କନକ ବ୍ୟୁରୋ : ଏକବିଂଶ ଶତାଦ୍ଦୀରେ ଆଜି ବି ଲୋକଙ୍କ ମନରେ କେଉଁଠି ନା କେଉଁଠି ଉଚ୍ଚନୀଚ୍ଚ ଭାବନା ଲୁଚି ରହିଛି । ଲୋକେ ଆଧୁନିକତାର ଖୋଳପା ପିନ୍ଧିଛନ୍ତି, ସତ ହେଲେ ମନ ରହିଯାଇଛି ଆଦିମ ଯୁଗରେ । କର୍ଣ୍ଣାଟକରେ ଏପରି ଏକ ଅଭାବନୀୟ ଘଟଣା ଘଟିଛି । ଚିତ୍ରଦୁର୍ଗର ବିଜେପି ସାଂସଦ ଜଣେ ଦଳିତ ହୋଇଥିବାରୁ ତାଙ୍କ ନିଜ ନିର୍ବାଚନ ମଣ୍ଡଳୀରେ ଥିବା ଏକ ମନ୍ଦିରରେ ତାଙ୍କୁ ପୂରାଇ ଦିଆଯାଇ ନାହିଁ । ଏହି ମାମଲା ସ୍ଥାନୀୟ ଅଂଚଳରେ ଆଲୋଡ଼ନ ସୃଷ୍ଟି କରିଛି ।
ବିଜେପି ସାଂସଦ ନାରାୟଣସ୍ବାମୀ ତୁମକୁରୁ ଅଂଚଳକୁ ପ୍ରଶାସନିକ ଅଧିକାରୀଙ୍କ ସହ ଗସ୍ତ କରିଥିଲେ । ଏହି ଅବସରରେ ନିକଟସ୍ଥ ପାୱାଗଡ଼ା ଗ୍ରାମର ଏକ ମନ୍ଦିରକୁ ଦର୍ଶନ ପାଇଁ ଯିବାକୁ ସାଂସଦ ବାହାରିଥିଲେ। ତେବେ ସ୍ଥାନୀୟ ଯାଦବ ସମ୍ପ୍ରଦାୟର ଲୋକମାନେ ତାଙ୍କୁ ଗ୍ରାମ ନିକଟରେ ଘେରିଯିବା ସହ ସେ ‘ଅଛୁଆଁ’ ହୋଇଥିବାରୁ ତାଙ୍କୁ ମନ୍ଦିରରେ ପଶିବାକୁ ଦିଆଯିବ ନାହିଁ ବୋଲି କହିଥିଲେ । ଯାଦବ ସମ୍ପ୍ରଦାୟର ଲୋକଙ୍କ ତୀବ୍ର ବିରୋଧ ଯୋଗୁଁ ସାଂସଦ ମନ୍ଦିରକୁ ଯାଇନପାରି ଫେରି ଆସିଥିଲେ । ପରମ୍ପରା ଅନୁଯାୟୀ ତାଙ୍କୁ ମନ୍ଦିର ଭିତରକୁ ପୂରାଇ ଦିଆଯିବ ନାହିଁ ବୋଲି ସବର୍ଣ୍ଣମାନେ ଜିଦ୍ ଧରିଥିଲେ ।