ଲୋମଶ ଶିଶୁ କାହ୍ନାର ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ : ଭଲ ଭାବରେ ପାଟି ଖୋଲି ପାରୁନଥିବାରୁ ଭୋକ ଉପବାସରେ କାହ୍ନା

48

କନକ ବ୍ୟୁରୋ : ଗ˚ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ବ୍ଲକ ବାଘୁଆ ଗାଁର ଲୋମଶ ବାଳକ କାହ୍ନାର ପରିବାର ପୁଣି ପ୍ରଶାସନ ଦ୍ୱାରସ୍ଥ ହୋଇଛନ୍ତି । ବ୍ରହ୍ମପୁର ଏମକେସିଜି ମେଡିକାଲରେ କାହ୍ନାର ପ୍ଲାଷ୍ଟିକ୍ ସର୍ଜରୀ ପରେ ଚଳିତ ମାସରେ ସେ ମେଡିକାଲୁ ଡିସ୍ଚାର୍ଜ ହୋଇଥିଲା । ତେବେ ମାସକୁ ମାସ ପରୀକ୍ଷା କରିବା ସହ ଆଉ କିଛି ଅସ୍ତ୍ରୋପଚାର ଆବଶ୍ୟକ ବୋଲି ପ୍ଲାଷ୍ଟିକ ସର୍ଜରୀ ବିଭାଗର ଡାକ୍ତର ମାନେ କହିଥିଲେ। କାହ୍ନାର ବାପା ରାମଚନ୍ଦ୍ର ନାଇକ ଦିନ ମଜୁରିଆ । ବ୍ରହ୍ମପୁର ଯାଇ କାହ୍ନାର ପୁଣି ପରୀକ୍ଷା କରାଇବା, ଚିକିତ୍ସା ପାଇଁ ରାମଚନ୍ଦ୍ରଙ୍କ ନିକଟରେ ଆର୍ଥିକ ଶକ୍ତି ନଥିବା କହିଛନ୍ତି ରାମଚନ୍ଦ୍ର।

କାହ୍ନାକୁ ବ୍ରହ୍ମପୁର ନେଇ ଯିବା ପାଇଁ ଆର୍ଥିକ ସମ୍ବଳ ନଥିବାରୁ ସେ ଗତକାଲି ଭଂଜନଗର ଉପଜିଲ୍ଲାପାଳଙ୍କୁ ଭେଟିବାକୁ ଆସିଥିଲେ । ତେବେ ଅନୁପସ୍ଥିତ ଥିବାରୁ ଉପଜିଲ୍ଲାପାଳଙ୍କୁ ଭେଟି ନ ପାରି ଖାଲି ହାତରେ ଫେରିଥିଲେ । କାହ୍ନାର ମୁହଁରେ ଯଦିଓ ଆଉ ଲୋମ ଉଠୁନି । ତେବେ ଠିକ୍ ଭାବେ ଏବେ ପାଟି ଖୋଲି ଖାଇ ପାରୁନଥିବା, ଏବ˚ ମୁହଁରେ ଅସ୍ତ୍ରୋପଚାର ସ୍ଥାନ ଗୁଡିକ ଯନ୍ତ୍ରଣା ହେଉଥିବା, ଏବ˚ ଏଭଳି କାରଣ ଯୋଗୁଁ ସେ ଅଧିକା ରାଗିବା ସହ ଚିଡ଼ିଚିଡା ହେଉଥିବା ତାଙ୍କ ବାପା ରାମଚନ୍ଦ୍ର କହିଛନ୍ତି । ଭଲ ଭାବରେ ପାଟି ଖୋଲି ପାରୁନଥିବାରୁ ଏବେ ଭୋକ ଉପବାସରେ କାହ୍ନା ରହୁଥିବା ସେ କହିଛନ୍ତି  ।

ସୂଚନାଯୋଗ୍ୟ ୭ ବର୍ଷର ଶିଶୁ କାହ୍ନା ମୁହଁରେ ଲୋମ ଓ ମାଂସ ବଢ଼ିବାରେ ଲାଗିଥିଲା । ଚେହେରା ଏମିତି ହୋଇଯାଇଥିଲା ଯେ ନିଜକୁ ଆଇନାରେ ଦେଖିବା ମଧ୍ୟ ତା’ ପାଇଁ ଅସହଜ ମନେକରୁଥିଲା । କିନ୍ତୁ ଆର୍ଥିକ ସମସ୍ୟା ଯୋଗୁଁ ଅସହାୟ କାହ୍ନାର ଚିକିତ୍ସା ହୋଇପାରୁ ନଥିଲା । ଏସଂକ୍ରାନ୍ତ ଖବର ପ୍ରକାଶିତ ହୋଇଥିଲା । ଖବର ଜାଣିବା ପରେ କାହ୍ନାର ସମସ୍ତ ଚିକିତ୍ସା ଖର୍ଚ୍ଚ ସରକାର ବହନ କରିବେ ବୋଲି ମୁଖ୍ୟମନ୍ତ୍ରୀ ଟ୍ଵିଟ୍ କରିଥିଲେ । ତେବେ ପ୍ରଥମ ପର୍ଯ୍ୟାୟ ଅସ୍ତ୍ରୋପଚାର ହୋଇଗଲେ ମଧ୍ୟ ଏବେ ଆଗକୁ ଚିକିତ୍ସା ପାଇଁ ଅର୍ଥ ବାଧକ ସାଜିଛି । ତେଣୁ କାହ୍ନା ପାଇଁ ବିପଦ ସୃଷ୍ଟି କରୁଛି ।