କନକ ବ୍ୟୁରୋ : କଣ୍ଟାବାଞ୍ଜି ଆସନ ମୁରିବାହାଲ, ବଙ୍ଗୋମୁଣ୍ଡା, ତୁରେକେଲା ବ୍ଲକ ଏବଂ କଂଟାବାଞ୍ଜି ଏନଏସି (୧୬ଟି ୱାର୍ଡ) କୁ ନେଇ ଗଠିତ । ୨ ଲକ୍ଷ ୭୩ ହଜାର ୬୭୮ ଭୋଟର। ଚଳିତ ନିର୍ବାଚନରେ ତିନି ପ୍ରମୁଖ ଦଳ ନିଜ ନିଜର ଶକ୍ତି ପ୍ରଦର୍ଶନ କରିବା ସହ ଭୋଟରମାନଙ୍କୁ କେମିତି ଆକୃଷ୍ଟ କରିବେ ସେ ନେଇ ଉପାୟ ଚଳାଇଛନ୍ତି । ବିଜେଡି ଦଳରୁ ବିଧାୟକ ପ୍ରାର୍ଥୀ ଘୋଷାଣା ହୋଇସାରିଛି । ଅନ୍ୟ ଦଳ ଏଯାଏଁ ପ୍ରାର୍ଥୀ ନାଁ ଘୋଷଣା କରି ନାହାନ୍ତି । କିନ୍ତୁ ବିଦ୍ରୋହୀ ସମସ୍ୟା ସବୁ ଦଳଙ୍କୁ ଆକ୍ରାନ୍ତ କରୁଥିବା ଦେଖିବାକୁ ମିଳିଛି ।
ଏଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନୂଆ ମୁହଁକୁ ଆଗକୁ ଆଣିଛନ୍ତି । ଅଜୟ ଦାସଙ୍କୁ ଦଳ ପ୍ରାର୍ଥୀ କରିଛି । ୨୦୧୪ରେ ବିଜେଡି ଟିକଟରେ ୫୫ ହଜାର ୨୨୫ (୩୧.୬୫) ଭୋଟ ପାଇ ଏଠାରେ ବିଜୟୀ ହୋଇଥିଲେ ବିଧାୟକ ଆୟୁବ ଖାନ । ତେବେ ଏଥର ତାଙ୍କୁ ଟିକଟ ନ ଦେଇ ଆମ୍ ଆଦମି ପାର୍ଟିରୁ ଆସି ଦଳରେ ଯୋଗ ଦେଇଥିବା ଅଜୟ ଦାସଙ୍କୁ ବିଜେଡି ଟିକେଟ ଦେଇଛି । ତେଣୁ ବିଧାୟକ ଆୟୁବ ଖାଁଙ୍କ ସମର୍ଥକଙ୍କ ଭିତରେ ତୀବ୍ର ଅସନ୍ତୋଷ ଦେଖାଦେଇଛି । କିଛି ବ୍ଲକ ସଭାପତି ଓ ଜିଲ୍ଲା ସଂଗଠନର ଆଗଧାଡିର ନେତାମାନେ ଆୟୁବଙ୍କ ସମର୍ଥନରେ ରାସ୍ତାକୁ ବାହାରିଛନ୍ତି । ଦରକାର ପଡ଼ିଲେ ଦଳ ବିରୋଧରେ ଯାଇ ନିଜ ନେତାଙ୍କୁ ସ୍ୱାଧୀନ ଭାବେ ଲଢିବାରେ ସମର୍ଥନ କରିବେ ବୋଲି ସେମାନେ ଗତକାଲି ବୈଠକରେ ନିଷ୍ପିତ୍ତି ନେଇଛନ୍ତି ।
