କନକ ବ୍ୟୁରୋ : କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ଏଚ.ଡି. କୁମାରସ୍ୱାମୀ । ଅପରାହ୍ନ ୪ଟା ୩୦ ମିନିଟ ସମୟରେ ସେ ଶପଥ ଗ୍ରହଣ କରିଛନ୍ତି । କର୍ଣ୍ଣାଟକ ବିଧାନ ସୌଧ ପରିସରରେ ଆୟୋଜିତ ଏକ ସ୍ୱତନ୍ତ୍ର ଉତ୍ସବରେ ରାଜ୍ୟପାଳ ବାଜୁଭାଇ ଭାଲା ମୁଖ୍ୟମନ୍ତ୍ରୀ କୁମାରସ୍ୱାମୀଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ । ପରେ କର୍ଣ୍ଣାଟକ ପ୍ରଦେଶ କଂଗ୍ରେସ କମିଟି ମୁଖ୍ୟ ତଥା ଦଳିତ ନେତା ଜି ପରମେଶ୍ୱର ଉପମୁଖ୍ୟମନ୍ତ୍ରୀ ଭାବେ ପଦ ଓ ଗୋପନୀୟତାର ଶପଥ ପାଠ କରିଥିଲେ । ଦ୍ୱିତୀୟ ଥର ପାଇଁ କୁମାରସ୍ୱାମୀ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ହୋଇଛନ୍ତି ।
ଶପଥ ଗ୍ରହଣ ଉତ୍ସବରେ ଏକାଠି ହେଲେ ମୋଦି ବିରୋଧୀ ଶକ୍ତି । ଶପଥ ଗ୍ରହଣ ଉତ୍ସବରେ ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଓ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଯୋଗ ଦେଇଛନ୍ତି । ବିଏସପି ସୁପ୍ରିମୋ ମାୟାବତୀ, ଏସପି ନେତା ଅଖିଳେଶ ଯାଦବ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜି, ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ , ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍, କେରଳ ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନ, ଆରଜେଡି ନେତା ତେଜସ୍ୱୀ ଯାଦବ ପ୍ରମୁଖ ବିରୋଧୀ ନେତା ଏହି ଉତ୍ସବରେ ସାମିଲ ହୋଇଛନ୍ତି । ପ୍ରଥମ ଥର ପାଇଁ ଗୋଟେ ମଂଚରେ ଏକାଠି ନଜର ଆସିଛନ୍ତି ମାୟାବତୀଙ୍କ ସହ ଅଖିଳେଶ ଯାଦବ ।
ମେ ୨୪ ତାରିଖରେ ନବନଯୁକ୍ତ ମୁଖ୍ୟମନ୍ତ୍ରୀ ବିଧାନସଭାରେ ତାଙ୍କ ସଂଖ୍ୟା ଗରିଷ୍ଠତାର ପ୍ରମାଣ ଦେଇସାରିବା ପରେ ମନ୍ତ୍ରିମଣ୍ଡଳର ଅନ୍ୟ ମନ୍ତ୍ରୀମାନେ ଶପଥ ଗ୍ରହଣ କରିବା ସହ ସେମାନଙ୍କ ମଧ୍ୟରେ ବିଭାଗ ବଣ୍ଟନ ହେବ ବୋଲି ଜେଡିଏସ୍- କଂଗ୍ରେସ ମେଣ୍ଟ ପକ୍ଷରୁ କୁହାଯାଇଛି । କର୍ଣ୍ଣାଟକ କ୍ୟାବିନେଟରେ ୩୪ଟି ମନ୍ତ୍ରୀ ପଦ ରହିଥିବା ବେଳେ ଏଥିମଧ୍ୟରୁ କଂଗ୍ରେସ ଭାଗରେ ୨୨ଟି ଓ ଜେଡିଏସ୍ ଭାଗରେ ୧୨ଟି ମନ୍ତ୍ରୀ ପଦ ପଡ଼ିଛି । ଏଥିସହ ବାଚସ୍ପତି ପଦବୀ କଂଗ୍ରେସ ହାତକୁ ଯାଇଥିବା ବେଳେ ଉପ ବାଚସ୍ପତି ପଦବୀ ଜେଡିଏସ୍ ନିକଟରେ ରହିଛି ।