୱ ରେକର୍ଡ ରହିଛି ୯.୫୮ ସେକେଣ୍ଡ ।   ହେଲେ କର୍ଣ୍ଣାଟକର ଶ୍ରୀନିବାସ ୧୦୦ ମିଟରକୁ ଅତିକ୍ରମ କରିଛନ୍ତି ମାତ୍ର ୯.୫୫ ସେକେଣ୍ଡରେ । କର୍ଣ୍ଣାଟକ ଉପକୂଳରେ ପାରମ୍ପରିକ ମଇଁଷି ଦୌଡ ଅବସରରେ ଶ୍ରୀନିବାସ ଏପରି କୃତିତ୍ୱ ଅର୍ଜନ କରିଛନ୍ତି । ତେଣୁ ତାଙ୍କ ନାଁରେ ଏହା ରେକର୍ଡ ଭାବେ ଗଣାଯିବନି । କାରଣ ଏହା କୌଣସି ଦୌଡ ପ୍ରତିଯୋଗିତା ନୁହଁ । ହଳେ ମଇଁଷି ସହିତ ଶ୍ରୀନିବାସ ୧୪୨ ଦଶମିକ ପାଂଚ ଶୂନ ମିଟରକୁ ୧୩ ଦଶମିକ ଛଅ ଦୁଇ ସେକେଣ୍ଡରେ ଦୌଡିଛନ୍ତି । ଯାହାକି ସାଧାରଣ ଭାବେ ହିସାବ କଲେ ୧୦୦ ମିଟରକୁ ହେବ ୯ ଦଶମିକ  ପାଂଚ ପାଂଚ ସେକେଣ୍ଡ ।

ବୋଲ୍ଟଙ୍କ କୀର୍ତ୍ତିମାନ୍ ଠାରୁ ଏହା ଶୂନ ଦଶମିକ ୩ ସେକେଣ୍ଡ ଆଗରେ ରହିଛି । ବୋଲ୍ଟଙ୍କୁ ରେକର୍ଡ ଟାଇମିଂରେ ପଛରେ ପକାଇବାରେ ସଫଳ ହୋଇଛନ୍ତି ଶ୍ରୀନିବାସ । ଏପରି ସଫଳତାର ଶ୍ରେୟ ତାଙ୍କର ମଇଁଷିକୁ ଯିବ ବୋଲି କହିଛନ୍ତି ଶ୍ରୀନିବାସ । ଶ୍ରୀନିବାସଙ୍କ ଏପରି ବେଗ ଦେଖିବା ପରେ ଅନେକ ତାଙ୍କୁ ଅଲିମ୍ପିକ୍ ପାଇଁ ପ୍ରସ୍ତୁତ କରିବାକୁ ମତ ଦେଲେଣି । ଯଦି ଏପରି ହୁଏ ଭାରତ ନିଶ୍ଚିତ ଭାବେ ଜଣେ ବିଶ୍ୱସ୍ତରୀୟ ବେଗବାନ ଦୌଡାଳିଙ୍କୁ ପାଇବ ।