କନକ ବ୍ୟୁରୋ: ଇରାନ ଓ ଇସ୍ରାଏଲ ମଧ୍ୟରେ ଜୋରଦାର ଯୁଦ୍ଧ ଚାଲିଛି । ଏହାରି ଭିତରେ ଅଶୋଧିତ ତେଲର ଦାମ୍ ଭୟଙ୍କର ଭାବରେ ବଢିବାରେ ଲାଗିଛି । ଇରାନ ଉପରେ ଇସ୍ରାଏଲ ଜୋରଦାର ଆକ୍ରମଣ କରିଛି । ଯାହାର ପ୍ରଭାବ ପୂରା ବିଶ୍ବରେ ପଡ଼ିଛି । ଖାଲି ସେୟାର ବଜାର ହଲଚଲ ହୋଇଛି ତାହା ନୁହେଁ ବରଂ ଅଶୋଧିତ ତୈଳ ଉପରେ ବି ସାଙ୍ଘାତିକ ପ୍ରଭାବ ପଡ଼ିଛି । ଖାସ୍ କରି ଭିକାରୀ ପାକିସ୍ତାନ ଏବେ ପୁଣି କାନ୍ଦିଲାଣି । କାରଣ ପେଟ୍ରୋଲ୍ ଦର ସାଙ୍ଘାତିକ ଭାବରେ ବଢିବାରେ ଲାଗିଛି । ସୂଚନା ଅନୁସାରେ ପାକିସ୍ତାନର ଦର ଏବେ ୨୬୨ ଟଙ୍କାରେ ପହଞ୍ଚିଲାଣି ।
ଇରାନ-ଇସ୍ରାଏଲ ଯୁଦ୍ଧ
ମହଙ୍ଗା ହେଲା ପେଟ୍ରୋଲ ଦର
ପେଟ୍ରୋଲ ଦର ଲିଟର ପ୍ରତି ହେଲା ୨୬୨
ହଠାତ୍ ବଢିଗଲା ତୈଳ ଦର
ତେଲ ପାଇଁ ପାକିସ୍ତାନ ଇରାନ ଉପରେ ହିଁ ନିର୍ଭର କରେ । ହେଲେ ଏବେ ଇସ୍ରାଏଲ ଇରାନ ଉପରେ ସାଙ୍ଘାତିକ ଆକ୍ରମଣ କରୁଛି । ତେଣୁ ଇରାନର ତୈଳ ଉତ୍ପାଦନ ବାଧାପ୍ରାପ୍ତ ହେଉଛି । ଯେହେତୁ ଦେଶ ସଙ୍କଟ ଭିତରେ ଗତି କରୁଛି ତେଣୁ ଅଶୌଧିତ ତୈଳଦର ହୁ ହୁ ହୋଇ ବଢିବାରେ ଲାଗିଛି । ସ୍ଥିତି ଏମିତି ହୋଇଛି ଯେ ଇରାନ୍ ପାକିସ୍ତାନକୁ ପୂର୍ବରୁ ଯେତିକି ଟଙ୍କାରେ ତେଲ ରପ୍ତାନୀ କରୁଥିଲା ଏବେ ସେଥିରେ ଅଚାନକ ବୃଦ୍ଧି କରିଛି । ଯେହେତୁ ଇରାନ୍ ତୈଳଦର ବୃଦ୍ଧି କରିଛି ତେଣୁ ପାକିସ୍ତାନରେ ବି ହଠାତ୍ ତୈଳଦର ବୃଦ୍ଧି ପାଇଛି । କୁହାଯାଉଛି କି, ରାତିରାତି ପାକିସ୍ତାନ ସରକାର ତେଲ ଦର ବଢାଇଦେଇଛନ୍ତି । ଯାହାଫଳରେ ସିଧାସଳଖ ଖାଉଟିଙ୍କ ଉପରେ ଏହାର ପ୍ରଭାବ ପଡ଼ିଛି ।
