କର୍ଣ୍ଣାଟକର ଭାବି ମୁଖ୍ୟମନ୍ତ୍ରୀ କୁମାରସ୍ୱାମୀଙ୍କ ଅଭିନେତ୍ରୀ ପତ୍ନୀଙ୍କୁ ନେଇ ସାରା ଦେଶରେ ଚର୍ଚ୍ଚା ! ଗୁଗୁଲ୍ ସର୍ଚ୍ଚରେ ରାଧିକା ଏବେ ଅଧିକ ଖୋଜାଯାଉଥିବା ସେଲିବ୍ରିଟି

49

କନକ ବ୍ୟୁରୋ : କର୍ଣ୍ଣାଟକକୁ ନେଇ ସାରା ଦେଶର ରାଜନୈତିକ ମାହୋଲ ସରଗରମ ଥିବାବେଳେ ଗୁଗଲରେ ଟ୍ରେଂଡ୍ କରୁଛନ୍ତି କୁମାରସ୍ୱାମୀଙ୍କ ଅଭିନେତ୍ରୀ ପତ୍ନୀ ରାଧିକା କୁମାରସ୍ୱାମୀ । ରାଧିକା କନ୍ନଡ ସିନେ ଜଗତର ଜଣେ ଜଣାଶୁଣା ଚେହେରା । ୨୦୦୬ରେ କୁମାରସ୍ୱାମୀ, ରାଧିକାଙ୍କୁ ବିବାହ କରିଥିଲେ । ଏବେ ପୁଣି ରାଧିକାଙ୍କୁ ନେଇ ଚର୍ଚ୍ଚା । ରାଧିକା ନିଜ ଅଭିନୟ ଓ ଗ୍ଲାମର ଜରିଆରେ ଦର୍ଶକଙ୍କ ମନ କିଣୁଥିବା ସହ ପଲିଟିକାଲ୍ କରିଡରରେ ମଧ୍ୟ ପ୍ରଭାବଶାଳୀ । କନ୍ନଡ଼ ଫିଲ୍ମର ଏହି ୩୧ ବର୍ଷୀୟା ନାୟିକା ଜଣକ ହେଉଛନ୍ତି କର୍ଣ୍ଣାଟକ ରାଜନୀତିର ଧୁରନ୍ଧର୍ ମହାରଥୀ କୁମାରସ୍ୱାମୀଙ୍କ ୨ୟ ପତ୍ନୀ ରାଧିକା । କୁମାରସ୍ୱାମୀ ଓ ରାଧିକାଙ୍କ ୬ ବର୍ଷର ଏକ ଝିଅ ମଧ୍ୟ ଅଛି ।

କର୍ଣ୍ଣାଟକ ରାଜନୀତିରେ ଯେତେବେଳେ ବଡ଼ଧରଣର ଆଲୋଡ଼ନ ସୃଷ୍ଟି ହେଉଥାଏ ସେତେବେଳେ ଚର୍ଚ୍ଚାର କେନ୍ଦ୍ର ପାଲଟିଥିବା ଭାବି ମୁଖ୍ୟମନ୍ତ୍ରୀ କୁମାରସ୍ୱାମୀଙ୍କ ରାଧିକା କାହାଣୀ ପୁଣିଥରେ ସାମ୍ନାକୁ ଆସୁ ଥାଏ । ପୂର୍ବରୁ ସିନେମା ପ୍ରତି କୁମାରସ୍ୱାମୀଙ୍କ ବିଶେଷ ଦୁର୍ବଳତା ଥିବାରୁ ରାଧିକାଙ୍କ ସହ ତାଙ୍କ ସମ୍ପର୍କ ଗଢ଼ିଉଠିଥିଲା । ଏକାଧିକ ସୁପରହିଟ୍ କନ୍ନଡ଼ ସିନେମା ନିର୍ମାଣ ଓ ବିତରଣ ଦାୟିତ୍ୱ ତୁଲାଇଥିବା କୁମାରସ୍ୱାମୀ ପରେ ୨୦୦୬ ମସିହାରେ ରାଧିକାଙ୍କୁ ଦ୍ୱିତୀୟ ବିବାହ କରିଥିଲେ ।

ନବମ ଶ୍ରେଣୀରେ ପଢ଼ୁଥିବା ରାଧିକା ୨୦୦୨ ମସିହାରେ ମାତ୍ର ୧୪ ବର୍ଷ ବୟସରେ କନ୍ନଡ଼ ଫିଲ୍ମ ନୀଲା ମେଘା ସମା ଜରିଆରେ ସିନେଦୁନିଆରେ ପାଦ ରଖନ୍ତି । ପରବର୍ତ୍ତୀ ସମୟରେ କନ୍ନଡ଼ ଫିଲ୍ମର ସର୍ବାଧିକ ଲୋକପ୍ରିୟ ନାୟିକା ଭାବେ ସେ ସାମ୍ନାକୁ ଆସନ୍ତି । ଗୁଗୁଲ୍ ସର୍ଚ୍ଚରେ ଏବେ ଟ୍ରେଣ୍ଡ କରୁଛି କୁମାରସ୍ୱାମୀ ଓ ରାଧିକାଙ୍କ ପ୍ରେମକାହାଣୀ । ରାଧିକା ଏବେ ଅଧିକ ଖୋଜାଯାଉଥିବା ସେଲିବ୍ରିଟି ତାଲିକାର ଶୀର୍ଷରେ ।