କନକ ନ୍ୟୁଜର ପ୍ରଭାବ : ଖବର ପ୍ରସାରଣ ପରେ ଗୋଡ ହରାଇଥିବା ଶାନ୍ତନୁଙ୍କୁ ମିଳିଲା ପ୍ଲାଷ୍ଟିକ୍ ଗୋଡ଼

319

କନକ ବ୍ୟୁରୋ : କନକନ୍ୟୁଜର ପ୍ରଭାବ । ଖବର ପ୍ରସାରଣ ପରେ ଗୋଡ ହରାଇଥିବା ଶାନ୍ତନୁଙ୍କୁ ପାଇଛନ୍ତି ପ୍ଲାଷ୍ଟିକ୍ ଗୋଡ । ଏବେ ସେ ଆଉ ଅକ୍ଷମ ନୁହଁନ୍ତି , ସାଧାରଣ ଲୋକଙ୍କ ପରି ହୋଇ ଯାଇଛନ୍ତି ସକ୍ଷମ । କନକ ନ୍ୟୁଜରେ ଖବର ପ୍ରସାରଣ ପରେ ଶାନ୍ତନୁଙ୍କ ପାଇଁ ସହଯୋଗର ହାତ ବଢାଇଥିଲା ପୁରୀର ପତିତପାବନ ସେବାସଂଘ । ସଂଘର ସଦସ୍ୟ ଢେଙ୍କାନାଳର ଜିଲ୍ଲାର ପରଜଙ୍ଗ ବ୍ଲକର କମର୍ଦ୍ଦା ଗାଁର ଶାନ୍ତନୁ ନାୟକଙ୍କୁ ଘରୁ ନେଇ ତାଙ୍କ ପାଇଁ ତିଆରି କରିଥିଲେ ପ୍ଲାଷ୍ଟିକ୍ ଗୋଡ ।

ପୁରୀରେ ରହି ଶାନ୍ତନୁ କିପରି ପ୍ଲାଷ୍ଟିକ୍ ଗୋଡ ବ୍ୟବହାର କରିବେ ତାହା ପ୍ରଶିକ୍ଷଣ ନେଇ ଘରକୁ ଫେରିଛନ୍ତି । ଆଉ ଗୋଡ ଲାଗିବା ପରେ ଶାନ୍ତନୁଙ୍କୁ ମିଳିଛି ନୂଆ ଜୀବନ । ଏବେ ସେ ନିଜକୁ ବେଶ୍ ସହଜ ମନେ କରୁଛନ୍ତି । ସବୁଠାରୁ ଖୁସିର କଥା ଏବେ ସେ ଆଉ ଆଶାବାଡି ସାହାରରେ ଚଳିବେନି । ଆଗ ପରି ସେ ସାଇକେଲ ଚଳାଇପାରୁଛନ୍ତି, ସ୍ୱାଧୀନ ଭାବରେ ଚଲାବୁଲା ବି କରପାରୁଛନ୍ତି । ୨୧ ବର୍ଷୀୟ ଶାନ୍ତନୁଙ୍କୁ ସକ୍ଷମ ପରି ସମାଜରେ ବଂଚିବାକୁ ବାଟ ଦେଖାଇ ଦେଇଛି ପ୍ଲାଷ୍ଟିକ୍ ଗୋଡ । ଏଥିପାଇଁ ପୁରୀର ପତିତପାବନ ସେବାସଂଘ ଏବଂ କନକ ନ୍ୟୁଜକୁ କୃୃତଜ୍ଞତା ଜଣାଇଛନ୍ତି ଶାନ୍ତନୁ ।

ଗତ ଫେବ୍ରୁଆରୀ ମାସରେ ସାଇଭାଇକୁ ଦଶମ ଶ୍ରେଣୀ ପରୀକ୍ଷା ଦେବାକୁ ନେବା ବେଳେ ବାରିହାପୁର ନିକଟରେ ସଡକ ଦୁର୍ଘଟଣାର ଶିକାର ହୋଇଥିଲେ । ଅବସ୍ଥା ଗୁରୁତର ଥିବାରୁ ଶାନ୍ତନୁଙ୍କ ଡାହାଣ ଗୋଡଟି ଆଣ୍ଠୁ ଉପରୁ କଟା ଯାଇଥିଲା । ଅଭାବୀ ଘରର ରୋଜଗାରିଆ ପୁଅର ଏପରି ଅବସ୍ଥା ଦେଖି ଚିନ୍ତାରେ ପଡିଯାଇଥିଲେ  ପରିବାର ଲୋକେ । ତେବେ ଏବେ ଶାନ୍ତନୁଙ୍କ ଠାରେ ପ୍ଲାଷ୍ଟିକ୍ ଗୋଡ ଲାଗିବା ପରେ ପରିବାରରେ ସମସ୍ତଙ୍କ ମୁହଁରେ ହସ ଖେଳିଯାଇଛି ।