କର୍ଣ୍ଣାଟକରେ ବିଜେପିର ବଡପରୀକ୍ଷା ! ସଂଖ୍ୟା ଗରିଷ୍ଠତାର ପ୍ରମାଣ ଦେବେ ମୁଖ୍ୟମନ୍ତ୍ରୀ ୟେଦିୟୁରପ୍ପା, ସଂଖ୍ୟାର ଖେଳରେ କଂଗ୍ରେସ ଓ ଜେଡିଏସ୍ ବିଧାୟକଙ୍କ ଉପରେ ନଜର

62

କନକ ବ୍ୟୁରୋ : ଆଜି ବିଧାନସଭାରେ ସଂଖ୍ୟା ଗରିଷ୍ଠତାର ପ୍ରମାଣ ଦେବେ ୟେଦିୟୁରପ୍ପା । ରାଜ୍ୟପାଳ ବାଜୁଭାଇ ଭଲ୍ଲା ଦେଇଥିବା ୧୫ ଦିନର ମହଲତକୁ କମାଇ ଗତକାଲି ତୁରନ୍ତ ଶକ୍ତି ପରୀକ୍ଷା ଦେବାକୁ କହିଥିଲେ ସୁପ୍ରିମକୋର୍ଟ । ବିଜେପି ଆଗରେ ଦୁଇଟି ବିକଳ୍ପ ରଖିଥିଲେ କୋର୍ଟ । ଗୋଟିଏ- ୟେଦିୟୁରପ୍ପାଙ୍କ ଶପଥର ସମୀକ୍ଷା ଓ ଦ୍ୱିତୀୟଟି ହେଲା- ବିଧାନସଭାରେ ଆଜି ଅପରାହ୍ନ ୪ଟା ସୁଦ୍ଧା ସଂଖ୍ୟା ରଗିଷ୍ଠତାର ପ୍ରମାଣ । ତେବେ ଦ୍ୱିତୀୟ ବିକଳ୍ପକୁ ଗ୍ରହଣ କରି ସଂଖ୍ୟାର ପ୍ରମାଣ ଦେବାକୁ ରାଜି ହୋଇଥିଲେ ୟେଦିୟୁରପ୍ପା । ସରକାର ବଂଚାଇବାକୁ ହେଲେ ବିଜେପିକୁ ଦରକାର ୧୧୧ ବିଧାୟକଙ୍କ ସମର୍ଥନ । କର୍ଣ୍ଣାଟକ ବିଧାନସଭାର ମୋଟ ୨୨୪ ଆସନରୁ ୨୨୨ଟିରେ ଭୋଟ ପଡିଥିବାବେଳେ ଜେଡିଏସ ନେତା କୁମାରସ୍ୱାମୀ ଦୁଇଟି ଆସନରୁ ଜିତିଛନ୍ତି । ତାଙ୍କୁ ଗୋଟିଏ ଆସନରୁ ଇସ୍ତଫା ଦେବାକୁ ପଡିବ । ତେଣୁ ସରକାର ବଂଚାଇବା ପାଇଁ ୟେଦିୟୁରପ୍ପାଙ୍କୁ ୧୧୧ ବିଧାୟକଙ୍କ ସମର୍ଥନ ଯୋଗାଡ କରିବାକୁ ପଡିବ । ୧୦୪ଟି ଆସନରେ ଜତିଥିବା ବିଜେପି ବାକି ୭ଟି ଆସନ କେଉଁଠୁ ଯୋଗାଡ କରିବ ତାହା ହିଁ ସବୁଠାରୁ ବଡ ପ୍ରଶ୍ନ ହୋଇ ରହିଛି ।

ତେବେ ଆସନ୍ତୁ ଜାଣିବା କେମିତି ବଂଚିବ ‘ୟେଦି’ ସରକାର?
ପ୍ରଥମ ଉପାୟ –
– ବହୁମତ ସାବ୍ୟସ୍ତ ପାଇଁ ବିଜେପିକୁ ଦରକାର ଆହୁରି ୮ ବିଧାୟକଙ୍କ ସମର୍ଥନ
– ଜେଡିଏସର କୁମାରସ୍ୱାମୀ ୨ଟି ସ୍ଥାନରୁ ଜିତିଥିବାରୁ,ଗୋଟିଏରୁ ଇସ୍ତଫା ଦେବେ
– ୨୨୧ ଆସନକୁ ହିସାବକୁ ନେଇ ବହୁମତ ହେଲେ ୧୧୧ ହେବ ମ୍ୟାଜିକ ନମ୍ବର
– ଏଭଳି ସ୍ଥଳେ ବିଜେପିକୁ ଆହୁରି ୭ ବିଧାୟକଙ୍କ ସମର୍ଥନ ହାସଲ କରିବାକୁ ପଡିବ