ରାତିରେ ଲାଗୁ ହେଲା ନୂଆ ଦର
ପେଟ୍ରୋଲ ବଢିଲା ୪ ଟଙ୍କା, ଡିଜେଲ ବଢିଲା ୭ଟଙ୍କା
ଅଶୌଧିତ ତୈଳର ଦାମ୍ ବଢିବାରୁ ପାକିସ୍ତାନ ସରକାର ଅଧ ରାତିରେ ନୂଆ ଦର ଲାଗୁ କରିଛନ୍ତି । ଡିଜେଲ୍ରେ ୭ ଟଙ୍କା ୯୫ ପଇସା ବୃଦ୍ଧି ହୋଇଥିବା ବେଳେ ପେଟ୍ରୋଲ୍ରେ ୪ ଟଙ୍କା ୮୦ ପଇସା ବୃଦ୍ଧି ହୋଇଛି । ଗୋଟିଏ ପଟେ ଭାରତର ଆକ୍ରମଣରେ ପାକିସ୍ତାନର ଅଣ୍ଟା ଭାଙ୍ଗିଥିଲା । ସ୍ଥିତି ଏମିତି ହୋଇଥିଲା ଯେ ପାକିସ୍ତାନ ଋଣ କରି ଦେଶ ଚଳାଉଛି । ଏମିତି ସ୍ଥିତିରେ ପୁଣି ଥରେ ପେଟ୍ରୋଲ ଓ ଡିଜେଲ୍ ଦର ବଢିବା କାରଣରୁ ସାଧାରଣ ଜନତା ଏବେ ଚିନ୍ତାରେ ଅଛନ୍ତି ।
ଗୁରୁତ୍ବପୂର୍ଣ୍ଣ କଥା ହେଲା, ପାକିସ୍ତାନରେ ଏବେ ଡିଜେଲ ପ୍ରତି ଲିଟର ପିଛା ୨୬୨ ଟଙ୍କା ୫୯ ପଇସାରେ ପହଞ୍ଚିଥିବା ବେଳେ ପେଟ୍ରୋଲ୍ ୨୫୮ ଟଙ୍କା ୪୩ ପଇସାରେ ପହଞ୍ଚିଛି । ତେବେ ପାକିସ୍ତାନର ଅବସ୍ଥା ଦିନକୁ ଦିନ ଗମ୍ଭୀର ହେବାରେ ଲାଗିଛି । କୁହାଯାଉଛି ପାକିସ୍ତାନ ଏବେ ଇରାନ ଛଡ଼ା ଅନ୍ୟ ଦେଶରୁ ଅଶୋଧିତ ତୈଳ ଆଣିବାକୁ ଚିନ୍ତା କରୁଛି । ହେଲେ କେଉଁ ଦେଶରୁ ତେଲ ଆଣିବ ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ । ସେପଟେ ପ୍ରତି ସାମଗ୍ରୀର ଦର ବଢୁଥିବାରୁ ସରକାରଙ୍କ ବିରୋଧରେ ଅସନ୍ତୋଷ ବି ତେଜିବାରେ ଲାଗିଛି । ଏପଟେ ଇସ୍ରାଏଲ ସ୍ପଷ୍ଟ କରିଛି କି ଇରାନକୁ ପାନେ ନଦେବା ପର୍ଯ୍ୟନ୍ତ ଆମେ ଚୁପ୍ ବସିବୁ ନାହିଁ । ଅର୍ଥାତ୍ ଯୁଦ୍ଧ ଏବେ ଥମିବାର ସମ୍ଭାବନା ନାହିଁ । ଯଦି ଏମିତି ସ୍ଥିତି ଲାଗି ରହିବ ତେବେ ଆଗାମୀ ଦିନରେ ଦର ଆହୁରି ବଢିବ ବୋଲି କୁହାଯାଉଛି ।