ଅନ୍ୟପକ୍ଷରେ ଅଜୟ ଦାସ ବିଜେଡି ଟିକଟ ପାଇବା ପରେ ତାଙ୍କ ସମର୍ଥକମାନଙ୍କ ଭିତରେ ଖୁସିର ଲହରି ଦେଖିବାକୁ ମିଲଇଛି। ସୂଚନାଯୋଗ୍ୟ, ପ୍ରଥମେ ଆମ ଆଦମି ପାର୍ଟିରୁ ନିର୍ବାଚନ ଲଢି ପରାଜିତ ହୋଇଥିବା ଅଜୟ କଂଟାବାଞ୍ଜି ନିର୍ବାଚନ ମଣ୍ଡଳୀରୁ କିଛି ସମୟ ପାଇଁ ଦୂରେଇ ଯାଇଥିଲେ। ପରେ ପୁଣି ଫେରିଥିଲେ। ବିଭିନ୍ନ ଗାଁରେ ସଭାସମିତି କରିବା ସହ କଣ୍ଟାବାଞ୍ଜି ବିକାଶ ମଞ୍ଚ ନାଁରେ ଲୋକଙ୍କ ସମସ୍ୟାକୁ ନେଇ ଆନ୍ଦୋଳନ କରୁଥିଲେ। ବଲାଙ୍ଗୀର ସାଂସଦ କଳିକେଶ ନାରାୟଣ ସିଂଦେଓଙ୍କ ଘନିଷ୍ଠ ହୋଇ ବିଜେଡିରେ ସାମିଲ ହେବା ସହ ଜିଲ୍ଲା କୃଷକ ମୋର୍ଚା ସଭାପତି ପଦ ପାଇଥିଲେ। ବିଧାୟକ ପ୍ରାର୍ଥୀ ଭାବେ ନାଁ ଘୋଷଣା ପରେ ଶ୍ରୀ ଦାସଙ୍କୁ କିଛି ଲୋକ ବିଦେଶୀ ବୋଲି ଦର୍ଶାଇ ବିରୋଧ କରୁଥିବାରୁ ଏହାର ଜବାବରେ ଶ୍ରୀ ଦାସ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ କରିଛନ୍ତି। ସେ ବିଦେଶୀ ନୁହନ୍ତି ବୋଲି ଦର୍ଶାଇଛନ୍ତି। ଆଗରୁ ଦୁଇ ଥର ନିର୍ବାଚନ ଲଢିବା ସମୟରେ ତାଙ୍କୁ କେହି ବିଦେଶୀ କହୁନଥିଲେ, ଏବେ ବିଜେଡି ଟିକେଟ ପାଇବାରୁ ବିଦେଶୀ କାହିଁକି କୁହାଯାଉଛି ବୋଲି ପଚାରିଛନ୍ତି। ଏଥିସହ ସେ ଭିଡିଓ ରେ ନିଜ ଘର ଠିକଣା କଂଟାବାଞ୍ଜି କହିବା ସହ ତାଙ୍କର ଓ ତାଙ୍କ ସ୍ତ୍ରୀଙ୍କ ଭୋଟର ପରିଚୟ ପତ୍ରରେ କଂଟାବାଞ୍ଜି ଠିକଣା ଥିବା ଦର୍ଶାଇଛନ୍ତି। ଏଥିସହ ଜିଲ୍ଲାର ପରିବାରବାଦ ରାଜନୀତି ଉପରେ ମଧ୍ୟ ପରୋକ୍ଷ କଟାକ୍ଷ କରିଛନ୍ତି। ତାଙ୍କର କେହି ଉତ୍ତରାଧିକାରୀ ନାହିଁ ଯିଏ ଠିକାକାମରୁ ୧୦ ପ୍ରତିଶତ ପିସି ନେବେ, କି କେହି ପୁତୁରା ନାହିଁ ଯିଏ ଗୁଣ୍ଡାଗର୍ଦି କରି ନିରୀହ ଲୋକଙ୍କ ଗୋଡ଼ହାତ ଭାଂଗିବେ ବୋଲି ଦର୍ଶାଇଛନ୍ତି। ଏହି ପରୋକ୍ଷ ଇଙ୍ଗିତ ଏବେ ଚର୍ଚ୍ଚାର ବିଷୟ ହୋଇଛି।
Follow Us