ଦ୍ୱିତୀୟ ଉପାୟ –
– ବହୁମତ ପରୀକ୍ଷା ବେଳେ କଂଗ୍ରେସ-ଜେଡିଏସ ବିଧାୟକ ଅନୁପସ୍ଥିତ ରହିପାରନ୍ତି
– ୧୪ ଜଣ ବିଧାୟକ ଫ୍ଲୋର୍ ଟେଷ୍ଟରେ ଅନୁପସ୍ଥିତ ରହିଲେ ବିଜେପି ବାଜି ମାରିନେବ
– ବିଧାନସଭା ସଦସ୍ୟ ସଂଖ୍ୟା ୨୦୭କୁ ଖସିଆସିବ, ବିଜେପି ବହୁମତ ହାସଲ କରିନେବ
– ବିଜେପି ଏଭଳି ସ୍ଥିତି କିଭଳି ସୃଷ୍ଟି କରିବ ତା ଉପରେ ସମସ୍ତଙ୍କ ନଜର ରହିଛି

ଉପାୟ-୩
– କଂଗ୍ରେସର ଲିଙ୍ଗାୟତ ଭୋଟରଙ୍କ ଉପରେ ବି ରହିଛି ବିଜେପିର ନଜର
– କଂଗ୍ରେସ ଟିକେଟରୁ ଜିତିଥିବା ୭ ଲିଙ୍ଗାୟତ ବିଧାୟକଙ୍କୁ ପ୍ରଭାବିତ କରିବାକୁ ଉଦ୍ୟମ
– କର୍ଣ୍ଣାଟକରେ ଲିଙ୍ଗାୟତ ଓ ବୋକ୍କାଲିଗାଙ୍କ ମଧ୍ୟରେ ସବୁବେଳେ ତିକ୍ତତା ରହିଛି
– କୁମାରସ୍ୱାମୀଙ୍କୁ କଂଗ୍ରେସ ମୁଖ୍ୟମନ୍ତ୍ରୀ କରିବାକୁ ଚାହୁଁଛି, ସେ ବୋକ୍କାଲିଗା ଗୋଷ୍ଠୀର
– ୟେଦିୟୁରପ୍ପା ଲିଙ୍ଗାୟତ ସମୁଦାୟର, ମଠ ଜରିଆରେ ବିଧାୟକଙ୍କୁ ଆକୃଷ୍ଟ ପାଇଁ ପ୍ରୟାସ

ଉପାୟ -୪
– ବିଜେପିର ନଜର ଦୁଇ ସ୍ୱାଧୀନ ବିଧାୟକଙ୍କ ଉପରେ ମଧ୍ୟ ରହିଛି
– ସେହିଭଳି ବିଏସପିରୁ ଜିତିଥିବା ଜଣେ ବିଧାୟକଙ୍କୁ ମଧ୍ୟ ଟାର୍ଗେଟ କରିଛି ବିଜେପି
– କଂଗ୍ରେସ-ଜେଡିଏସ କ୍ୟାମ୍ପରେ ଏମାନେ ଥିଲେ ମଧ୍ୟ ସ୍ଥିତି କିଛି ବି ହୋଇପାରେ

ସେପଟେ ସଂଖ୍ୟାର ଖେଳ ଜିତିବାକୁ ବିଜେପି ସବୁ କଳକୌଶଳ ଲଗାଇ ଦେଇଥିବା ଅଭିଯୋଗ କରିଛି କଂଗ୍ରେସ । ଆବଶ୍ୟକ ସଂଖ୍ୟା ନଥିବା ବିଜେପି ଟଙ୍କାର ଲୋଭ ଦେଖାଇ କଂଗ୍ରେସ ବିଧାୟକଙ୍କୁ କିଣିବାକୁ ଉଦ୍ୟମ କରୁଥିବା ଅଭିଯୋଗ କରିଛି ଦଳ । ଏପରିକି ବିଜେପି ବିଧାୟକ ତଥା ଖଣି ବ୍ୟବସାୟୀ ଜନାର୍ଦ୍ଦନ ରେଡ୍ଡି, ରାଇଚୁର ରୁରାଲ ଆସନରୁ ବିଜୟୀ ଜଣେ କଂଗ୍ରେସ ବିଧାୟକଙ୍କୁ ଟଙ୍କା ଯାଚୁଥିବାର ଏକ ଅଡିଓ ଟେପ ଜାରି କରିଛି କଂଗ୍ରେସ । ଯେଉଁଥିରେ ଜନାର୍ଦ୍ଦନ ରେଡ୍ଡି ସଂପୃକ୍ତ ବିଧାୟକଙ୍କୁ ବିଧାନସଭାରେ ୟେଦିୟୁରପ୍ପାଙ୍କୁ ସମର୍ଥନ କରିବା ପାଇଁ କହୁଛନ୍ତି ଆଉ ପ୍ରତିବଦଳରେ ତାଙ୍କୁ ମନ୍ତ୍ରୀପଦ ମିଳିବ ବୋଲି ପ୍ରତିଶ୍ରୁତି ଦିଆଯାଉଛି । ଏହି ଅଡିଓ ଟେପର ବୈଦ୍ଧତା ସ୍ପଷ୍ଟ ହୋଇନଥିବାବେଳେ ଏକ ସାମ୍ବାଦିକ ସମ୍ମିଳନୀ କରି ଟେଲିଫୋନ ବାର୍ତାଳାପର ଏହି ଅଡିଓ ଟେପକୁ ଜାରି କରିଛି କଂଗ୍ରେସ ।

