କନକ ବ୍ୟୁରୋ: ନିର୍ଦ୍ଧାରିତ ସମୟ ପୂର୍ବରୁ ମୌସୁମୀ ଓଡ଼ିଶାରେ ପ୍ରବେଶ କଲା । ସଅଳ ମୌସୁମୀ ଆସିଥିବାରୁ ଚାଷୀ ବେଶ ଖୁସି ଥିଲେ । ଏଥର ଭଲ ଫସଲ ହେବ, ଦୁଇ ପଇସା ଲାଭ ହେବ । ହେଲେ ସବୁ ଆଶା ଆଶାରେ ହିଁ ରହିଗଲା । ପାଣିପାଗ ବିଭାଗ ପକ୍ଷରୁ ମିଳିଥିବା ରିପୋର୍ଟ ଅନୁସାରେ, ବରଗଡ଼, କେନ୍ଦୁଝର, ସମ୍ବଲପୁର ଓ ବଲାଙ୍ଗୀର ଜିଲ୍ଲାର ସ୍ଥିତି ସଙ୍ଗିନ ହେଲାଣି । ଏମିତି ସ୍ଥିତିରେ ଚାଷୀ କଣ କରିବେ ତାହାକୁ ନେଇ ଚିନ୍ତାରେ । 

Advertisment


ନିଅଣ୍ଟିଆ ବର୍ଷାରେ ଓଡ଼ିଶା ବେହାଲ
ମୌସୁମୀ ଦୁର୍ବଳ, ଚାଷୀ ହତାଶ
ଲାଗୁଥିଲା ଗୋଟାଏ
ହେଲାଣି ଆଉ ଗୋଟାଏ

ଓଡ଼ିଶାରେ ଶୀଘ୍ର ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପହଞ୍ଚିବା ପରେ ସମସ୍ତେ ଖୁସି ଥିଲେ । କାରଣ ଦୀର୍ଘ ୧୬ ବର୍ଷ ପରେ ମୌସୁମୀ ସଅଳ ଛୁଇଁଥିଲା ଓଡ଼ିଶା । ହେଲେ ବର୍ଷାର ସ୍ଥିତି ଯାହା, ତାହାକୁ ଦେଖିଲେ ଚିନ୍ତା ଲାଗୁଛି । ସୂଚନା ଅନୁସାରେ, ଜୁନ୍‌ ୧ ରୁ ୧୫ ଭିତରେ ସାରା ରାଜ୍ୟରେ ସ୍ବାଭାବିକ ଭାବରେ ୪୨.୯ ମି.ମି ବର୍ଷା ହେବାର କଥା । ହେଲେ ଏହି ସମୟରେ ପୂରା ରାଜ୍ୟରେ ନିଅଣ୍ଟିଆ ବର୍ଷା ହୋଇଛି । ଗଞ୍ଜାମ ଓ ଜଗତ୍‌ସିଂହପୁରରେ ସାମାନ୍ୟ ଅଧିକ ବର୍ଷା ହୋଇଥିବା ବେଳେ ନୂଆପଡ଼ା, ଢେଙ୍କାନାଳ, ନୟାଗଡ଼ ଓ ଖୋର୍ଦ୍ଧା ଆଦି ଜିଲ୍ଲାରେ କମ୍‌ ବର୍ଷା ହୋଇଛି । ହେଲେ ଆଶ୍ବସ୍ତିକର ଖବର ଏହା କି, ଆଗାମୀ ଦିନରେ ରାଜ୍ୟରେ ଭଲ ବର୍ଷା ହେବାର ସମ୍ଭାବନା ରହିଛି । 

ମୌସୁମୀ ପୁଣି ସକ୍ରିୟ ହେବ
ନିଅଣ୍ଟିଆ ବର୍ଷାକୁ ସ୍ବାଭାବିକରେ ପରିଣତ କରିବ

ମୌସୁମୀ ବର୍ଷା ହଜିଯିବା ପରେ ଚିନ୍ତା ହୋଇଥିଲା । ହେଲେ ପାଣିପାଗ ବିଭାଗ କହୁଛି, ଆଗାମୀ ୪ ଦିନରେ ଭଲ ବର୍ଷା ହେବ । ଏମିତିକି ସ୍ଥାନେ ସ୍ଥାନେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ବି ରହିଛି । ଉତ୍ତର-ପଶ୍ଚିମ ବଙ୍ଗୋପସାଗର  ଉପରେ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି ଏବଂ ବର୍ତ୍ତମାନ ସମୁଦ୍ର ପତ୍ତନଠାରୁ  ୫.୮ କିଲୋମିଟର ଉଚ୍ଚତାରେ ଦକ୍ଷିଣ-ପଶ୍ଚିମ ଆଡକୁ ଢଳି ରହିଛି ।

ସେପଟେ,୨୪ଘଣ୍ଟା ପାଇଁ ଓଡ଼ିଶାର ଜଗତସିଂହପୁର, କଟକ ଏବଂ କଳାହାଣ୍ଡି ଜିଲ୍ଲାରେ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ବିଜୁଳି ଘଡ଼ଘଡି ସହ ପ୍ରବଳରୁ ଅତି ପ୍ରବଳ ବର୍ଷା ଓ ଝଟକା ପବନର ବେଗ ୩୦ ରୁ ୪୦ କିଲୋମିଟର ପ୍ରତି ଘଣ୍ଟା ହେବାର ସମ୍ଭାବନା ରହିଛି । ସେହିପରି ୧୭ ଓ ୧୮ ଜୁନ୍‌ ପାଇଁ ଅରେଞ୍ଜ ଆଲର୍ଟ ଜାରି ରହିଛି କିଛି ଜିଲ୍ଲାକୁ । ତେବେ ସମୟ କହିବ କେଉଁ ଜିଲ୍ଲାରେ କେତେ ପରିମାଣର ହେଉଛି ବର୍ଷା ।