ଦାରିଦ୍ର‌୍ୟ ଆଗରେ ଅସହାୟ ବାପା : କାମାକ୍ଷାନଗର ଏନଏସି ଗଳିକନ୍ଦିରେ ବୁଲି ବୁଲି ଜରି ଗୋଟାଇ କୁନି ପୁଅ ମୁହଁରେ ଆହାର ଦେଉଛନ୍ତି ନୃସିଂହ

179

କନକ ବ୍ୟୁରୋ : ଜାବୁଡ଼ି ଧରିଛି ଦାରିଦ୍ର‌୍ୟ, ପିଛା ଛାଡ଼ୁନି ଗରିବୀ । ୩ ବର୍ଷ ତଳେ ପରିସ୍ଥିତି ଯେମିତିଥିଲା, ଆଜି ବି ରହିଛି ଠିକ୍ ସେମତି । ଏହି ଅଭାବରୁ ପତ୍ନୀ ଓ ପୁତ୍ରକୁ ହରାଇଥିବା କାମକ୍ଷାନଗରର ନୃସିଂହ, ଯେମିତି ୫ ବର୍ଷର ପୁଅ ‘ବାସୁ’ର ପେଟକୁ ମୁଠାଏ ଦାନା ପାଇଁ ରାତି ଦିନ ଏକାଠି କରୁଛନ୍ତି । ସରକାରଙ୍କ ପୁଳାପୁଳା ଯୋଜନା ଏ ଦୁଃଖୀ ବାପାଙ୍କ ପଇଁ ସାତସପନ ।

 

‘ବାସୁ’ର ହୁଏତ ମନେ ନଥିବ ମା’ର ମୁହଁ । ୩ ବର୍ଷର ହୋଇ ଥିବା ବେଳେ ମା’ ଆଉ ଏକ ଛୋଟ ଭାଇକୁ ଜନ୍ମ ଦେଇ ଚାଲିଗଲେ ଆରପାରିକୁ । ବାପା ଲାଳନ ପାଳନ ନକରିପାରିବା ଭୟରେ ସିନା ସାନ ଭାଇକୁ ଟେକି ଦେଲେ ଅନ୍ୟର ହାତକୁ । ହେଲେ ନିଜ ହାତରେ ୩ବର୍ଷର କରିଥିବା ବାସୁକୁ ପର କରିପାରିଲେନି । ଢ଼େଙ୍କାନାଳ ଜିଲ୍ଳା କାମକ୍ଷାନଗର ଏନଏସି ଗଳିଗଳି ବୁଲି ଜରି ଗୋଟାଉ ଥିବା ନୃସିଂହ ତପନ ପୁଅ ପାଇଁ ସବୁ କଷ୍ଟ ସହିବାକୁ ପ୍ରସ୍ତୁତ । ମୁଣ୍ଡ ଗୁଞ୍ଜିବାକୁ ଖଣ୍ଡେ ଛାତ ନାହିଁ କି ଦୁଇଓଳି ଦଇମୁଠା ଖାଇବାକୁ ଖାଦ୍ୟ ନାହିଁ । ଯାଯାବର ଜୀବନ ପରି ଅନ୍ୟର ପିଣ୍ଡା ନହେଲେ ଦୋକାନର ବାରଣ୍ଡାରେ ରାତି କଟୁଛି ।

ଜରି ଓ ପୁରୁଣା ବୋତଲ ବକ୍ରିକରି ଯାହା ଅଳ୍ପକିଛି ଟଙ୍କା ରୋଜଗାର କରିଥାନ୍ତି ସେଥିରେ କଷ୍ଟେମଷ୍ଟେ ଚଳିଯାନ୍ତି । ହେଲେ ପୁଅକୁ ସାମାନ୍ୟ ଟିକିଏ ଜ୍ୱର ହେଲେ ଚିକିତ୍ସା ପାଇଁ ସମ୍ଭବ ହେଉନି ଅର୍ଥ । ଏ ନେଇ ଢେଙ୍କାନାଳ ଜିଲ୍ଲା ପାଳଙ୍କ ମତାମତ ନେବାରୁ ସେ କହିଛନ୍ତିକି ଶିଶୁ ସୁରକ୍ଷା ଟିମ୍କୁ କୁହାଯାଇଛି ପରବର୍ତ୍ତି ସମୟରେ ଥଇଥାନର ବ୍ୟବସ୍ଥା କରାଯିବ । ସରକାର ଗରୀବ, ଅନାଥ ମାନଙ୍କ ପ୍ରତି ଯୋଜନା ପରେ ଯୋଜନା କରୁଥିବା ବେଳେ ତାହା ବାସ୍ତବିକ ଫଳ ଶୂନ ସଦୃଶ ପ୍ରମାଣିତ ହୋଇଛି ।