ଏବେ ଆସନ୍ତୁ ଜାଣିବା କେଉଁ ଦଳ ପାଖରେ ଅଛି କେତୋଟି ସିଟ୍ ?
ସଂଖ୍ୟା ଗଣିତ
– ବିଜେପି : ୧୦୪
– କଂଗ୍ରେସ : ୭୮
– ଜେଡିଏସ+ : ୩୮
– ଅନ୍ୟାନ୍ୟ : ୨

କର୍ଣ୍ଣାଟକ କାହାର?
– ଆସନ : ୨୨୨
– ମ୍ୟାଜିକ ନମ୍ବର : ୧୧୨
– ବିଜେପି : ୧୦୪
– କଂଗ୍ରେସ-ଜେଡିଏସ : ୧୧୬

ନିର୍ବାଚନ ଫଳାଫଳ ଆସିବା ପରଠାରୁ ନିଖୋଜ ହୋଇଯାଇଛନ୍ତି କଂଗ୍ରେସର ଦୁଇ ବିଧାୟକ । ବେଲାରି ଜିଲ୍ଲା ବିଜୟ ନଗରରୁ ନିର୍ବାଚିତ କଂଗ୍ରେସ ବିଧାୟକ ଆନନ୍ଦ ସିଂହଙ୍କ ପତ୍ତା ମିଳୁନି । ସଂଖ୍ୟା ଗଣିତରେ ଫେଲ ମାରିବା ଭୟରେ ବିଜେପି ତାଙ୍କୁ ଅପହରଣ କରିନେଇଥିବା ଅଭିଯୋଗ କରିଛି କଂଗ୍ରେସ । ତାଙ୍କ ବିରୋଧରେ ଆୟକର ଓ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ତଦନ୍ତର ଭୟ ଦେଖାଇ ବିଜେପି ନିଜ ସପକ୍ଷରେ ଭୋଟ ପାଇଁ ବାଧ୍ୟ କରୁଥିବା ଅଭିଯୋଗ କରିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସ ବିଧାୟକ ଦଳ ନେତା ସିଦ୍ଧରମୈୟା । ଆନନ୍ଦ ସିଂହଙ୍କୁ ବିଜେପି ଅଜଣା ସ୍ଥାନରେ ନେଇ ଅଟକ ରଖିଛି ଓ ଫ୍ଲୋର ଟେଷ୍ଟ ସମୟରେ ତାଙ୍କୁ ହାଜର କରିବାକୁ ଚକ୍ରାନ୍ତ କରୁଛି ବୋଲି ସେ ଅଭିଯୋଗ ବାଢିଛନ୍ତି । କିନ୍ତୁ ଆନନ୍ଦ ଫ୍ଲୋର ଟେଷ୍ଟ ସମୟରେ କଂଗ୍ରେସ-ଜେଡିଏସ ମେଂଟକୁ ସମର୍ଥନ କରିବେ ବୋଲି ସେ ଦମ୍ଭୋକ୍ତି କରିଛନ୍ତି । ସେହିପରି ନିଖୋଜ ଅଛନ୍ତି ମାସ୍କି ଆସନରୁ ବିଜୟୀ କଂଗ୍ରେସ ବିଧାୟକ ପ୍ରତାପ ଗୌଡା ପାଟିଲ । ବୁଧବାର ବିଧାୟକ ଦଳ ବୈଠକରେ ସେ ଯୋଗ ଦେଇଥିଲେ । ରାଜ୍ୟପାଳଙ୍କୁ ଦିଆଯାଇଥିବା ବିଧାୟକଙ୍କ ତାଲିକାରେ ଦସ୍ତଖତ ବି କରିଥିଲେ । ହେଲେ ଗୁରୁବାରଠାରୁ ସେ ନିଖୋଜ ଅଛନ୍ତି । ପେଟରେ ଯନ୍ତ୍ରଣା ଥିବା କଥା କହି କଂଗ୍ରେସ ବିଧାୟକମାନେ ରହୁଥିବା ରିସୋର୍ଟରୁ ସେ ଚାଲିଆସିଛନ୍ତି । ତେଣୁ ସେ ମଧ୍ୟ ବିଜେପିକୁ ଫ୍ଲୋର ଟେଷ୍ଟ ବେଳେ ସମର୍ଥନ କରିପାରନ୍ତି କିମ୍ବା ଆସ୍ଥାଭୋଟରୁ ଦୂରେଇ ରହିପାରନ୍ତି ବୋଲି ଆଶଙ୍କା କରାଯାଉଛି ।

