କର୍ଣ୍ଣାଟକରେ ପୁଣି ଆରମ୍ଭ ହେଲା ରିସୋର୍ଟ ରାଜନୀତି : ଆସ୍ଥା ଭୋଟ ପୂର୍ବରୁ ରିସୋର୍ଟରେ ରହୁଛନ୍ତି ବିଧାୟକ
କନକ ବ୍ୟୁରୋ : କର୍ଣ୍ଣାଟକ ସରକାରଙ୍କ ଉପରେ ସଂକଟ ଓ ସୁପ୍ରିମକୋର୍ଟଙ୍କ ସ୍ଥିତାବସ୍ଥା ସତ୍ୱେ ଆଗାମୀ ବିଧାନସଭା ଅଧିବେସନରେ ଆସ୍ଥା ଭୋଟର ପ୍ରମାଣ ଦେବେ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀକୁମାର ସ୍ୱାମୀ । ଆଉ ଏହି ଘୋଷଣା ସହ ଜୋରଦାର ହୋଇଛି ରିସୋର୍ଟ ପଲିଟିକ୍ସ । ନିଜ ନିଜ ଦଳର ବିଧାୟକଙ୍କ ଉପରେ ହ୍ୱିପ୍ ଜାରି କରି ରିସୋର୍ଟ ଓ ହୋଟେଲରେ ଏକାଠି ରଖିବାକୁ ପ୍ରୟାସ କରିଛନ୍ତି ତିନି ରାଜନୈତିକ ଦଳ । କୁମାରସ୍ୱାମୀଙ୍କ ଦଳ ଜେଡିଏସ ଏହାର ବିଧାୟକ ମାନଙ୍କୁ ଆଗାମୀ ଆସ୍ଥା ଭୋଟ୍ ପର୍ଯ୍ୟନ୍ତ ନନ୍ଦାହିଲ୍ସରେ ଲୁଚାଇ ରଖିବାକୁ ନିଷ୍ପତି କରିଛି । କେବଳ କୁମ୍ବାରସ୍ୱାମୀଙ୍କ ପତ୍ନୀ ଅନିତା ଓ ଭାଇ ଏଚଡି ରେବଣାଙ୍କୁ ଛାଡିଦେଲେ ବାକି ସମସ୍ତ ବିଧାୟକ ଏକ ପାହାଡ ଶିଖରରେ ଥିବା ଏହି ନନ୍ଦାହିଲ୍ସ ହୋଟେଲରେ ଗତ କିଛିଦିନ ହେଲା ରହିଛନ୍ତି । ବେଙ୍ଗାଳୁରୁଠାରୁ ୬୦ କିଲୋମିଟର ଦୂର ଚିକାବଲ୍ଲାପୁର ଜିଲ୍ଲାରେ ରହିଛି ଏହି ହୋଟେଲ ।
Kanak News is now on WhatsApp
Join and get latest news updates delivered to you via WhatsApp
ସେପଟେ କଂଗ୍ରେସ ମଧ୍ୟ ତାର ସମସ୍ତ ବିଧାୟକଙ୍କୁ ଯଶୋବନ୍ତପୁରର ହୋଟେଲ ତାଜ୍ ଭିଭନ୍ତରେ ସାମୟିକ ଭାବେ ରଖିବାକୁ ନିଷ୍ପତି ନେଇଛି । ପରେ ଏମାନଙ୍କୁ ଏକ ଅଜଣା ସ୍ଥାନକୁ ସ୍ଥାନାନ୍ତର କରାଯିବ । ବିଜେପି ପ୍ରଲ୍ଲୋଭନରୁ ଦୂରେଇ ରଖିବାକୁ ଏମାନଙ୍କୁ ସେହି ଅଜଣା ସ୍ଥାନରୁ ସିଧା ବିଧାନସଭା ନେବାକୁ ରଣନୀତି କରିଛି ଦଳ ।
ସେହିପରି ବିଜେପି ତାର ୧୦୫ ବିଧାୟକଙ୍କ ମଧ୍ୟରୁ ବିଧାନସଭାକୁ ନୂଆକରି ନିର୍ବାଚିତ ହୋଇଥିବା ୮୦ ଜଣଙ୍କୁ ଏକ ହୋଟେଲରେ ରଖିବାକୁ ସ୍ଥିର କରିଛି । କଂଗ୍ରେସ-ଜେଡିଏସର ଓଲଟା ଶିକାର ଆଶଙ୍କା କରି ଏମାନଙ୍କୁ ସୋମବାର ଯାଏଁ ୟଲହଙ୍କା ଉପକଂଠ ଡୋଡବଲ୍ଲାପୁରାରେ ଏକ ରିସୋର୍ଟରେ ରଖାଯିବ ।