କର୍ଣ୍ଣାଟକ ନାଟକରେ ନୂଆ ମୋଡ ! ବିଜେପିକୁ ସରକାର ଗଠନ ପାଇଁ ରାଜଭବନରୁ ଆମନ୍ତ୍ରଣ ଆସିପାରେ ବୋଲି ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା

26

କନକ ବ୍ୟୁରୋ : କର୍ଣ୍ଣାଟକ-ନାଟକରେ ନୂଆ ମୋଡ । ଜେଡିଏସର ୧୦୦ କୋଟିର ଲାଂଚ ଓ ବିଜେପିର ଫୋନ ଟ୍ୟାପିଂ ଅଭିଯୋଗ ଭିତରେ ସରକାର ଗଠନ ପାଇଁ ରାଜ୍ୟପାଳ ବାଜୁଭାଇ ଭଲ୍ଲା ବିଜେପିକୁ ଆମନ୍ତ୍ରଣ କରିପାରନ୍ତି ବୋଲି ଶୁଣିବାକୁ ମିଳୁଛି । ବିଶ୍ୱସ୍ତ ସୂତ୍ରକୁ ଆଧାର କରି ଜାତୀୟ ଗଣମାଧ୍ୟମଗୁଡିକ ଏଭଳି ଖବର ପ୍ରକାଶ କରିଛନ୍ତି । ଯଦିଓ କର୍ଣ୍ଣାଟକ ରାଜଭବନ ପକ୍ଷରୁ ଏନେଇ କୌଣସି ବିଧିବଦ୍ଧ ସୂଚନା ଦିଆଯାଇ ନାହିଁ । ତେବେ ବିଜେପି ଏକକ ସଂଖ୍ୟାଗରିଷ୍ଠ ଦଳ ହୋଇଥିବାରୁ ସରକାର ଗଠନ ପାଇଁ ଆମନ୍ତ୍ରଣ କରିପାରନ୍ତି ରାଜ୍ୟପାଳ । ଆଉ ଏହାରି ଭିତରେ ଟ୍ୱିଟ କରି ଆସନ୍ତାକାଲି ସକାଳ ସାଢେ ୯ଟାରେ ୟେଦିୟୁରପ୍ପା ସରକାର ଶପଥ ନେବେ ବୋଲି କହିଛନ୍ତି ଜଣେ ବିଜେପି ବିଧାୟକ ସୁରେଶ କୁମାର । ସେପଟେ କଂଗ୍ରେସର ନିଃସର୍ତ୍ତ ସମର୍ଥନ ପାଇଥିବା ଏଚଡି କୁମାରସ୍ୱାମୀ ଆଜି ୧୧୭ ବିଧାୟକଙ୍କ ସ୍ୱାକ୍ଷର ସମ୍ବଳିତ ଦାବିପତ୍ର ରାଜ୍ୟପାଳଙ୍କୁ ପ୍ରଦାନ କରିଛନ୍ତି ।

ଜେଡିଏସ ଓ କଂଗ୍ରେସର ବିଧାୟକମାନଙ୍କୁ ପରେଡ କରାଇ ସରକାର ଗଠନ ପାଇଁ ଦାବି ଜଣାଇଛନ୍ତି । ସରକାର ଗଢିବା ପାଇଁ ୧୧୨ ସଦସ୍ୟଙ୍କ ସମର୍ଥନ ଆବଶ୍ୟକ । ତେଣୁ ସାମ୍ବିଧାନିକ ବିଧି ବ୍ୟବସ୍ଥା ଅନୁସାରେ ରାଜ୍ୟପାଳ ସେମାନଙ୍କୁ ପ୍ରଥମେ ସରକାର ଗଢିବାକୁ ଆମନ୍ତ୍ରଣ କରିବା କଥା ବୋଲି ଯୁକ୍ତି ବାଢିଛନ୍ତି । ସେପଟେ କୁମାରସ୍ୱାମୀଙ୍କୁ ସରକାର ଗଢିବା ପାଇଁ ଆମନ୍ତ୍ରଣ କରିବାକୁ ରାଜ୍ୟପାଳ କୌଣସି ନିଷ୍ପତି ନେଇନଥିବା କହିଛି କଂଗ୍ରେସ । କିନ୍ତୁ ୟେଦିୟୁରପ୍ପାଙ୍କୁ ଡାକି ସରକାର ଗଢିବା ଭଳି ବେଆଇନ କାମ ରାଜ୍ୟପାଳ କରିବେ ନାହିଁ ବୋଲି କଂଗ୍ରେସ ନେତାମାନେ ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି ।