ବେଙ୍ଗାଳୁରୁର ସାଙ୍ଗରିଲା ହୋଟେଲରେ ବୈଠକ କରିଛନ୍ତି ବିଜେପିର ସମସ୍ତ ନବନିର୍ବାଚିତ ବିଧାୟକ । ଆଜି ବିଧାନସଭାରେ ସଂଖ୍ୟା ଗରିଷ୍ଠତାର ପ୍ରମାଣ ଦେବା ଆଗରୁ ଗତକାଲି ରାତିରେ ବିଧାୟକମାନଙ୍କୁ ଏକାଠି ରହିବାର ମନ୍ତ୍ର ଦେଇଛନ୍ତି ମୁଖ୍ୟମନ୍ତ୍ରୀ ବିଏସ ୟେଦିୟୁରପ୍ପା । ସେପଟେ ହାଇଦ୍ରାବାଦର ହୋଟେଲ ତାଜ୍ କ୍ରିଷ୍ଣାରେ କଂଗ୍ରେସ ବିଧାୟକମାନଙ୍କୁ ରଖାଯାଇଥିଲା । ଏଠାରେ ସିଦ୍ଧରମୈୟାଙ୍କୁ କଂଗ୍ରେସ ବିଧାୟକ ଦଳ ନେତା ଭାବେ ନିର୍ବାଚିତ କରାଯାଇଛି । ବିଧାୟକମାନେ ଏକାଠି ଅଛନ୍ତି ଓ କଂଗ୍ରେସ-ଜେଡିଏସ ମେଂଟ କର୍ଣ୍ଣାଟକରେ ସରକାର ଗଢିବ ବୋଲି ସିଦ୍ଧରମୈୟା ଦମ୍ଭୋକ୍ତ କରିଛନ୍ତି । ଏହାପରେ ବିଳମ୍ବିତ ରାତିରେ ହାଇଦ୍ରାବାଦ ହୋଟେଲରୁ ବେଙ୍ଗାଳୁରୁ ଅଭିମୁଖେ ବାହାରିଥିଲେ କଂଗ୍ରେସର ସମସ୍ତ ବିଧାୟକ । ତେବେ ନିଖୋଜ ଥିବା ଦୁଇ ବିଧାୟକ ମଧ୍ୟ ଆଜି ୟେଦିୟୁରପ୍ପାଙ୍କ ଆସ୍ଥାଭୋଟ ବେଳେ ବିଧାନସଭାରେ ଉପସ୍ଥିତ ରହିବେ ଓ ସରକାର ବିରୋଧରେ ଭୋଟ ଦେବେ ବୋଲି ସିଦ୍ଧରମୈୟା କହିଛନ୍ତି । ସେହିପରି କୁମାରସ୍ୱାମୀ କହିଛନ୍ତି ଯେ, ଦୁଇଜଣ ଜେଡିଏସ ବିଧାୟକ ନିଖୋଜ ଅଛନ୍ତି । ହେଲେ ବିଧାନସଭାରେ ଆସ୍ଥାଭୋଟ ବେଳେ ଏମାନେ ୟେଦିୟୁରପ୍ପା ସରକାର ବିରୋଧରେ ଭୋଟ ଦେବେ । କଂଗ୍ରେସ-ଜେଡିଏସ ମେଂଟର ୧୧୬ ବିଧାୟକଙ୍କ ସହ ୨ଜଣ ସ୍ୱାଧୀନ ବିଧାୟକ ମଧ୍ୟ ରାଜ୍ୟପାଳଙ୍କୁ ଦିଆଯାଇଥିବା ତାଲିକାରେ ଦସ୍ତଖତ କରିଛନ୍ତି । ତେଣୁ କର୍ଣ୍ଣାଟକରେ ଆମେ ସରକାର ଗଢିବାକୁ ସମର୍ଥ ହେବୁ ବୋଲି ପୁଣିଥରେ ଦୃଢୋକ୍ତ କରିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ଏଚଡି କୁମାରସ୍ୱାମୀ ।