କମ୍ପୁଛି କର୍ଣ୍ଣାଟକ ! ଆସନ୍ତାକାଲି ପ୍ରଚାର ମଇଦାନକୁ ଓହ୍ଲାଇବେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧୀ

39

କନକ ବ୍ୟୁରୋ : କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପ୍ରଚାର ସରଗରମ ହେବାରେ ଲାଗିଛି । ନିଜ ଗଡ କର୍ଣ୍ଣାଟକକୁ ବଞ୍ଚାଇବା ପାଇଁ ବଳ କଶୁଛି କଂଗ୍ରେସ । ସେହିଭଳି ଭାରତର ଆଉ ଏକ ରାଜ୍ୟରେ ପଦ୍ମ ଫୁଟାଇବାକୁ ଲକ୍ଷ୍ୟ ରଖିଛି ଭାଜପା । ତେଣୁ ଏବେ ପ୍ରଚାର ମଇଦାନକୁ ରାଜନୈତିକ ଦଳର ମୁଖିଆମାନେ ଏବେ ନିର୍ବାଚନୀ ପ୍ରଚାରକୁ ଜୋରଦାର କରିବାକୁ ଅଣ୍ଟା ଭିଡିଛନ୍ତି । ଆସନ୍ତା କାଲି କର୍ଣ୍ଣାଟକ ନିର୍ବାଚନୀ ପ୍ରଚାର ମଇଦାନକୁ ଓହ୍ଲାଇବେ କଂଗ୍ରେସ ଉପାଧ୍ୟକ୍ଷ ସୋନିଆ ଗାନ୍ଧୀ । କର୍ଣ୍ଣାଟକର ବିଜାପୁର ରୁ କଂଗ୍ରେସ ର ପ୍ରଚାର ମଙ୍ଗୁଆଳ ଧରିବେ ସୋନିଆ । ୨୦୧୭ ରେ କଂଗ୍ରେସର ଅଧ୍ୟକ୍ଷ ଭାବେ ଯୁବରାଜ ରାହୁଲଙ୍କୁ ମଙ୍ଗ ଧରାଇ ସୋନିଆ ନିର୍ବାଚନରୁ ଏକ ପ୍ରକାର ସନ୍ୟାସ ନେଇଯାଇଥିଲେ କହିଲେ ଅତ୍ୟୁକ୍ତି ହେବ ନାହିଁ ।କାରଣ ପୂର୍ବରୁ ତିନି ରାଜ୍ୟର ନିର୍ବାଚନରେ ମଇଦାନକୁ ଓହ୍ଲାଇ ନଥିଲେ ହାଇକମାଣ୍ଡ ସୋନିଆ ।

ହେଲେ ଆସନ୍ତା କାଲି ଏକ ବିଶାଳ ର୍ୟାଲି କରି ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ ବୋଲି ସୂଚନା ମିଳିଛି । ରାହୁଲ ଗାନ୍ଧୀ ଅଧ୍ୟକ୍ଷ ହେବା ପରେ ପ୍ରଥମ ଥର ପାଇଁ ନିର୍ବାଚନୀ ମଇଦାନକୁ ସୋନିଆ ଓହ୍ଲାଇବେ । କଂଗ୍ରେସ ଷ୍ଟାର ପ୍ରଚାରକ ତାଲିକାରେ ମଧ୍ୟ ସୋନିଆ ଗାନ୍ଧୀଙ୍କ ନାମକୁ ସାମିଲ୍ କରାଯାଇଛି । ଯାହା ଦ୍ୱାରା ରାହୁଲ ଗାନ୍ଧୀ ଓ କଂଗ୍ରେସ ଦଳ ପାଇଁ ପ୍ରଚାର କାର୍ଯ୍ୟକ୍ରମ ଅଧିକ କ୍ରିୟାଶୀଳ ହେବ । ଏହାସହ ଶାସକ ଦଳ ଭାବେ ନିଜ ଗଡ ବଞ୍ଚାଇ ଦିତ୍ୱୀୟ ଥର ପାଇଁ ସରକାର ଗଢ଼ିବାକୁ ସକ୍ଷମ ହେବ ବୋଲି ଟାର୍ଗେଟ କରିଛି କଂଗ୍ରେସ । ଅନ୍ୟପଟେ ଭାଜପା ଦଳର ମୁଖିଆ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କର୍ଣ୍ଣଟକରେ ପଦ୍ମ ଫୁଟାଇବା ପାଇଁ ଅଙ୍କ କଷିି ପ୍ରଚାର କାର୍ଯ୍ୟକ୍ରମର ମଙ୍ଗ ନିଜେ ଧରିଛନ୍ତି । ତେବେ କର୍ଣ୍ଣାଟକର ୨୨୪ ଟି ବିଧାନସଭା ଆସନ ପାଇଁ ମେ ୧୨ ତାରିଖରେ ପ୍ରଥମ ପର୍ଯ୍ୟୟ ମତଦାନ ହେବାର ଅଛି ।