ସେପେଟେ ଆଉଏକ ନାଟକୀୟ ଘଟଣାକ୍ରମ ଦେଖିବାକୁ ମିଳିଛି, ଯେତେବେଳେ ଗୋଟିଏ ବସରେ ଏକାଠି ହୋଇ କଂଗ୍ରେସ ବିଧାୟକମାନେ କର୍ଣ୍ଣାଟକରେ ଦଳୀୟ କାର୍ଯ୍ୟାଳୟରୁ ବାହାରିଛନ୍ତି । ମ୍ୟାଜିକ ନମ୍ବର ଛୁଇଁ ପାରିନଥିବା ବିଜେପି ସରକାର ଗଢିବା ପାଇଁ ଘୋଡା ବେପାର ଆରମ୍ଭ କରିଦେଇଥିବା ଅଭିଯୋଗ କରି କଂଗ୍ରେସ ଏଭଳି ପଦକ୍ଷେପ ନେଇଛି । କଂଗ୍ରେସର ସମସ୍ତ ବିଧାୟକ ଏକାଠି ଅଛନ୍ତି ଓ ଜେଡିଏସକୁ ସମର୍ଥନ ଗଢିବାକୁ ଆଗ୍ରହୀ ଅଛନ୍ତି ବୋଲି ବାର୍ତା ଦେବାକୁ ଦଳ ଏହି ନିଷ୍ପତି ନେଇଛି । ବିଧାନସଭା ଗୃହରେ ସଂଖ୍ୟାଗରିଷ୍ଠତାର ପ୍ରମାଣ ଦେବାଯାଏ ବିଧାୟକମାନଙ୍କୁ ଏକ କରି ରଖିବାକୁ କୌଣସି ହୋଟେଲ କିମ୍ବା ରିସୋର୍ଟରେ ରଖିବାକୁ ନିଷ୍ପତି ନିଆଯାଇଛି । ବିଜେପିର ପ୍ରଲୋଭନରେ ଏମାନେ ନିଜ ମତ ବଦଳାଇବେ ନାହିଁ ଓ ବିଜେପି ଆଡକୁ ଢଳିବେ ନାହିଁ ବୋଲି କଂଗ୍ରେସ ସତର୍କତା ମୂଳକ ପଦକ୍ଷେପ ନେଇଛି । ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଧାୟକ ଦଳ ନେତା ସିଦ୍ଧରମୈୟା ଓ ପ୍ରଚାର କମିଟି ମୁଖ୍ୟ ଡିଏସ ଶିବକୁମାର କଂଗ୍ରେସ ନେତାମାନେ ଏକାଠି ରହିଥିବା ଦମ୍ଭୋକ୍ତି କରିଛନ୍ତି ।

ଘଡ଼ିକେ ଘୋଡ଼ା ଛୁଟୁଛି
– କର୍ଣ୍ଣାଟକରେ ବିଜେପିକୁ ସରକାର ଗଠନ ପାଇଁ ସୁଯୋଗ
– ଆସନ୍ତାକାଲି ସାଢ଼େ ୯ଟାରେ ବିଜେପି ସରକାର ଶପଥ ଗ୍ରହଣ
– ୨୧ ତାରିଖ ସୁଦ୍ଧା ବହୁମତ ସାବ୍ୟସ୍ତ କରିବା ପାଇଁ ସମୟ
– ରାଜ୍ୟପାଳଙ୍କୁ ଭେଟିବା ପରେ ୟେଦ୍ଦୁରପ୍ପା ବି ସମାନ ଦାବି କରିଥିଲେ
– ସରକାର ଗଠନ ପାଇଁ ରାଜ୍ୟପାଳଙ୍କୁ ଦାବିପତ୍ର ଦେଲା ଜେଡିଏସ୍
– କଂଗ୍ରେସ ଓ ଜେଡିଏସ୍ର ୧୧୬ ବିଧାୟକଙ୍କ ସମର୍ଥନ ସମ୍ବଳିତ ପତ୍ର
– ସରକାର ଗଠନ ପାଇଁ ବିଜେପିକୁ ଡାକିଲେ ସୁପ୍ରିମକୋର୍ଟ ଯିବ କଂଗ୍ରେସ
– ରାଜ୍ୟପାଳ ଭବନ ଆଗରେ ଧାରଣା ଦେବା ନେଇ କଂଗ୍ରେସ ନେତାଙ୍କ ସୂଚନା
– ଜେଡିଏସ୍ ବିଧାୟକଙ୍କୁ ବିଜେପି ଶହେ କୋଟିର ଅଫରର ଅଭିଯୋଗ
– ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କଲେ ମୁଖ୍ୟମନ୍ତ୍ରୀ ଆଶାୟୀ କୁମାର ସ୍ୱାମୀ
– ଶହେ କୋଟି ସହ କ୍ୟାବିନେଟ୍ ପଦ ନେଇ ଅଫର ଥିବା ଅଭିଯୋଗ